Home ଜିଲ୍ଲା ପରିକ୍ରମା ମହାମାରୀ କରୋନାର କରୁଣ ଚିତ୍ର : ଜୀବନ-ଜୀବିକା ପାଇଁ କିନ୍ନର ଏବେ ଆପଣାଇଛନ୍ତି ଭିକ୍ଷାବୃତ୍ତିକୁ

ମହାମାରୀ କରୋନାର କରୁଣ ଚିତ୍ର : ଜୀବନ-ଜୀବିକା ପାଇଁ କିନ୍ନର ଏବେ ଆପଣାଇଛନ୍ତି ଭିକ୍ଷାବୃତ୍ତିକୁ

164

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ଏବେ ଭଦ୍ରକ ଜିଲାର କିନ୍ନରମାନଙ୍କୁ ଭିକ୍ଷାଥାଳ ଧରାଇ ରାଜରାସ୍ତାକୁ ଛାଡିଦେଇଛି । କାହିଁକି ନା କରୋନା ଯୋଗୁଁ ଏବେ ସେମାନଙ୍କର ମୁଖ୍ୟ ଜୀବିକାର ମାଧ୍ୟମ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇନଥିବାରୁ, ସେମାନେ ଭୋକ ଓପାସରେ କାଳ କାଟୁଛନ୍ତି ବୋଲି ଆଜି ଭଦ୍ରକର କଚେରୀ ବଜାରରେ ହାତପାତି ଭିକ୍ଷା ମାଗୁଥିବା ଚରମ୍ପାସ୍ଥିତ ଅର୍ଦ୍ଧନାରୀଶ୍ୱର କିନ୍ନର ମହାସଂଘର ସଂପାଦିକା ସୀମା ଏ ପ୍ରତିନିଧିକୁ କହିଛନ୍ତି । ସୀମାଙ୍କ କହିବାନୁସାରେ ଭଦ୍ରକ ଜିଲାରେ ଏବେ ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ କିନ୍ନର ରହିଆସୁଥିବାବେଳେ ଭଦ୍ରକ ଚରମ୍ପା ରେଳଷ୍ଟେସନ ନିକଟ ବସ୍ତିମାନଙ୍କରେ ପ୍ରାୟ ୩୫ ରୁ ଉର୍ଦ୍ଧ୍ୱ କିନ୍ନର ଭଡାନେଇ ମୁଣ୍ଡ ଗୁଂଜିଛନ୍ତି । ସେମାନେ ରେଳ ଯୋଗେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିବା ମଧ୍ୟରେ ନିଜର ଜୀବିକା ନିର୍ବାହ କରିଥାନ୍ତି । ମାତ୍ର ଏବେ ଟ୍ରେନ୍ ଚଳାଚଳ ଠପ୍ ହୋଇଯିବାରୁ ଅନ୍ନ ଚିନ୍ତା ଛାଡ, ସେମାନେ ଘରଭଡା ମଧ୍ୟ ଦେଇପାରୁନାହାଁନ୍ତି । ଫଳରେ ଘର ମାଲିକ ଘରୁ ବାହାର କରିଦେବାକୁ ତାଗିଦ କରିବାରୁ ସେମାନେ ଏବେ ବଂଚିବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି କରୋନା କାରଣରୁ ଅର୍ଦ୍ଧନାରୀଶ୍ୱର କିନ୍ନର ମହାସଂଘର ସଭାପତି ସୋନାଲି ଏବେ ନିଜ ଘର କେନ୍ଦ୍ରାପଡାକୁ ଚାଲିଯାଇଥିବାବେଳେ ସଂପାଦିକା ସୀମା ନିଜର ସହକର୍ମୀ ମାନିନୀ, ରିୟାଙ୍କୁ ଧରି ଏବେ ହାତପାତି ଭିକ୍ଷା ମାଗିବାକୁ ବାଧ୍ୟ ହୋଇଛି । ଏମାନଙ୍କର ଅଭିଯୋଗ ମୂଳେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୂଳେ ସେମାନଙ୍କୁ ରେସନ କାର୍ଡ ଠାରୁ ଆରମ୍ଭ କରି ସମସ୍ତ ସୁବିଧା ସୁଯୋଗ ଦେବାର ଘୋଷଣା କରିଥିବାବେଳେ ସେମାନଙ୍କୁ ସେଥିରୁ ବଂଚିତ କରାଯାଇଛି । ସେମାନେ ନିର୍ବାଚନ ସମୟରେ ଭୋଟ ଦେଉଥିଲେ ମଧ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ସରକାରଙ୍କ ମାଗଣା ଚାଉଳ କଥା ଛାଡ ରେସନ କାର୍ଡଟିଏ ମଧ୍ୟ ପାଇନାହାଁନ୍ତି । ଫଳରେ ସୀମା ଏବେ କେତେଦିନ ଆଉ ହାତପାତି ଭିକ୍ଷାବୃତ୍ତି କରିବ ବୋଲି ମନସ୍ତାପ କରି ଚରମ୍ପାର କୌଣସି ଏକ ରାସ୍ତାକଡରେ ଚା’ ଦୋକାନଟିଏ ଖୋଲି ବଂଚିବ ବୋଲି ରାହା ଖୋଜୁଛି । ପୁରୀରେ ପ୍ରଶାସନ ପକ୍ଷରୁ ଏହି କିନ୍ନରମାନଙ୍କୁ ପାର୍କିଂ ଭଳି ସ୍ଥାନରେ ନିଯୁକ୍ତି ଦେଇଥିବାବେଳେ ଏମାନଙ୍କୁ ସେହିଭଳି ଜିଲା ପ୍ରଶାସନ କୌଣସି ଅସ୍ଥାୟୀ ଚାକିରୀର ସୁଯୋଗ ଦେଲେ କିନ୍ନରମାନେ ବଂଚିଯାଆନ୍ତେ ବୋଲି ସୀମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.