Home ଓଡ଼ିଶା ମହିଳା ଧରିବେ ମଙ୍ଗ! କାହିଁକି ସଭାପତି ପାଇଁ ଚର୍ଚ୍ଚାରେ ମହିଳାଙ୍କ ନାମ?

ମହିଳା ଧରିବେ ମଙ୍ଗ! କାହିଁକି ସଭାପତି ପାଇଁ ଚର୍ଚ୍ଚାରେ ମହିଳାଙ୍କ ନାମ?

657

ଭୁବନେଶ୍ୱର: କିଏ ହେବ ବିଜେପି ରାଜ୍ୟ ସଭାପତି?କାହା ହାତରେ ରହିବ ରାଜ୍ୟ ବିଜେପିର ମଙ୍ଗ? ଏହାକୁ ନେଇ ଅନେକ ନେତାଙ୍କ ନାମ ଶୁଣାଯାଉଥିବା ବେଳେ ଏବେ ହଠାତ୍ ୪ ଜଣ ମହିଳାଙ୍କ ନାମ ଆଲୋଚନା ହେଉଛି।ସେମାନେ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା।

ଅପରାଜିତା ଷଡ଼ଙ୍ଗୀ ୧୧ ବର୍ଷର ଆଇଏଏସ ଚାକିରୀ ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି।ବିଜେପିରେ ସାମିଲ ହୋଇ ୨୦୧୯ ନିର୍ବାଚନରେ ପ୍ରଥମ ପ୍ରଦାର୍ପଣରେ ସେ ଭୁବନେଶ୍ୱର ପରି ସମ୍ମାନଜନକ ଆସନରୁ ବିଜେପିକୁ ସଫଳତା ଦେଇଛନ୍ତି।ତେବେ, ୧୧ ବର୍ଷର ଆଇଏଏସ ଚାକିରୀ ଛାଡ଼ି କେବଳ ଏକ ସାଂସଦ ହେବା ପାଇଁ ଯେ ସେ ରାଜନୀତିକୁ ଆସିନାହାଁନ୍ତି।ତାଙ୍କର ନିଶ୍ଚିତ କିଛି ବଡ଼ ମହତ୍ତ୍ୱକାଂକ୍ଷା ରହିଛି।ନିର୍ବାଚନ ପୂର୍ବରୁ ଏବଂ ଏବେ ଜିତିବା ପରେ ଅପରାଜିତାଙ୍କ ଗତିବିଧି ମଧ୍ୟ ସେହିପରି ରହୁଛି।ଅପରାଜିତା ଏବେ ‘ଅଜିତା’ ନାମରେ ଏକ ନାରୀ ସଙ୍ଗଠନ ଆରମ୍ଭ କରିଛନ୍ତି।ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଆରମ୍ଭ ହୋଇ କ୍ରମଶଃ ଏହା ସାରା ଓଡ଼ିଶାରେ କାମ କରିବ ବୋଲି ଉଦ୍ଦେଶ୍ୟ ରହିଛି।ଅପରାଜିତା ଷଡ଼ଙ୍ଗୀ କେବଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଭିତରେ ନିଜକୁ ସୀମିତ ନରଖି ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଗତି କରୁଛନ୍ତି।ରାଜ୍ୟର ବିଭିନ୍ନ ସ୍ଥାନରେ ଅତିଥି ହେଉଛନ୍ତି।ଏବଂ ଏଥିପାଇଁ ସ୍ୱତନ୍ତ୍ର ଭାବରେ ଏକ ରଣନୀତି ପ୍ରସ୍ତୁତ କରାଯାଉଛି।ନବୀନ ପଟ୍ଟନାୟକଙ୍କ ଆଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ବିଫଳତା ପରେ ତୃଣମୂଳ ସ୍ତରରୁ ଅପରାଜିତାଙ୍କୁ ବିଜେପିର ଚେହେରା ଭାବରେ ଉପସ୍ଥାପନା କରାଯାଉଛି।ବିଜେଡିକୁ କଡ଼ା ଟକ୍କର ଦେବାକୁ ହେଲେ ଅପରାଜିତାଙ୍କୁ ରାଜ୍ୟ ସଭାପତି କରାଯାଉ ବୋଲି ବିଜେପିର କିଛି ମହଲରୁ ଦାବି ଉଠୁଛି।

 

ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ; ଛାଡ଼ୁ ନାହାଁନ୍ତି ଓଡ଼ିଶା !

 

ତେଣୁ, ଅପରାଜିତାଙ୍କ ନାମକୁ ନେଇ ଏପରି ଚର୍ଚ୍ଚା ଭିତରେ ଜାଣିଶୁଣି ବିଜେପିର ଅନ୍ୟ କିଛି ମହିଳା ନେତ୍ରୀଙ୍କ ନାମ ରାଜ୍ୟ ସଭାପତି ଭାବରେ ଉପସ୍ଥାପନା କରାଯାଉଥିବା କୁହାଯାଉଛି।ସଙ୍ଗୀତା ସିଂହଦେଓ ୪ ଥର ସାଂସଦ ରହି ସାରିଛନ୍ତି।ରାଜ୍ୟ ସଭାପତି ଭାବରେ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ସବୁଠାରୁ ଚର୍ଚ୍ଚିତ ଚେହେରା ଥିବା ବେଳେ ଯଦି ଜଣେ ମହିଳା ଧରନ୍ତି ମଙ୍ଗୁଆଳ, ତେବେ ସେ କାହିଁକି ସଙ୍ଗୀତା ସିଂହଦେଓ ନହେବେ ବୋଲି କଥା ଉଠୁଛି।ସେହିପରି ଅପରାଜିତାଙ୍କ ନାମକୁ ନେଇ ଏପରି ଚର୍ଚ୍ଚା ଭିତରେ ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏହା ଚିନ୍ତାର କାରଣ ହୁଏ ତେବେ ତାହାର ପ୍ରତିକାର ସୁରମା ଏବଂ ପ୍ରଭାତୀ ହୋଇପାରନ୍ତି ବୋଲି କୁହାଯାଉଛି।ଉଭୟ ସୁରମା ପାଢ଼ୀ ଏବଂ ପ୍ରଭାତୀ ପରିଡ଼ା ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକ ବୋଲି କୁହାଯାଏ।ସୁରମା ପାଢ଼ୀ ଥରେ ମନ୍ତ୍ରୀ ରହି ସାରିଥିବା ବେଳେ (ଅବଶ୍ୟ ମେଣ୍ଟ ସମୟରେ) ତା’ ପରଠାରୁ ସେ ଲଗାତାର ହାରି ଚାଲିଛନ୍ତି।ସେ କିନ୍ତୁ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସହିତ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ରହି ସାରିଛନ୍ତି।ଏବେକାର ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଥିବା ପ୍ରଭାତୀ ପରିଡ଼ା ମଧ୍ୟ ନିମାପଡ଼ା ଆସନରୁ ଦୁଇ ଦୁଇ ଥର ଲଢ଼ି ଜିତି ପାରି ନାହାଁନ୍ତି।କିନ୍ତୁ ତାଙ୍କ ନେତୃତ୍ୱରେ ରାଜ୍ୟରେ ମହିଳା ମୋର୍ଚ୍ଚା ସଂଗଠିତ ହୋଇପାରିଛି।ବିଜେଡି ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ବିଶେଷତଃ ମହିଳା ସୁରକ୍ଷା ପ୍ରସଙ୍ଗରେ ପ୍ରଭାତୀଙ୍କ ନେତୃତ୍ୱରେ ବିଜେପିର ମହିଳା ମୋର୍ଚ୍ଚା ହିଁ ଅଧିକ ଆନ୍ଦୋଳନାତ୍ମକ ସମେତ ଅନେକ ସଙ୍ଗଠନାତ୍ମକ କାର୍ଯ୍ୟକ୍ରମ ମଧ୍ୟ କରିଛି।ତେଣୁ ଅପରାଜିତାଙ୍କ ସମେତ ସଙ୍ଗୀତା ସିଂହଦେଓ ତାଙ୍କ ବାଟରେ ଏବଂ ସୁରମା, ପ୍ରଭାତୀ ମଧ୍ୟ ରାଜ୍ୟ ସଭାପତି ମଙ୍ଗ ଧରିବାକୁ ଯୋଗ୍ୟ ବୋଲି ଦର୍ଶାଇବାକୁ ସୁଚିନ୍ତିତ ପ୍ରୟାସ କରାଯାଉଥିବା କୁହାଯାଉଛି।/-ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.