Home ଓଡ଼ିଶା ମହାରାଷ୍ଟ୍ରରେ କାଲି ହେବ ଫ୍ଲୋର ଟେଷ୍ଟ – ସୁପ୍ରିମ୍ କୋର୍ଟ

ମହାରାଷ୍ଟ୍ରରେ କାଲି ହେବ ଫ୍ଲୋର ଟେଷ୍ଟ – ସୁପ୍ରିମ୍ କୋର୍ଟ

494

ନୂଆ ଦିଲ୍ଲୀ ୨୫-୧୧ (ଓଡ଼ିଆ ପୁଅ) ମହାରାଷ୍ଟ୍ର ମାମଲାରେ ସୁପ୍ରିମ କୋର୍ଟରେ ଶୁଣାଣି ଗତକାଲି ଶେଷ ହେବାପରେ ରାୟ ସଂରକ୍ଷିତ ରଖାଯାଇଥିଲା। ତେବେ ଆଜି ସୁପ୍ରିମ କୋର୍ଟ ଏହି ମାମଲାରେ ରାୟ ଦେଇ କହିଛନ୍ତିଯେ, ଆସନ୍ତାକାଲି ସନ୍ଧ୍ୟା ୫ ଟା ପୂର୍ବରୁ ହେବ ବହୁମତ ପରୀକ୍ଷା। ବହୁମତ ପରୀକ୍ଷାର ହେବ ସିଧା ପ୍ରସାରଣ। ପ୍ରଥମେ ବିଧାୟକ ଶପଥ ନେବା ପରେ ହେବ ବହୁମତ ପରୀକ୍ଷା। ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ ବିଧାୟକମାନଙ୍କର ଓପନ୍‌ ବାଲଟରେ ଆସ୍ଥା ଭୋଟ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଲେ। ସୁପ୍ରିମ୍‌କୋର୍ଟରେ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନର ବିଚାର କରି ବିଚାରପତି ଏନ୍‌.ଓ୍ବି. ରମନା, ଅଶୋକ ଭୂଷଣ ଏବଂ ସଞ୍ଜିବ୍‌ ଖାନ୍ନାଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ସୂଚନାଯୋଗ୍ୟଯେ, ମହାରାଷ୍ଟ୍ର ମାମଲାରେ ସୁପ୍ରିମ କୋର୍ଟରେ ଗତକାଲି ଶୁଣାଣି ଶେଷ ହୋଇଥିଲା। ମହାରାଷ୍ଟରେ ରାଜ୍ୟପାଳ ବିଜେପିକୁ ସରକାର ଗଠନ କରିବାର ସୁଯୋଗ ଦେବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ରୁଜୁ ହୋଇଥିବା ମାମଲାର ଗତକାଲି ୩ ଜଣିଆ ଖଣ୍ଡପିଠରେ ଶୁଣାଣି ହୋଇଥିଲା। ଗଠିତ ଖଣ୍ଡପିଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଥିଲେ। ଗତକାଲି ସକାଳ ସୁଦ୍ଧା ସମର୍ଥନ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ, ଦିଆଯାଇଥିଲା। ଗତକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପରବର୍ତ୍ତୀ ଶୁଣାଣି ଆରମ୍ଭ ହୋଇଥିଲା। ସୁପ୍ରିମ୍ କୋର୍ଟର ୩ ଜଣିଆ ଖଣ୍ଡପୀଠ ସମସ୍ତ ପକ୍ଷର କଥା ଶୁଣିବାପରେ ଆଜି ରାୟ ଦେଇଛନ୍ତି।

ପୁନଶ୍ଚ କୁହାଯାଇପାରେଯେ, ଶିବସେନା, ଏନସିପି ଏବଂ କଂଗ୍ରେସ ମୁମ୍ବାଇର ଏକ ପାଞ୍ଚ ତାରକା ହୋଟଲରେ ସୋମବାରଦିନ ସଂଧ୍ୟାରେ ତାଙ୍କର ୧୬୨ ବିଧାୟକଙ୍କର ‘ପ୍ୟାରେଡ କରାଇଥିଲେ। ଶିବସେନାର ନେତା ସଂଜୟ ରାଉତ ଟ୍ଵୀଟ କରି ରାଜ୍ୟର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଅପିଲକରିଛନ୍ତି କି ତିନି ଦଳର ବିଧାୟକମାନଙ୍କୁ ପ୍ୟାରେଡ୍ କରିବା ସମୟରେ ଦେଖନ୍ତୁ। ରାଉତ ରାଜ୍ୟପାଳଙ୍କର ଆଧିକାରିକ ଟ୍ଵିଟର ହ୍ୟାଣ୍ଡେଲକୁ ଟ୍ୟାଗ କରି ଲେଖିଛନ୍ତି, ”ଆମେ ସବୁ ଏକ ଅଛୁ ଏବଂ ଆମ ସାଥିରେ ଅଛନ୍ତି ୧୬୨ ବିଧାୟକ। ପ୍ରଥମ ଥର ସଂଧ୍ୟାରେ ସାତଟା ବେଳେ ଗ୍ରାଣ୍ଡ ହ୍ୟାତ ହୋଟେଲରେ ଦେଖନ୍ତୁ। ମହାରାଷ୍ଟ୍ରର ରାଜ୍ୟପାଳ ନିଜେ ଆସନ୍ତୁ ଏବଂ ଦେଖନ୍ତୁ।

ଗତକାଲି କୋର୍ଟ ରୁମରେ ସଲିସିଟର ଜେନେରାଲ ତୁଷାର ମେହତା ପ୍ରଥମେ କହିଥିଲେଯେ, ମୋ ପାଖରେ ଅରିଜିନାଲ୍ ଡକ୍ୟୁମେଣ୍ଟ ଅଛି। ଶିବସେନା ତରଫରୁ କପିଲ ସିବ୍ବଲ ପକ୍ଷ ରଖି ଥିଲେ। ଅଭିଷେକ ମନୁ ସିଂଘବୀ କଂଗ୍ରେସ ଏନସିପି ଙ୍କର ତରଫରୁ ପକ୍ଷ ରଖିଥିଲେ। ଅପର ପକ୍ଷରେ ମହାରାଷ୍ଟ୍ର ବିଜେପି ତରଫରୁ ମୁକୁଲ ରୋହତଗୀ ଉପସ୍ଥିତ ଥିଲେ। ଏନସିପି-କଂଗ୍ରେସ ପାଇଁ ପକ୍ଷ ରଖିଥିବା ଅଭିଶେକ ମନୁ ସିଂଘବୀ କହିଲେ ମୁଁ ଆଜି ଫ୍ଲୋର ଟେଷ୍ଟ ରେ ହାରିଲେ ଖୁସି ହେବି, କିନ୍ତୁ ସେମାନେ (ଭାଜପା ଗଠବନ୍ଧନ) ଫ୍ଲୋର ଟେଷ୍ଟ କାହିଁକି ଚାହୁଁ ଚାହାଁନ୍ତି। ଏହି ମାମଲାରେ ଅଭିଷେକ ମନୁ ସିଂଘବୀ କହିଲେଯେ, ବିଜେପି ପାଖରେ ଯଦି ବହୁମତ ଅଛି ତେବେ ଚିନ୍ତିତ କାହିଁକି। ଏନସିପି ଏବଂ କଂଗ୍ରେସ ଙ୍କର ତରଫରୁ ପକ୍ଷ ରଖି ଅଭିଷେକ ମନୁ ସିଂଘବୀ କହିଲେ କି ଯେତେବେଳେ ଦୁଇ ପକ୍ଷ ଟେଷ୍ଟ ପାଇଁ ପ୍ରସ୍ତୁତ ତେବେ ବିଳମ୍ବ କାହିଁକି? ଲୋକତନ୍ତ୍ର ଉପରେ କରାଯାଇଛି ଧୋଖା। ସୁପ୍ରୀମ କୋର୍ଟରେ ଶିବସେନା ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବ୍ବଲ କହିଲେ ଏପରି କେଉଁ ଏମରଜିନ୍ସି ଥିଲାଯେ, ସକାଳ ୫:୧୭ ରେ ରାଷ୍ଟ୍ରପତି ଶାସନ ହଟାଗଲା ଏବଂ ସକାଳ ଆଠଟା ବେଳେ ଶପଥ ଗ୍ରହଣ କରାଗଲା। ରାଷ୍ଟ୍ରପତି ଶାସନ ସକାଳ ୫:୧୭ ରେ ହଟାଗଲା, ଏହାର ଅର୍ଥ ସବୁକିଛି ତା’ ପୂର୍ବରୁ ହିଁ ହୋଇଛି। ମହାରାଷ୍ଟ୍ର ମାମଲାରେ ଶୁଣାଣି ସୁପ୍ରୀମ କୋର୍ଟରେ ସକାଳ ୧୦:୩୦ ରୁ ଆରମ୍ଭ ହେଇଥିଲା। ମୁକୁଲ ରୋହତଗୀ ସୁପ୍ରୀମ କୋର୍ଟରେ ଅଜିତ ପାୱାରଙ୍କର ପକ୍ଷ ରଖିଥିଲେ। ସେ କହିଥିଲେ କି ତାଙ୍କ ପାଖରେ ଏନସିପିର ୫୪ ବିଧାୟକଙ୍କର ସମର୍ଥନ ଅଛି। କେନ୍ଦ୍ର ସୁପ୍ରୀମକୁ କୋର୍ଟ କହିଥିଲେ, ‘ଅଜିତ ପାୱାରଙ୍କର ପତ୍ରରେ ଏନସିପିର ୫୪ ବିଧାୟକଙ୍କର ହସ୍ତାକ୍ଷର ଅଛି। କେନ୍ଦ୍ର ତରଫରୁ ସୁପ୍ରୀମ କୋର୍ଟରେ ପକ୍ଷ ରଖାଗଲାଯେ, ମହାରାଷ୍ଟ୍ରରେ ଯେତେବେଳେ କୌଣସି ଦଳ ସରକାର ଗଠନ କରିବା ସ୍ଥିତିରେ ନଥିଲା ସେତେବେଳେ ରାଷ୍ଟ୍ରପତି ଶାସନ ଲଗାଯାଇଥିଲା।

ମହାରାଷ୍ଟ୍ରର ମହାଡ୍ରାମା : ମୂଳରୁ ଏପର୍ଯ୍ୟନ୍ତ

ଆଜି ମହାରାଷ୍ଟ୍ର ମହାବିବାଦର ରାୟ ପ୍ରକାଶ ହୋଇଛି। ରବିବାରଦିନ ଶୁଣାଣିକୁ ସ୍ଥଗିତ ରଖି ସମସ୍ତ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ରର ରାଜନୀତିରେ ଶନିବାରଦିନ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଖବରକାଗଜରେ ଛପିସାରିଥିଲା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ଉଭୟ କଂଗ୍ରେସ ଏବଂ ଏନ୍‌ସିପି ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଉଦ୍ଧବ ମଧ୍ୟ ସହମତି ପ୍ରକାଶ କରିସାରିଥିଲେ। କିନ୍ତୁ ସକାଳୁ ଶପଥ ନେଲେ ବିଜେପିର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌। ଉପମୁଖ୍ୟମନ୍ତ୍ରୀ ଭାବ ଶପଥ ନେଲେ ଏ ନାଟକରେ ନୂଆ ମୋଡ଼ ଆଣିଥିବା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର। ୩୦ ତାରିଖ ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଦେବେନ୍ଦ୍ର ଫଡବାନିସଙ୍କୁ ମହଲତ ଦେଇଛନ୍ତି ରାଜ୍ୟପାଳ। କିନ୍ତୁ ମହାରାଷ୍ଟ୍ରରେ ନାଟକୀୟ ଢଙ୍ଗରେ ନୂତନ ସରକାର ଗଠନ ହେବାପରେ ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଛି। ସୁପ୍ରିମକୋର୍ଟରେ ଶିବସେନା, କଂଗ୍ରେସ ଓ ଏନସମସ୍ତ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏନସିପି ପକ୍ଷରୁ ଦେବେନ୍ଦ୍ର ଫଡନାଭିସଙ୍କ ଶପଥ ଗ୍ରହଣ ବିରୋଧରେ ଆବେଦନ କରାଯାଇଥିଲା। ଏହି ମାମଲାରେ ଦେବେନ୍ଦ୍ର ଫଡନବିସ, ଅଜିତ୍ ପାୱାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ହୋଇଛି। ରାଜ୍ୟପାଳଙ୍କ ଆଦେଶପତ୍ର ଏବଂ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ସୋମବାର ସକାଳ ସାଢେ ୧୦ଟାରେ ଏହା ଦାଖଲ କରିବାକୁ ହେବ। ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଓ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି।

ଶିବସେନାରୁ ପକ୍ଷରୁ ଆଇନଜୀବୀ କପିଲ ଶିବଲ ପକ୍ଷ ରଖି କହିଥିଲେ, ତୁରନ୍ତ ବିଜେପିକୁ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦିଆଯାଉ। ନହେଲେ ତୁରନ୍ତ ଶିବସେନା-ଏନସିପି-କଂଗ୍ରେସକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଉ। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ନିଜ ପଦର ଦୁରୂପଯୋଗ କରିଛନ୍ତି। ଆସ୍ଥା ଭୋଟ ନେଇ ରାଜ୍ୟପାଳ ଚିଠି ଦେଇଥିବାର ପ୍ରମାଣ ନାହିଁ। ଆସ୍ଥା ଭୋଟ୍ ବିଳମ୍ୱ ହେଲେ ଘୋଡ଼ା ବେପାର ହେବାର ଆଶଙ୍କା ରହିଛି ବୋଲି ବିରୋଧୀ ପକ୍ଷ ରଖି କହିଥିଲେ। ବିନା କ୍ୟାବିନେଟ ବୈଠକରେ ରାଷ୍ଟ୍ରପତି ଶାସନ ହଟାଯାଇଛି। ସକାଳ ୫ଟା ୧୭ରେ ରାଷ୍ଟ୍ରପତି ଶାସନ ହଟିବାର ତିନି ଘଣ୍ଟା ପରେ ଫଡ଼ନାଭିସ ଏବଂ ଅଜିତ ପାଓ୍ୱାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସରକାର ଗଢ଼ିବା ପାଇଁ ବିଜେପିକୁ ଆମନ୍ତ୍ରଣ କରିବାର କୌଣସି ପ୍ରମାଣ ନାହିଁ ବୋଲି ବିରୋଧୀ ପକ୍ଷ ରଖି ଖଣ୍ଡପୀଠଙ୍କ ଆଗରେ କହିଥିଲେ।

ଇତି ମଧ୍ୟରେ ଶିବସେନା, ଏନ.ସି,ପି ଏବଂ କଂଗ୍ରେସ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମହାରାଷ୍ଟରେ ରାଜ୍ୟପାଳ ବିଜେପିକୁ ସରକାର ଗଠନ କରିବାର ସୁଯୋଗ ଦେବା ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ରୁଜୁ ହୋଇଥିବା ମାମଲାର ଆଜି ୩ ଜଣିଆ ଖଣ୍ଡପିଠରେ ଶୁଣାଣି ହୋଇଥିଲା। ଗଠିତ ଖଣ୍ଡପିଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଛନ୍ତି। କାଲି ସକାଳ ସୁଦ୍ଧା ସମର୍ଥନ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ, ଦିଆଯାଇଛି। ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଖଣ୍ଡପିଠ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ବିଜେପିର ପକ୍ଷ ରଖୁଥିବା ମୁକୁଲ ରୋହତଗୀ କହିଛନ୍ତି ଯେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବଦଳାଯାଇପାରିବ ନାହିଁ। ସୁପ୍ରିମ୍ କୋର୍ଟର ୩ ଜଣିଆ ଖଣ୍ଡପୀଠ ସମସ୍ତ ପକ୍ଷର କଥା ଶୁଣିବାପରେ କି ରାୟ ଦେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି।ସୂଚନାଯୋଗ୍ୟ, ଏହି ପିଟିସନରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବେଆଇନ ଦର୍ଶାଯିବା ସହିତ ଫଡନାଭିସଙ୍କୁ ୨୪ ଘଣ୍ଟା ଭିତରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ନିର୍ଦେଶ ଦେବାକୁ ଦାବି କରାଯାଇଥିଲା କପିଲ ଶିବଲ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ତେବେ ସମ୍ପୂର୍ଣ୍ଣ ଘଟଣା କ୍ରମ ଉପରେ ନଜର ପକାଇଲେ ଜଣାପଡ଼େଯେ.
ଅକ୍ଟୋବର ୨୪ ରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳ ବାହାରିଥିଲା। ବିଜେପି ୧୦୫ ଆସନ ପାଇଥିବା ବେଳେ ଶିବସେନା ୫୬, ଏନ୍‌ସିପି ୫୪, କଂଗ୍ରେସକୁ ୪୪ ଆସନ ମିଳିଥିଲା। ନିର୍ବାଚନ ପୂର୍ବରୁ ବିଜେପି ଶିବସେନା ସହ ଏବଂ କଂଗ୍ରେସ ଏନ୍‌ସିପି ସହ ମେଣ୍ଟ କରିଥିଲା। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ୧୪୫ ମ୍ୟାଜିକ୍‌ ନମ୍ବର ଦରକାର ଥିଲା। ବିଜେପି-ଶିବସେନା ମେଣ୍ଟ ପାଖରେ ଏହି ନମ୍ବର ଥିବାରୁ ସେମାନେ ସରକାର ଗଠନ କରିବେ ବୋଲି ଚର୍ଚ୍ଚା ହେଲା। କିନ୍ତୁ ଅକ୍ଟୋବର ୩୦ରେ ଶିବସେନାର ଫିପ୍ଟି-ଫିପ୍ଟି ଦାବି ଭିତରେ ବିଜେପି ଅସଲ ଖେଳ ଖେଳିଲା। ଦେବେନ୍ଦ୍ର ଫଡ଼୍‌ନାବିସ୍‌ଙ୍କୁ ବିଜେପିର ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଗଲା। ଫଡ୍‌ନାବିସ୍‌ଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରି ସହଯୋଗୀ ଶିବସେନାକୁ ବଡ଼ ବାର୍ତ୍ତା ଦେଲା ବିଜେପି। ଏହାକୁ ନେଇ ରାଜନୀତି ସରଗରମ ହେଲା। ନଭେମ୍ବର ୮ ରେ ବିଜେପି ଓ ଶିବସେନା ଭିତରେ ଭାଗବଣ୍ଟା ନଛିଣ୍ଡିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ୍‌ନାବିସ୍‌। ଏହାପରେ ଶିବସେନା ଓ ଏହାର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ଟାର୍ଗେଟ କଲେ ଫଡ୍‌ନାବିସ୍‌। ନୂଆ ସରକାର ଗଠନ ହେବା ଯାଏଁ ଫଡ୍‌ନାବିସ୍‌ଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ। ନଭେମ୍ବର ୯ରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଲା। ନୂଆ ସରକାର ଗଠନ ପାଇଁ ରାଜ୍ୟପାଳ ପ୍ରକ୍ରିୟା ଆରମ୍ଭ କଲେ। ମହାରାଷ୍ଟ୍ରରେ ଚଳିତ ନିର୍ବାଚନରେ ବଡ଼ ପାର୍ଟି ଭାବେ ଉଭା ହୋଇଥିବା ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରିତ କଲେ ରାଜ୍ୟପାଳ। ନଭେମ୍ବର ୧୦ରେ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ନଥିବାରୁ ବିଜେପି ସରକାର ଗଠନରୁ ଓହରି ଗଲା। ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କଲା। ଦ୍ୱିତୀୟ ବଡ଼ ଦଳ ଭାବେ ମାନ୍ୟତା ପାଇଥିବା ଶିବସେନାକୁ ଡାକିଲେ ରାଜ୍ୟପାଳ। ସରକାର ଗଠନ ପାଇଁ ପ୍ରସ୍ତାବ ଦେଲେ। ଏହାପରେ ନଭେମ୍ବର ୧୧ ତାରିଖ ଦିନ ସାରା ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଲା ଶିବସେନା। ବିରୋଧୀ ଏନ୍‌ସିପି ଏବଂ କଂଗ୍ରେସ ସହ କଥାବାର୍ତ୍ତା କଲା। ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ସମର୍ଥନ ମାଗିଲେ ଉଦ୍ଧବ। ଏହାସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଫୋନ୍‌ରେ କଥା ହେଲେ ଉଦ୍ଧବ ଠାକ୍‌ରେ। ହେଲେ କଂଗ୍ରେସ ସମର୍ଥନ ନେଇ ନିଷ୍ପତ୍ତି ନେଇ ପାରିଲା ନାହିଁ। ଶିବସେନା ରାଜ୍ୟପାଳଙ୍କୁ ଭେଟି ଆଉ ତିନି ଦିନ ସମୟ ମାଗିଲା। ରାଜ୍ୟପାଳ ଏହାକୁ ଅଗ୍ରାହ୍ୟ କରି ଏନ୍‌ସିପିକୁ ଡାକିଲେ। ନଭେମ୍ବର ୧୨ରେ ଏନ୍‌ସିପି ସମୟ ମାଗିବାରୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ସୁପାରିଶ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବସିଲା। ରାଜ୍ୟପାଳଙ୍କ ସୁପାରିଶରେ ମୋହର ମାରି ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦିଆଗଲା। ଶେଷରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁହେଲା।

ଏହାପରେ ନଭେମ୍ବର ୨୨ ରାତି ୧୧.୪୫ରେ ଅଜିତ ପାୱାର ଓ ବିଜେପି ମଧ୍ୟରେ ସରକାର ଗଠନ ପାଇଁ ଡିଲ ଫାଇନାଲ ହେଲା ରାତି ୧୧.୫୫ରେ ଫଡନାଭିସ ଦଳର ତୁଙ୍ଗ ନେତାଙ୍କ ସହ ଆଲୋଚନା କରିଥିଲେ ଏବଂ ଶପଥ ଗ୍ରହଣ ପାଇଁ ଅନୁମତି ମାଗିଲେ। ରାତି ୧୨.୩୦ରେ ରାଜ୍ୟପାଳ ଦିଲ୍ଲୀ ଗସ୍ତ ରଦ୍ଦ କରିଥିଲେ। ବିଳମ୍ବିତ ରାତି ୨.୧୦ରେ ରାଷ୍ଟ୍ରପତି ଶାସନ ଉଠାଇବା ପାଇଁ ଗୃହ ସଚିବଙ୍କୁ କୁହାଗଲା। ସାଢ଼େ ଛ’ଟା ସୁଦ୍ଧା ଶପଥ ଗ୍ରହଣ ଉତ୍ସବ ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବିଳମ୍ବିତରାତ୍ରି ୨.୩୦ ରେ ସଚିବ ହଁ ମାରିଲେ ଓ କହିଲେ ୭.୩୦ରେ ଶପଥ ଗ୍ରହଣ ହେବ। ତେବେ ସକାଳ ୫.୩୦ରେ ଅଜିତ ଓ ଫଡନାଭିସ ରାଜଭାବନରେ ପହଁଚିଲେ। ସକାଳ ୫.୪୭ରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠିଲା ଏବଂ ସକାଳ ୭.୫୦ ରାଜ୍ୟପାଳ କୋଶ୍ୟାରୀଙ୍କ ଦ୍ୱାରା ଶପଥ ପାଠ କରାଗଲା। ସକାଳ ୮.୧୦ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବଧେଇ ଜଣାଇଲେ। ସକାଳ ୮.୪୦ରେ ଫଡନାଭିସ ଓ ଅଜିତ ପାୱାର ଶପଥ ଗ୍ରହଣ କରିବା ବିଷୟ ମିଡିଆରେ ପ୍ରସାରିତ ହେଲା। ଏହାପରେ ସାଧାରଣ ଜନତା ଏହି ବିଷୟରେ ଜାଣି ଆଶ୍ଟର୍ଯ୍ୟ ହୋଇଯାଇଥିଲେ। ଏ ଘଟଣା ଭାରତ ବର୍ଷର ରାଜନୈତିକ ବିଶେଷଜ୍ଞମାନଙ୍କୁ ଦୋଲାଇଦେଇଥିଲା।

ତେବେ ଏହା ପୂର୍ବ ସମୀକରଣକୁ ଲକ୍ଷ କଲେ ଦେଖାଯାଏଯେ, ୧୯୯୫ ଫର୍ମୁଲାରେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବିଜେପି ଚାହୁଁଥିଲା। ମହାରାଷ୍ଟ୍ର ସରକାର ଗଠନକୁ ନେଇ ଶିବସେନା ଫିପ୍ଟି-ଫପ୍ଟି ଫର୍ମୁଲାରେ ଅଡ଼ି ବସିଥିଲା ବେଳେ ବିଜେପି ୧୯୯୫ ଫୁର୍ମଲା କଥା କହିଥିଲା। ହେଲେ ଶିବସେନା ଏଥିରେ ରାଜି ହୋଇନଥିଲା ଦିନ ପରେ ଦିନ ଗଡିଚାଲିଥିଲା କିନ୍ତୁ ମହାରାଷ୍ଟ୍ରରେ ଅଡୁଆ ତୁଟୁନଥିଲା। ୧୯୯୫ ଫର୍ମୁଲା ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ଭିତରେ ୧୯୯୦ରେ ମେଣ୍ଟ ହୋଇଥିଲା। ଏହି ମେଣ୍ଟ ୧୯୯୫ ନିର୍ବାଚନ ଯାଏଁ ବଳବତ୍ତର ରହିଥିଲା। ତତ୍କାଳୀନ ବିଜେପି ନେତା ପ୍ରମୋଦ ମହାଜନ ଏବଂ ଶିବସେନା ମୁଖ୍ୟ ବାଲାସାହେବ ଠାକ୍‌ରେଙ୍କ ମଧ୍ୟରେ ମେଣ୍ଟ ଗଠନ ବେଳେ ଅନେକ ସର୍ତ୍ତ ଲାଗୁ ହୋଇଥିଲା। ବିଜେପି କେନ୍ଦ୍ରରେ ଏବଂ ଶିବସେନା ମହାରାଷ୍ଟ୍ରରେ ରାଜୁତି କରିବ ବୋଲି ସେତେବେଳେ କଥା ହୋଇଥିଲା। ଏହାସହ ବିଜେପି-ଶିବସେନା ମେଣ୍ଟ ଭିତରୁ ଯେଉଁ ଦଳକୁ ଅଧିକ ଆସନ ମିଳିବ ସେହି ଦଳ ମୁଖ୍ୟମନ୍ତ୍ରୀ ଏବଂ ଯାହାକୁ କମ୍‌ ଆସନ ମିଳିବ ତାକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ସର୍ତ୍ତ ରହିଥିଲା।

୧୯୯୫ରେ ଶିବସେନା ୧୬୯ ଆସନରେ ନିର୍ବାଚନ ଲଢ଼ି ୭୩ଟି ଏବଂ ବିଜେପି ୧୧୬ ଆସନରେ ଲଢ଼ି ୬୫ଟି ଆସନରେ ବିଜୟୀ ହୋଇଥିଲା। ସର୍ତ୍ତ ଅନୁସାରେ ଶିବସେନା ଅଧିକ ଆସନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଥିଲା ଓ ବିଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ଏହାସହ ଗୃହ, ରାଜସ୍ୱ, ପୂର୍ତ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିଲା।

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୫ ଏବଂ ଶିବସେନାକୁ ୫୬ ଆସନ ମିଳିଛି। ବିଜେପି-ଶିବସେନା ମେଣ୍ଟକୁ ମହାରାଷ୍ଟ୍ରବାସୀ ସରକାର ଗଠନ କରିବାକୁ ରାୟ ଦେଇଛନ୍ତି। ହେଲେ ଅଢ଼େଇ ବର୍ଷ ପାଇଁ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରୁଥିବାରୁ ସରକାର ଗଠନ ସମ୍ଭବ ହୋଇପାରିନଥିଲା।

ବିଜେପି ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ବିଧାୟକ ଦଳ ନେତା ଚୟନ କରି ମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିବାକୁ ଅଣ୍ଟା ଭିଡିଥିବା ବେଳେ ଶିବସେନା ବାଟ ଛାଡିନଥିଲା। ଫଳରେ ମହାରାଷ୍ଟ୍ର ଗଣିତ ବିଗିଡି ଯାଇଥିଲା। ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ସମେତ ୧୪ଟି ବିଭାଗ ଦେବାକୁ ବିଜେପି ଚାହୁଁଥିବା ଥିବା ବେଳେ ଶିବସେନା ନିଜ ଜିଦ୍‌ରେ ଅଟଳ ରହିଥିଲା।

ଶିବସେନା ସହ ମିଶି ସରକାର ଗଢିବାକୁ ପ୍ରଥମେ ମନା କରିଥିଲାଲା ଏନସିପି। ବିରୋଧୀ ଦଳର ଭୂମିକା ନିଭାଇବାକୁ ସ୍ପଷ୍ଟ କରିଥିଲେ ଏନସିପି ସୁପ୍ରିମୋ ଶରଦ ପାୱାର। ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ। ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଏନସିପି ନେତା ପ୍ରଫୁଲ୍ଲ ପଟେଲ ନିଜର ପ୍ରତିକ୍ରିୟା ରଖିଥିଲେ, ସେ କହିଥିଲେଯେ, ରାଜ୍ୟର ଲୋକେ ଆମକୁ ବିରୋଧୀ ଆସନରେ ବସିବାକୁ ଭୋଟ୍ ଦେଇଛନ୍ତି। ଯଦି ପରିସ୍ଥିତି ବଦଳେ ତେବେ ଆମେ ଚିନ୍ତା କରିବୁ କଣ କରିବାକୁ ହେବ ବୋଲି କହିଥିଲେ।

ଶିବସେନାର ଅଢ଼େଇ ବର୍ଷିଆ ମୁଖ୍ୟମନ୍ତ୍ରୀ ଦାବି ପ୍ରସଙ୍ଗକୁ ବିଜେପି ଖଣ୍ଡନ କରିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ଦମ୍ଭୋକ୍ତି ପ୍ରକାଶ କରି କହିଥିଲେଯେ, ଚଳିବନି ୫୦-୫୦ ଫର୍ମୁଲା, ପୂରା ୫ ବର୍ଷ ମୁଁ ମୁଖ୍ୟମନ୍ତ୍ରୀ ରହିବି।

ମହାରାଷ୍ଟ୍ର ରାଜନୈତିକ ସଂକଟକୁ ସମାଧାନ କରିବା ପାଇଁ କେନ୍ଦ୍ରୀୟମନ୍ତ୍ରୀ ତଥା ଭାଜପା ନେତା ନିତିନ୍ ଗଡ଼କରୀ, ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କିଛି ସମାଧାନ ହୋଇନଥିଲା।

କିନ୍ତୁ ଗତକାଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଟ୍ୱିଟ୍ ସସ୍ପେନ୍ସ ବଢ଼ାଇ ଦେଇଛି। ସେ ତାଙ୍କ ଟ୍ୱିଟ୍ ରେ ଜଣାଇଛନ୍ତିଯେ, ୫ ବର୍ଷ ଯାଏଁ ମହାରାଷ୍ଟ୍ରରେ ସ୍ଥିରସରକାର ଦେବ ବିଜେପି-ଏନସିପି ମେଣ୍ଟ। ଏବେ ବି ମୁଁ ଏନସିପିରେ ଅଛି, ଆଗକୁ ରହିବି। ଶରଦ ପାୱାର ଏନସିପି ନେତା। ଲୋକଙ୍କ କଲ୍ୟାଣ ଓ ରାଜ୍ୟର ଉନ୍ନତି ପାଇଁ ସରକାର କାମ କରିବ। ଅବଶ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛାର ଧନ୍ୟବାଦ ଜଣାଇ ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର୍ ଏପରି ଲେଖିଥିଲେ।

ମହାରାଷ୍ଟ୍ର ରାଜନୀତିରେ ଉଠାପକା ମଧ୍ୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବିଧାୟକ ଦଳ ବୈଠକ ହୋଇଥିଲା। କୁହାଯାଉଛିକି ଏନ୍‌ସିପିର ୫୪ ବିଧାୟକଙ୍କ ମଧ୍ୟରୁ ୪୮ ବିଧାୟକ ବୈଠକରେ ଭାଗ ନେଇଥିଲେ। ପ୍ରଥମେ ଖବର ମିଳିଥିଲା ୯ ଅଯୋଗ୍ୟ ବିଧାୟକ ଦିଲ୍ଲୀ ଯାଉଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇଜଣ ଶରଦ୍‌ ପାୱାରଙ୍କ ବୈଠକକୁ ଫେରିଛନ୍ତି। ଏହାପରେ ୭ ବିଧାୟକ ପ୍ରାଇଭେଟ୍‌ ଚାଟାର୍ଡ ପ୍ଲେନ୍‌ରେ ଦିଲ୍ଲୀ ଯିବା ଖବର ମିଳିଥିଲା। ତେବେ ଧନଞ୍ଜୟ ମୁଣ୍ଡେ, ଯିଏକି ସକାଳେ ଅଜିତଙ୍କ ସହ ଥିଲେ ସେ’ବି ପାୱାରଙ୍କ ବୈଠକକୁ ଫେରିଥିଲେ ତାଳି ବଜାଯାଇ ତାଙ୍କର ସ୍ୱାଗତ କରାଯାଇଥିଲା। ତେଣୁ ତାଙ୍କ ଉପରେ ଦଳବଦଳ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଅତି ନାଟକୀୟ ଢଙ୍ଗରେ ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ନେତା ଫଡ୍‌ନାଭିସଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି। କାରଣ ଏନ୍‌ସିପିର ଯେଉଁ ୫୪ ଜଣ ବିଧାୟକଙ୍କ ସମର୍ଥନ ଥିବାର ସେ ଦାବି କରିଥିଲେ ସେଥିମଧ୍ୟରୁ ୫୦ ଜଣ ସ୍ପଷ୍ଟ କରିଦେଇଛନ୍ତି ଯେ ସେମାନେ ଶରଦ ପାୱାରଙ୍କ ସହିତ ଅଛନ୍ତି ବୋଲି ଏନସିପି ନେତା କହିଥିଲେ।

ଏବେ ବିରୋଧୀମାନେ ବିନା କ୍ୟାବିନେଟ୍‌ ଅନୁମୋଦନରେ ରାଷ୍ଟ୍ରପତି ଶାସନ ଉଠିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି। ତେବେ ଆଇନଜ୍ଞମାନେ ଏନେଇ ସରକାରୀ ନିୟମାବଳୀରେ ବ୍ୟବସ୍ଥା ଥିବା କହିଛନ୍ତି। ଗଭର୍ଣ୍ଣମେଣ୍ଟ ଅଫ୍‌ ଇଣ୍ଡିଆ (ଟ୍ରାନଜାକ୍ସନ୍‌ ଅଫ ବିଜନେସ୍‌) ରୁଲ୍ସ ୧୯୬୧ର ଧାରା ୧୨ ଅନୁସାରେ କେତେକ ବିଶେଷ ପରିସ୍ଥିତିରେ ଆବଶ୍ୟକତା ଅନୁସାରେ ପ୍ରଧାନମନ୍ତ୍ରୀ ବିନା କ୍ୟାବିନେଟ ଅନୁମୋଦନରେ ନିଷ୍ପତ୍ତି ନେଇପାରିବେ। ଏହି ନିୟମକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଉପରୋକ୍ତ ନିର୍ଦ୍ଦେଶନାମା ଜାରିକରିବା କୁହାଯାଉଛି।

ଶନିବାରଦିନ ମହାରାଷ୍ଟ୍ରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପରେ ବିଜେପି, ଶିବସେନା ନେତା ସଂଜୟ ରାଉତଙ୍କ ଉପରେ ଟିପ୍ପଣୀ ଦେଇ କହିଛିଯେ, ସେ ଶିବସେନାକୁ ବରବାଦ କରିଦେଇଛନ୍ତି ଏବେ ଚୁପ୍ ହୋଇଯାଆନ୍ତୁ। ମହାରାଷ୍ଟ୍ରରେ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଲେ କି ମତଦାତାମାନେ ବିଜେପି ଶିବସେନା ଗଠବନ୍ଧନକୁ ଜନାଦେଶ ଦେଇଛନ୍ତି। ଆମକୁ ୧୬୧ ବିଧାୟକ ମିଳିଥିଲେ। କିନ୍ତୁ ଶିବସେନା ଜନାଦେଶର ଅପମାନ କରିଛି। ଶିବସେନା ନିଜର ପ୍ରଥମ ପ୍ରେସ କନ୍ଫ୍ରେଂସରୁ ହିଁ ବିକଳ୍ପର କଥା କହୁଛି।

ଏହା ପୂର୍ବରୁ ଏହି ନୂଆ ରାଜନୈତିକ ଘଟଣାକ୍ରମ ଉପରେ ଶିବସେନା ନେତା ସଂଜୟ ରାଉତ ପ୍ରେସ କନ୍ଫ୍ରେସ କରି କହିଛନ୍ତି, ‘ଅଜିତ ପାୱାର ତାଙ୍କ ପିଠିରେ ଛୁରି ମାରିଛନ୍ତି” ସଂଜୟ କହିଛନ୍ତି, ” ମହାଶୟ! ୯ ବେଳ ପର୍ଯ୍ୟନ୍ତ ଆମ ସହିତ ବସିଥିଲେ। ସେହି ସମୟରେ ଆମକୁ ତାଙ୍କର ବଡ଼ି ଲାଙ୍ଗୁଏଜ୍ ଅଲଗା ଲାଗୁଥିଲା। ଆଖି ମିଳାଇ ପାରୁନଥିଲେ ଏବଂ ଅଚାନକ କୁଆଡ଼େ ଚାଲିଯାଇଥିଲେ। ତାଙ୍କର ଫୋନ ମଧ୍ୟ ସ୍ଵିଚ ଅଫ ହୋଇଯାଇଥିଲା। ସଂଜୟ ରାଉତ ପୁଣି କହିଛନ୍ତିୟେ, ବିଜେପି ରାଜଭବନର ଦୁରୁପୋଯୋଗ କରିଛି ଏବଂ ଯେଉଁପରି ଭାବରେ ରାତି ଅଧିଆ ସରକାର ଗଠନ କରାଯାଇଛି ତାହା ପାପ ଅଟେ। ସେ କହିଛନ୍ତିଯେ, ଅଜିତ ପାୱାର ମହାରାଷ୍ଟ୍ରର ଜନତା ଏବଂ ଛତ୍ରପତି ଶିବାଜୀଙ୍କର ମୂଲ୍ୟର ଅନାଦର କରିଛନ୍ତି। ତା’ ପରେ ସଂଜୟ ରାଉତ ଏକ ଟ୍ଵିଟ ମଧ୍ୟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, ‘ପାପର ସୌଦାଗର’।

ଅପର ପଟରେ ଏନସିପି ପ୍ରମୁଖ ଶରଦ ପାୱାର କହିଛନ୍ତି କି ବିଜେପି ସହିତ ସରକାର ଗଠନ କରିବା ପାଇଁ ନିଷ୍ପତି ଅଜିତ ପାୱାରଙ୍କର ନିଜସ୍ୱ ଅଟେ। ଏହା ଏନସିପିର ନିଷ୍ପତି ନୁହେଁ ଏବଂ ସେ ଅଜିତ ପାୱାରଙ୍କର ନିଷ୍ପତିର ସମର୍ଥନ କରୁନାହାଁନ୍ତି। ଗଣ ମାଧ୍ୟମରୁ ଆସିଥିବା ଶରଦ ପାୱାରଙ୍କର ଏହି ବୟାନ ପରେ ଏବେ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛିଯେ,
କ’ଣ ଏନସିପିରେ ଫାଟ ହୋଇଛି?
ନାଁ ଶରଦ ପାୱାରଙ୍କର କୌଣସି ରାଜନୈତିକ ଖେଳ ଏଥିରେ ଅଛି?
ନାଁ ଅଜିତ୍ ପାୱାରଙ୍କୁ ଅର୍ଥ ଲୋଭ କିମ୍ବା ଭୟ ଦେଖାଇ ନିଜ ଆଡ଼କୁ ଟାଣି ନିଆଯାଇଛି?
ଯଦି ଏମିତି ହୋଇଛି ତେବେ କ’ଣ ଏତେ ବିଧାୟକ ଅଜିତ ପାୱାରଙ୍କ ସହିତ ଅଛନ୍ତି ଯେ, ତାଙ୍କର ସମର୍ଥନରେ ବିଜେପି ସରକାର ଗଠନ କରିପାରିବ?

ମହାରାଷ୍ଟ୍ରରେ ଶନିବାରଦିନ ସକାଳେ ନାଟକୀୟ ଘଟଣାକ୍ରମ ଯେଉଁପରି ଭାବରେ ନୂଆ ସରକାର ଗଠନ ପାଇଁ ହୋଇଥିଲା ତାହା ଏନସିପିକୁ ଦୋହଲାଇ ଦେଇଥିଲା ଏପରିକି କାହାରିକୁ ବିଶ୍ୱାସ ହେଉନଥିଲାଯେ, ଏପରି କିଛି ହୋଇଯିବ ବୋଲି। ଅଜିତ ପାୱାରଙ୍କର ସମର୍ଥନରେ ଗଠିତ ନୂଆ ସରକାରକୁ ନେଇକରି ଏନସିପିରେ ଫାଟ ସୃଷ୍ଟି ହୋଇଛି। ସୂତ୍ରରୁ ଜଣାପଡ଼ିଛିଯେ, ଆଜି ସଂଧ୍ୟାରେ ହେବାକୁଥିବା ବିଧାୟକ ଦଳର ବୈଠକରେ ଅଜିତ ପାୱାରଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଯାଇପାରେ।

କୁହାଯାଇପାରେଯେ, ଏନସିପି ଚିଫ ଶରଦ ପାୱାର ବିଧାୟକ ଦଳର ଏହା ବୈଠକ ଡକାଇଥିଲେ। ଅବଶ୍ୟ ଏହି ବୈଠକରେ କେତେ ବିଧାୟକ ଭାଗ ନେଇଥିଲେ ତାହାହା ସ୍ପଷ୍ଟ ନୁହେଁ। କିନ୍ତୁ ସୂତ୍ରରୁ ଜଣାପଡ଼େଯେ, ପ୍ରାୟ ୪୫ରୁ ଅଧିକ ବିଧାୟକ ଏହି ବୈଠକରେ ଭାଗନେଇଥିଲେ। ଏନ୍ସିପି ବିଧାୟକ ଦଳ ବୈଠକରେ ଅଜିତ୍ ପାୱାରଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଇଛି।

ତେବେ ମହାରାଷ୍ଟ୍ରରେ ଅବଶ୍ୟ ପୁଣି ଥରେ ବିଜେପିର ସରକାର ବନିଛି। କିନ୍ତୁ ଏହି ସରକାର କିପରି ଗଠନ ହେବ ତାହା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସସ୍ପେଂସ ରହିଛି। ବିଜେପି କିଛି ବଡ଼ କରିବାକୁ ଯାଉଥିବାର ଖବର ପୂର୍ବରୁ ଗଣମାଧ୍ୟମ ସୂତ୍ରରୁ ମିଳିଥିଲା। ଏହି କଥାର ସନ୍ଦେହ ସେତେବେଳେ କରାଯାଉଥିଲା ଯେତେବେଳେ ଅଚାନକ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ନିଜର ଦିଲ୍ଲୀ ଗସ୍ତ ରଦ୍ଦ କରି ଦେଇଥିଲେ। ରାଜନୀତିର ବିଶେଷଜ୍ଞମାନଙ୍କୁ ଏହି କଥା ଠିକରେ ବୁଝା ପଡ଼ୁନଥିଲାଯେ, ଶିବସେନାକୁ ସରକାର ଗଠନ କରିବା ପାଇଁ ୩ ଦିନର ସମୟ ନ ବଢ଼ାଇଥିବା ରାଜ୍ୟପାଳ ଉଦ୍ଧବ ଠାକରେଙ୍କର ଅପେକ୍ଷାରେ ନିଜର ଦିଲ୍ଲୀ ଗସ୍ତ କିପରି ରଦ୍ଦ କରିଦେଲେ। ଅବଶ୍ୟ ଆଜି ସକାଳେ ଦେବେନ୍ଦ୍ର ଫଡଣବୀସ ଶପଥ ନେବାପରେ ଏହା ସ୍ପଷ୍ଟ ହୋଇଯାଇଥିଲାଯେ, ରାଜ୍ୟପାଳ ନିଜର ଦିଲ୍ଲୀ ଗସ୍ତ କ’ଣ ପାଇଁ ରଦ୍ଦ କରିଥିଲେ।

ଏହି ସରକାର ଗଠନରେ ସବୁଠାରୁ ବିଶେଷତ୍ୱ ଥିଲାଯେ, ଯେଉଁ ବିଜେପି ନେତାମାନେ ଦେଶରେ ସରକାର ଗଠନ କରିବା ଉଦ୍ଦେଶ୍ୟରେ ବନାଇବା ପାଇଁ ସକ୍ରିୟ ହୋଇଥାନ୍ତି କିମ୍ବା ସକ୍ରିୟ ଭୂମିକା ନିର୍ବାହ କରିଥାନ୍ତି ସେମାନଙ୍କୁ ଏହି ସରକାର ଗଠନ ପ୍ରକ୍ରିୟାରୁ ଦୂରରେ ରଖାଗଲା। ବିଜେପି ତରଫରୁ ପାର୍ଟୀ ଅଧ୍ୟକ୍ଷ ଅମିତ ଶାହ ଏନସିପି ନେତାମାନଙ୍କମଧ୍ୟରେ କୌଣସି ବୈଠକ ହୋଇନଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ମଧ୍ୟ ବୈଠକରୁ ଦୂରରେ ରହିଥିଲେ। ଏପରିକି ଏନସିପି ନେତା ଅଜିତ ପାୱାର ମଧ୍ୟ ବିଜେପି ସହିତ ସରକାର ଗଠନର ବୈଠକରୁ ଦୂରରେ ଥିଲେ। ଏହି ସମସ୍ତ ନେତାମାନଙ୍କର କାର୍ଯ୍ୟକଳାପ ଦେଖିବାକୁ ଗଲେ ଏହା ସ୍ପଷ୍ଟଯେ, ସରକାର ଗଠନର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଦୁଇ ଦଳ ମିଡ଼ିଆ ଏବଂ କଂଗ୍ରେସ-ଶିବସେନା ଧ୍ୟାନ ଅନ୍ୟ ପଟେ ରଖିଥିଲେ। ଯେତେବେଳ ପର୍ଯ୍ୟନ୍ତ ସରକାର ଗଠନ ପାଇଁ ରୋଡମ୍ୟାପ ସମ୍ପୂର୍ଣ୍ଣ ଭାବରେ ଫାଇନାଲ୍ ହୋଇନଥିଲା ସେତେବେଳ ପର୍ଯ୍ୟନ୍ତ ଏହାର କାହାକୁ ଯେପରି ଏହାର ସନ୍ଦେହ ନ ହେବ ସେତେବେଳ ପର୍ଯ୍ୟନ୍ତ ଏହା ସମସ୍ତଙ୍କୁ ଗୁପ୍ତ ରଖାଯାଇଥିଲା। ଦଳର ସମସ୍ତ ସଦସ୍ୟମାନଙ୍କୁ ଜଣାନଥିଲା କାରଣ ଦୁଇ ଦଳ ମଧ୍ୟରେ କୌଣସି କଥା ଆଗକୁ ଯାଇଥିଲା ହୁଏତ ଏହି ଅପରେସନ ବିଫଳ ହୋଇଥାନ୍ତା।

ସୂତ୍ରରୁ ଜଣାପଡ଼େଯେ, ଯେଉଁଠାରେ ଏନସିପି ଶିବସେନା ସହିତ ଲଗତାର ସରକାର ଗଠନ କରିବା ପାଇଁ ଚେଷ୍ଟା କରୁଥିଲା ଅପରପଟେ ଅଜିତ ପାୱାର କ୍ରମାଗତଭାବେ ଶରଦ ପାୱାରଙ୍କ ଉପରେ ବିଜେପିକୁ ସମର୍ଥନ ଦେବାପାଇଁ ଚାପ ପକାଉଥିଲେ। ଏପରିକି ୨୨ ନଭେମ୍ବର ରାତିରେ ଅଜିତ ପାୱାରଙ୍କୁ ଲାଗିଲା କି ଶରଦ ପାୱାର ବିଜେପି ସହିତ ଯିବାକୁ ପ୍ରସ୍ତୁତ ନୁହେଁ ଏବଂ ଶିବସେନା-ଏନସିପି ଏବଂ କଂଗ୍ରେସର ସରକାର ବନିବ । ତା’ ପରେ ତୁରନ୍ତ ଅଜିତ ପାୱାର ପାର୍ଟୀ ଭାଙ୍ଗିବା ପାଇଁ ନିଷ୍ପତି ନେଇଥିଲେ। ପୁନଶ୍ଚ ସୂତ୍ରରୁ ଜଣା ପଡ଼ିଛିଯେ, ବିଜେପିରେ ଗଠବନ୍ଧନ ଉପରେ ଏନସିପିରେ ଫାଟ ହୋଇଛି ଏବଂ ୨୫ ରୁ ୩୦ ବିଧାୟକ ଅଜିତ ପାୱାରଙ୍କ ସହିତ ଥିବା ଜଣାପଡ଼ିଛି। ଏପରିକି ଲୋକସଭା ନିର୍ବାଚନରେ ମଧ୍ୟ ଅଜିତ ଏବଂ ଶରଦ ପାୱାରଙ୍କ ମଧ୍ୟରେ ମତଭେଦର ଖବର ସାମନାକୁ ଆସିଥିଲା। ଏପରିକି ଏନସିପିରେ ଶରଦ ପାୱାରଙ୍କର ଉତ୍ତରାଧିକାରୀକୁ ନେଇକରି ପୂର୍ବରୁ ମଧ୍ୟ ସୁପ୍ରିୟା ସୁଲେ ଏବଂ ଅଜିତ ପାୱାରଙ୍କ ମଧ୍ୟରେ ଟଣା ଓଟରା ଚାଲିଥିଲା ବୋଲି ଲୋକସଭା ନିର୍ବାଚନ ସମୟରେ ଏହା ସାମନାକୁ ଆସିଥିଲା। ସେହି ସମୟରେ ଅଜିତ ପାୱାରଙ୍କର ପୁଅ ପାର୍ଥକୁ ଟିକଟ ଦେବା ମାମଲାରେ ମଧ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କର ମଧ୍ୟରେ ମତଭେଦର ଖବର ସାମନାକୁ ଆସିଥିଲା। ସେହି ସମୟରେ ପାର୍ଥର ନିର୍ବାଚନ ଲଢ଼ିବାକୁ ନେଇ ଶରଦ ପାୱାର କଡ଼ା ଆଭିମୁଖ୍ୟକୁ ନେଇ ତାଙ୍କର ଟିକଟ କାଟିଦେଇଥିଲେ।

ତେବେମହାରାଷ୍ଟ୍ରରେ ଏପରି ରାତି ଅଧିଆ ବଡ଼ ପରିବର୍ତ୍ତନ ପରେ ଜୁନିୟର ପାୱାରଙ୍କର ଏହି ନିଷ୍ପତ୍ତି ତାଙ୍କର ମହତ୍ଵାକାଂକ୍ଷା କିମ୍ବା ଅଜ୍ଞାତ ଭୟ ବୋଲି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏହା ମଧ୍ୟ ଲୋକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛିଯେ, ଦୁଇ ଦିନ ପୂର୍ବରୁ ସଂସଦରେ ଶରଦ ପାୱାରଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ। ସେହି ସମୟରେ ମଧ୍ୟ ସରକାର ଗଠନ ଉପରେ ସସ୍ପେନ୍ସ ଏବଂ ବିଭିନ୍ନ ଅଟକଳ ଲଗାଯାଉଥିଲା।

ତେବେ ବର୍ତ୍ତମାନର ରାଜନୈତିକ ଆକଳନରୁ କୁହାଯାଉଛିଯେ, ଅଜିତ ପାୱାର ନିଜର ଭବିଷ୍ୟତର ରାଜନୀତିକୁ ଧ୍ୟାନରେ ରଖିକରି ଏପରି ନିଷ୍ପତି ନେଇଛନ୍ତି। ଭାରତୀୟ ଜନତା ପାର୍ଟି ସରକାର ସମୟରେ ସେ ଯେଉଁପରି ଭାବରେ ବିବାଦ ଘେରରେ ଥିଲେ ସେଥିରେ ତାଙ୍କଉପରେ ଭ୍ରଷ୍ଟାଚାରର ବଡ଼ ଡର ରହିଥିଲା। ତେଣୁ କୁହାଯାଉଛି ଅଜିତ ପାୱାରଙ୍କର ଅଜ୍ଞାତ ଭୟ ବିଜେପିର କାମକୁ ସହଜ କରିଦେଇଛି। ଜୁନିୟର ପାୱାରଙ୍କୁ ଲାଗିଲା ଯଦି ଶିବସେନା ସହିତ ସରକାର ବନେ ତେବେ ଭାରତୀୟ ଜନତା ପାର୍ଟି ସହିତ ତାଙ୍କର ଭବିଷ୍ୟତର ରାଜନୀତି କ’ଣ ହେବ? ଯଦି ସେ କୌଣସି ଭ୍ରଷ୍ଟାଚାର ସମ୍ବନ୍ଧିତ ଘଟଣାରେ ଛନ୍ଦି ହେବେ ତେବେ ତାଙ୍କୁ ଶିବସେନା ସହିତ ସରକାର ଗଠନ ପରେ ମଧ୍ୟ ଅସୁବିଧା ହୋଇପାରେ। କିଛି ବିଶେଷଜ୍ଞମାନଙ୍କ ମତରେ ତାଙ୍କୁ ବିଭିନ୍ନ ଏଜେଂସିଗୁଡ଼ିକର ମଧ୍ୟ ଡର ଥିଲା। ଏହା ବ୍ୟତୀତ ଶିବସେନା ସାଥିରେ ଉପ ମୁଖ୍ୟମନ୍ତ୍ରୀ ବନିବା ପରେ ମଧ୍ୟ ଇସ୍ତଫା ଦେବାର ଚାପ ପଡ଼ିପାରେ ବୋଲି ଡର ଥିଲା।
(ବିଭିନ୍ନ ଗଣ ମାଧ୍ୟମ ରିପୋର୍ଟରୁ ସଂକଳିତ)

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.