କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପୋଲିସ ଦ୍ୱାରା ଆଲମାରୀ ବୋଝେଇ ଟ୍ରକରୁ ୮୦ ଲକ୍ଷ ଟଙ୍କାର ଗଞେଇ ଜବତ କରା ଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ସୂଚନା ଦେଇଛନ୍ତି । ଗିରଫ ଦୁଇଜଣ ହେଲେ ଉତର ପ୍ରଦେଶ ଆଲିଗଡର ଯେଶବନ୍ତ ସିଂହ ଓ ଆଗ୍ରାର ହରେନ୍ଦ୍ର ସିଂହ । ପାଡୁଆ ଥାନା ବାଡେଲ ଅଂଚଳରୁ ଉତର ପ୍ରଦେଶକୁ ୟୁପି-୮୦ସିଟି ୬୦୭୪ ନମ୍ବର ଥିବା ଆଲମାରୀ ବୋଝେଇ ଏକ ଟ୍ରକରେ ଗଞେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇ ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ଲମତାପୁଟ ଫାଣ୍ଡିର ସବ-ଇନସପେକ୍ଟର ଦିଲ୍ଲୀପ ପ୍ରଧାନ,ଏଏସଆଇ ମହେଶ୍ୱର କିର୍ଷାନୀ ଓ ଅନ୍ୟମାନେ ଚାଙ୍ଗୁଡିପୋଡା ଛକ ନିକଟରେ ନାକାବନ୍ଦୀ କରିଥିଲେ । ଗଞେଇ ନେଇ ଯାଉଥିବା ଉକ୍ତ ଟ୍ରକ ଆସିବା ମାତ୍ରେ ପୋଲିସ ଟିମ ଗାଡି ଅଟକାଇ ଚେକିଂ କରିବା ବେଳକୁ ଗାଡିରୁ ଜରି ଅଖାରେ ଭରି ହୋଇଥିବା ୮୦୯ କିଲୋ ୬୦୦ ଗ୍ରାମ ଗଞେଇ ମିଳିଥିଲା । ପୋଲିସ ଟିମ ଟ୍ରକ ସହ ଗଞେଇ ଏବଂ ୨ଟି ମୋବାଇଲ ଫୋନ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି । ଜବତ ଗଞେଇର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ମାଛକୁଣ୍ଡ ଥାନାରେ ଏନଡିପିଏସ୍ ଆକ୍ଟ୍ ଅନୁଯାୟୀ ଏକ ମାମଲା(କେସ ନଂ-୬୧/୨୦୨୧) ରୁଜୁ କରା ଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି ।