Home ଜିଲ୍ଲା ପରିକ୍ରମା ମହାସମାରୋହରେ ପାଳିତ ହେଲା ମଣିବାବାଙ୍କ ମହାଶିବରାତ୍ରୀ, ଆଖଣ୍ଡଳମଣି ପୀଠରେ ୩ ଲକ୍ଷ ଭକ୍ତଙ୍କ ଜନ ସମାଗମ,...

ମହାସମାରୋହରେ ପାଳିତ ହେଲା ମଣିବାବାଙ୍କ ମହାଶିବରାତ୍ରୀ, ଆଖଣ୍ଡଳମଣି ପୀଠରେ ୩ ଲକ୍ଷ ଭକ୍ତଙ୍କ ଜନ ସମାଗମ, ଭୋର୍ ୫ ରେ ଉଠିଲା ମହାଦୀପ

6

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମହାଶିବରାତ୍ରୀ ପାଇଁ ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ହୋଇ ଉଠିଥିଲା ଭକ୍ତମୟ । ବିଶେଷକରି ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ । ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲ ପୀଠା । ଆଜି ଆରଡିସ୍ଥିତ ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ଉତ୍ସାହ, ଆନନ୍ଦ ଓ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ଆଜି ଭୋର୍ ୪ରୁ ମଣିବାବାଙ୍କ ସମସ୍ତ ପୂଜାନୀତି ସଠିକ୍ ଭାବେ ଅନୁଷ୍ଠିତ ହୋଇଥିଲା । ଭୋରୁ୍ ୪ଟାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସାହାଣମେଲା କରାଯାଇଥିବାବେଳେ ସକାଳ ୬.୩୦ ମିନିଟ୍ ପର୍ଯ୍ୟନ୍ତ ଭକ୍ତମାନେ ବାବୁ ଲମ୍ବା ଲାଇନ୍‌ରେ ଛିଡା ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ କରିଥିଲେ । ଆଜି ଦିନ ତମାମ୍ ଜିଲା ତଥା ଜିଲା ବାହାରୁ ପ୍ରାୟ ୩ ଲକ୍ଷ ଭକ୍ତଙ୍କ ସମାଗମ ଲାଗି ରହିଥିଲା । ଏହି ମହାଶିବରାତ୍ରିରେ ଶାନ୍ତିଶୃଙ୍ଖଳା ଓ ଯାନବାହନ ସଠିକ୍ ନିୟନ୍ତ୍ରଣ ପାଇଁ ଜିଲା ପ୍ରଶାସନ, ପୁଲିସ୍ ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ସମନ୍ୱୟ ରକ୍ଷା କରାଯାଇଥିଲା । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପରିଦର୍ଶନ କରି ନିଜେ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ । ଏବଂ ଉପଜିଲାପାଳ ମନୋଜ ପାତ୍ର ମଧ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସୁପରିଚାଳନା ନିମନ୍ତେ ତଦାରଖ କରିଥିଲେ । ଫେରିଘାଟରେ ଡଙ୍ଗା ଚାଳନା ଉପରେ ସଠିକ୍ ଭାବେ ନଜର ରଖାଯାଇଛି ।

ସୂଚନା ଓ ଲୋକ ସଂପର୍ଭ ବିଭାଗ ତରଫରୁ ସୂଚନା କେନ୍ଦ୍ର ଓ ୩୦ ଟି ଜିଲାର ପ୍ରମୁଖ ଶୈବପୀଠର ଫଟୋକୁ ନେଇ ଏକ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି । ମହାଶିବରାତ୍ରୀ ଉପଲକ୍ଷେ ଆଖଣ୍ଡଳମଣି ପୀଠରେ ମଣିବାବାଙ୍କୁ ବହୁ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି । ସୁରକ୍ଷା ଦାୟିତ୍ୱରେ ମାଜିଷ୍ଟ୍ରେଟ୍ ୯ ଜଣ ନିଯୁକ୍ତ ହୋଇଛନ୍ତି । ସୁରକ୍ଷା ଦାୟିତ୍ୱରେ ଜଣେ ଆଡିସ୍‌ନାଲ ଏସ୍‌ପି, ୬ ଜଣ ଡିଏସ୍‌ପି, ୭ ଜଣ ଇନ୍ସିପେକ୍ଟର, ୫୬ ଜଣ ଏଏସଆଇ, ୨୨ ଜଣ ସବଇନ୍ସିପେକ୍ଟର, ୭୦ ଜଣ ହାବିଲଦାର, ୨୩ ଜଣ ମହିଳା ପୁଲିସ୍‌, ୬୪ ଜଣ ହୋମଗାର୍ଡ ଏବଂ ୧୬ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ ହୋଇଛନ୍ତି । ନଦୀକୂଳରେ ସକାଳୁ ରାତି ଯାଏ ଫାୟାର ବିଭାଗର ବୋଟ୍ ପଇଁତରା ମାରିଛନ୍ତି । ତିନିତର, ମୁଆଁ ଏବଂ ଧାନଖଣିଆ ନଦୀ ଘାଟରେ ଦମକଳ ବିଭାଗ ତରଫରୁ ବୋଟ୍ ରଖି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଟଏଲେଟ୍ ସ୍ଥାପନ ହେବା ସହ ପିଇବା ପାଣିର ଟାଙ୍କି ବସାଯାଇଛି । ଚାନ୍ଦବାଲି ତହସିଲଦାରଙ୍କ ତରଫରୁ ଅବରୋଧ ହଟାଯାଇ ଭକ୍ତଙ୍କ ପାଇଁ ଯାତାୟତର ସୁବିଧା କରାଯାଇଛି ।

ଆଜି ମଣିବାବାଙ୍କ ଲାଗି ଭୋର୍ ୪ଟାରେ ମଙ୍ଗଳ ଆଳତି, ୪.୩୦ ରେ କନିକା ରାଜାଙ୍କ ପହିଲି ଘର୍ଷଣ ଲାଗି, ୫ଟା ପାଳିଆ ସେବାୟତ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି, ସକାଳ ୫ଟାରୁ ରାତ୍ର ୧୧ଟା ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ୬ଟା ପ୍ରଥମ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ମଧୁସ୍ନାନ, ପଞ୍ଚ ଉପଚାର ପୂଜା, ରାତ୍ର ୧୦ ଟା ତୃତୀୟ ପ୍ରହର ଘର୍ଷଣ ଲାଗି, ଜଳାଭିଷେକ, ଦୁଗ୍ଧସ୍ନାନ, ପଞ୍ଚ ଉପଚାର ପୂଜା, ରାତ୍ର ୧୧ଟା ଚତୁର୍ଥ ପ୍ରହର ପୂଜା, ଘୃତସ୍ନାନ, ଘର୍ଷଣ ଲାଗି, ୧୦୮ କଳାସ ଜଳଲାଗି, ପଞ୍ଚ ଉପଚାର ପୂଜା, ରାତ୍ର ୧ ଟା ମଣିବାବାଙ୍କ ସୁନାବେଶ ଆରମ୍ଭ, ରାତ୍ର ୧.୩୦ ମିନିଟ୍ ସୁନାବେଶ ସଂପନ୍ନ, ସର୍ବସାଧାରଣ ଦର୍ଶନ, ରାତ୍ର ୨ଟାରେ ମହାଦୀପ ପ୍ରସ୍ତୁତି, ରାତ୍ର ୩.୧୫ ମିନିଟ୍ ମହାଦୀପ ଷୋଡଶ ଉପଚାରରେ ପୂଜା, ପ୍ରତିଷ୍ଠା, ଅଗ୍ନି ସଂଯୋଗ, ଯଜ୍ଞ, ଭୋର ୪ଟା ମହାଦୀପ ବେଢା ପରିକ୍ରମା କରିବା ପରେ ଭୋର୍ ୪.୩୦ ମିନିଟ୍‌ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିର ଚୁଡାରେ ସ୍ଥାପନ ହୋଇଥିଲା । ଏହି ମହାଦୀପକୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ନିଜ ଆଖିରେ ଦର୍ଶନ କରି ଦିବ୍ୟ କୃପା ଲାଭ କରିବା ସହ ମଣିବାବାଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.