Home Top News ମାତୃଭାଷାରେ ପଢିଲେ ପିଲାଙ୍କ ଜ୍ଞାନର ଅଭ୍ୟୁଦୟ ଘଟିବ- ଧର୍ମେନ୍ଦ୍ର ପ୍ରଧାନ

ମାତୃଭାଷାରେ ପଢିଲେ ପିଲାଙ୍କ ଜ୍ଞାନର ଅଭ୍ୟୁଦୟ ଘଟିବ- ଧର୍ମେନ୍ଦ୍ର ପ୍ରଧାନ

33

ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
– ପାଠ ମୁଖସ୍ତ କରିବା ନୁହେଁ ବରଂ ମାତୃଭାଷା ମାଧ୍ୟମରେ ଜ୍ଞାନ ବଢାଇବା ଦରକାର
– ଶିକ୍ଷାକୁ ବିଶ୍ଲେଷଣ କରିବା ପାଇଁ ଉପକରଣ ଓ କରଣର ଉଦାହରଣ ଦେଲେ କେନ୍ଦ୍ରମନ୍ତ୍ରୀ
– ଉପକରଣ ହେଉଛି ଏକ ମାଧ୍ୟମ ଏବଂ କରଣ ହେଉଛି ସଂସ୍କାର
– କରଣ ହେଲେ ପିଲା ଭଲ ମଣିଷ ହେବ, ଭଲ ସଂସ୍କାର ଶିଖିବ
– ଲୋକମାନେ ଉପକରଣକୁ ଛାଡି କରଣକୁ ଧରିଲେ ହିଁ ସମାଜ ମଜଭୂତ୍ ହେବ
– ଅନୁଗୋଳର ସଭାଗାରରୁ ଆରମ୍ଭ ରାଜନୈତିକ ଯାତ୍ରା ମୋତେ ସଂସଦ ପର୍ଯ୍ୟନ୍ତ ପହଞ୍ଚାଇଛି
– ସମାଜ ଭିତରେ ମୂଲ୍ୟବୋଧ, ଭାଇଚାରା, ଶିକ୍ଷାର ମୂଳ ତତ୍ତ୍ୱକୁ ବ୍ୟାପକ କରିବାରେ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର କାମ ପ୍ରଶଂସନୀୟ
– କଣିହାଁ ସ୍ଥିତ ଶିବ ମନ୍ଦିର ଓ ରାମ ମନ୍ଦିରରେ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
– କଣିହାଁ ବ୍ଲକ ହନୁମାନପୁର ପଞ୍ଚାୟତ ଝରାବେରେଣୀ ସ୍ଥିତ ‘ଅମୃତ ସରୋବର’ ପ୍ରକଳ୍ପ ଦେଖିଲେ

ଅନୁଗୋଳ, ନଭେମ୍ବର ୧୩ (ଓଡ଼ିଆ ପୁଅ) – ମାତୃଭାଷାରେ ପିଲାମାନେ ପାଠ ପଢିଲେ ପାଠ ବୁଝିବାରେ ସହଜ ହେବ। ପାଠକୁ ଭଲ ଭାବରେ ବୁଝିଲେ ହିଁ ପିଲା ମାନଙ୍କ ମଧ୍ୟରେ ଥିବା ଜ୍ଞାନର ଅଭ୍ୟୁଦୟ ଘଟିବ ବୋଲି ରବିବାର ଅନୁଗୋଳ ସହରର ସଭାଗାର ଠାରେ ଆୟୋଜିତ ‘ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଧ୍ୟାତ୍ମିକ ଶିକ୍ଷାଦାନର ଅନ୍ୟତମ ଅନୁଷ୍ଠାନ ରାଜ୍ୟରେ ଦୀର୍ଘ ୫୦ ବର୍ଷର ଯାତ୍ରା ପୂରଣ କରିବା ଅବସରରେ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ନିକଟରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରମକମଳରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ ହୋଇଛି। ମାତ୍ର ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆରେ ପଢିଲେ ଚାକିରି ମିଳିବ କି ନାହିଁ, ତାହାକୁ ନେଇ ବିତର୍କ ହେଉଛି। ସେ କହିଛନ୍ତି ଯେ ପାଠକୁ ନମ୍ବର ଆଧାରିତ କିମ୍ବା ମୁଖସ୍ତ କରିବା ନୁହେଁ ବରଂ ମାତୃଭାଷା ମାଧ୍ୟମରେ ପାଠକୁ ବୁଝାଇବାର ଦାୟିତ୍ୱ ରହିଛି। ପାଠ ବୁଝିଲେ ହିଁ ପିଲାଙ୍କ ମଧ୍ୟରେ ଜ୍ଞାନର ଅଭ୍ୟୁଦୟ ଘଟିବ। ମାତୃଭାଷାରେ ପାଠ ପଢିଲେ, ପାଠ ବୁଝିବାରେ ସହଜ ହେବ। ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି।

ଏକ ଉଦାହରଣ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷାକୁ ବିଶ୍ଲେଷଣ କରିବାର ଦୁଇଟି କଥା ଅଛି। ଗୋଟିଏ ଉପକରଣ ଏବଂ ଅନ୍ୟଟି କରଣ। ଉପକରଣ ହେଉଛି ଏକ ମାଧ୍ୟମ ଏବଂ କରଣ ହେଉଛି ସଂସ୍କାର। ଶାନ୍ତି ହେଉଛି ଗୋଟିଏ କରଣ। ସେହିପରି ଓମ୍ ଶାନ୍ତି ମନକୁ ସ୍ଥିର ରଖିବାରେ ଗୋଟିଏ ପ୍ରଭାବଶାଳୀ କରଣ। କରଣ ହେଲେ ପିଲା ଭଲ ମଣିଷ ହେବ। ଭଲ ସଂସ୍କାର ଶିଖିବ। ସମଗ୍ର ଭାରତବର୍ଷର ଲୋକମାନେ ଉପକରଣକୁ ଛାଡି କରଣକୁ ଧରିଲେ ହିଁ ସମାଜ ମଜଭୂତ୍ ହେବ।

ସେ କହିଛନ୍ତି ଯେ ଯେଉଁ ସଭାଗାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ସେହି ସଭାଗାରରେ ଅନେକ ଅନେକ ସ୍ମୃତି ରହିଛି। ଏହି ସଭାଗାର ଅନୁଗୋଳ ଜିଲ୍ଲାର ଜନପ୍ରତିନିଧି ଭାବେ ଆରମ୍ଭ ହୋଇଥିବା ରାଜନୈତିକ ଯାତ୍ରା ସଂସଦ ପର୍ଯ୍ୟନ୍ତ ପହଞ୍ଚିପାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ହିଙ୍ଗୁଳା, ମା’ ବୁଢି ଠାକୁରାଣୀ ଓ ଜନଆଶୀର୍ବାଦ ବଳରେ ଆଜି ଏହି ଦାୟିତ୍ୱରେ ଅଛି।

ସମାଜ ଭିତରେ ମୂଲ୍ୟବୋଧ, ଭାଇଚାରା, ଶିକ୍ଷାର ମୂଳ ତତ୍ତ୍ୱକୁ ବ୍ୟାପକ କରିବାରେ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର କାମ ପ୍ରଶଂସନୀୟ। ମୂଳରୁ ଏହି ଅନୁଷ୍ଠାନ ଦେଉଥିବା ଶିକ୍ଷାକୁ ଜାତୀୟ ଶିକ୍ଷା ନୀତିରେ ରୂପାନ୍ତରିତ କରାଯାଇଛି। ସମାଜର ବସ୍ତୁବାଦୀ ସଭ୍ୟତାରେ ମଣିଷକୁ ଜୀବନର ମୂଳ ଉଦ୍ଦେଶ୍ୟ ବୁଝାଇବାରେ ଏହି ଅନୁଷ୍ଠାନ ନିରନ୍ତର କାର୍ଯ୍ୟ କରି ଚାଲିଛି। ଏହି ମର୍ମରେ ସମସ୍ତେ ସାମୂହିକ ଭାବରେ ଦେଶକୁ ମଜଭୂତ୍ କରିବା ବୋଲି କହିବା ସହ କେନ୍ଦ୍ର ଆଗାମୀ ଦିନରେ ସଂସ୍ଥାର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ କଣିହାଁ ସ୍ଥିତ ଶିବ ମନ୍ଦିର ଓ ରାମ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ କଣିହାଁ ବ୍ଲକ ହନୁମାନପୁର ପଞ୍ଚାୟତ ଝରାବେରେଣୀ ଗ୍ରାମ ସ୍ଥିତ ‘ଅମୃତ ସରୋବର’ ପ୍ରକଳ୍ପ ଦେଖିଥିଲେ। ଜଳ ସଂକଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଏହି ପ୍ରକଳ୍ପକୁ କିପରି ବିକଶିତ କରାଯିବ, ସେ ନେଇ ସ୍ଥାନୀୟ ଅଧିକାରୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ଅନୁଗୋଳର ରନ୍ତଲେଇ, ଝାରପଡା ଓ କୁରୁଡୋଲ ସମେତ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.