Home ଜିଲ୍ଲା ପରିକ୍ରମା ‘ମାନବବାଦର ବିକାଶ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠସ୍ଥାନ ଦେଇଛି’ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

‘ମାନବବାଦର ବିକାଶ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠସ୍ଥାନ ଦେଇଛି’ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

58

ବାଲେଶ୍ୱର, ୧୭-୮(ଓଡ଼ିଆ ପୁଅ/ଅଭୟ ଦାସ): କୋଭିଡ୍ କଟକଣା ମଧ୍ୟରେ ବାଲେଶ୍ୱର ସହରର ରିଜର୍ଭ ପୁଲିସ ପଡ଼ିଆରେ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବୀ ଭାବେ ପାଳିତ ହୋଇଯାଇଛି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ, ଏବଂ ବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ଆନ୍ଦୋଳନ ଓ ନବ ଭାରତ ନିର୍ମାଣ ଇତିହାସର ସ୍ମୃତିଚାରଣ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ସମେତ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଅବଦାନ ଓ ସଂଗ୍ରାମୀଙ୍କ ବଳିଦାନ ଏବଂ ସ୍ୱାଧୀନତା ପରେ ଦେଶୀୟ ରାଜ୍ୟ ଏକତ୍ରିକରଣରେ ନୀଳଗିରିର ଭୂମିକାକୁ ଏ ଜାତି ସବୁଦିନ ମନେ ରଖିବ ବୋଲି ସେ କହିଥିଲେ। ଓଡିଆ ଭାଷା, ସାହିତ୍ୟର ସୁରକ୍ଷା ସହ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ବାଲେଶ୍ୱରର ସଂଗ୍ରାମୀ ସାରସ୍ୱତ ସାଧକଙ୍କ ଅବଦାନ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଶ୍ରୀ ସିଂହ ଆଲୋକପାତ କରିଥିଲେ। ତେବେ ସାମ୍ପ୍ରତିକ ସ୍ଥିତିରେ ବିକାଶ ପଥରେ ଅନ୍ତରାୟ ହୋଇଥିବା ମହାମାରୀ କରୋନାକୁ ହରାଇବା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ବେଶ୍ ପ୍ରଶଂସନୀୟ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ମାନବବାଦର ବିକାଶ କ୍ଷେତ୍ରରେ ବାଲେଶ୍ୱର ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ଏବଂ ଓଡିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ଲାଗି ମିଳିମିଶି ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳକେ-ସୁଦର୍ଶନ ଚକ୍ରବତର୍ତ୍ତୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କରୋନା ମହାମାରୀ କଟକଣା ପାଇଁ ଜିଲ୍ଲା ପୁଲିସର ଦୁଇଗୋଟି କଂଟିଜେଂଟଙ୍କ ସମେତ ପୁଲିସ ବ୍ୟାଣ୍ଡ ଏହି ଉତ୍ସବରେ ଯୋଗ ଦେଇଥିଲେ। କଟକଣା ଯୋଗୁଁ ସ୍ୱାଧୀନତା ଦିବସ ପ୍ୟାରେଡକୁ ବାତିଲ କରାଯାଇଥିଲା। ରିଜର୍ଭ ଇନସପେକ୍ଟର ଦିଲ୍ଲୀପ ସାମନ୍ତରାୟ ରାଷ୍ଟ୍ରୀୟ ସାଲ୍ୟୁଟ୍‌ର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ। ସେକେଣ୍ଡ-ଇନ-କମାଣ୍ଡ ପ୍ରବୀର କୁମାର କହଁର ଏଥିରେ ସହଯୋଗ କରିଥିଲେ।ଏହି ସ୍ୱାଧୀନତା ସମାରୋହକୁ ନିମନ୍ତ୍ରିତ ହୋଇ ଆସିଥିବା ଜିଲ୍ଲାର ୨୫ଜଣ କୋଭିଡ ଯୋଦ୍ଧାଙ୍କଠାରୁ ସାମ୍ପ୍ରତିକ ସେବା କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଓ କାର୍ଯ୍ୟଦକ୍ଷତା ବିଷୟରେ ମନ୍ତ୍ରୀ ଶ୍ରୀ ସିଂହ ପଚାରି ବୁଝିଥିଲେ। ସେମାନଙ୍କ ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ମାନ୍ୟବର ମନ୍ତ୍ରୀ ପ୍ୟାରେଡ ପଡିଆରେ ବୃକ୍ଷ ରୋପଣ କରିଥିଲେ। ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଆଇଏଏସ ପ୍ରୋବେସନର ଅନ୍ୟା ଦାସ, ଏପିଡି ନୀଲୁ ମହାପାତ୍ରଙ୍କ ସମେତ ପ୍ରଶାସନର ବହୁ ଅଧିକାରୀଏହି ଜାତୀୟ ଉତ୍ସବରେ ଉପସ୍ଥିତ ଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍ୱାଧୀନତା ଦିବସ ସମାରୋହରେ କୋଭିଡ ନିୟମାବଳୀ ଓ କଟକଣାର ଅନୁପାଳନ ସହ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.