Home ଜିଲ୍ଲା ପରିକ୍ରମା ମହଙ୍ଗା ମାଡରେ ଧରାଶାୟୀ ଗରିବ, ମଧ୍ୟବିତ୍ତ : ଆଳୁ, ପିଆଜ, ପରିବା ଦର ନିୟନ୍ତ୍ରଣ ବାହାରେ

ମହଙ୍ଗା ମାଡରେ ଧରାଶାୟୀ ଗରିବ, ମଧ୍ୟବିତ୍ତ : ଆଳୁ, ପିଆଜ, ପରିବା ଦର ନିୟନ୍ତ୍ରଣ ବାହାରେ

348

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସମୟରେ ସଂସାର ବୋଝ ଉଠାଇବାକୁ ଅସମର୍ଥ ହୋଇପଡୁଥିବା ସଂସାର ଉପରେ ମହଙ୍ଗା ମାଡ ଏବେ ବେଡି ଉପରେ କରୋଡା ସଦୃଶ ହୋଇଛି । କରୋନା ପାଇଁ ୬ ମାସ ହେଲା ଜୀବନ ଜୀବିକା ଠପ୍ ହୋଇଯାଇଥିବାବେଳେ ଲକଡାଉନ୍ ହଟିବା ପରେ ସ୍ଥିତି ସ୍ୱାଭାବିକ ଆଡକୁ ଯିବା ସମୟରେ ଏହି ମହଙ୍ଗା ମାଡ ସଂସାରୀଙ୍କୁ ଧରାଶାୟୀ କରି ପକାଇଛି । ଗୋଟିଏ ପଟେ ରୋଜଗାର ନଥିବାବେଳେ ବଜାର ଦର ଆକାଶ ଛୁଆଁ ସେମାନଙ୍କୁ ଅଣନିଶ୍ୱାସୀ କରିପକାଇଛି । ବିଶେଷକରି ନିତିଦିନ ଆବଶ୍ୟକ ହେଉଥିବା ତେଜରାତି ସଉଦା ଓ ପନିପରିବା ଦରକୁ ନେଇ ଚିନ୍ତାରେ ପଡିଛନ୍ତି । ଏହି ସପ୍ତାହକ ମଧ୍ୟରେ ହୁ ହୁ ହୋଇ ବଢିଚାଲିଛି ଆଳୁ ପିଆଜ ସାଙ୍ଗକୁ ପରିବା ଦର । ତିହିଡି ଓ ଚାନ୍ଦବାଲି ବ୍ଲକ୍‌ରେ ଆଳୁ କିଲୋ ୪୦ ରୁ ୪୪ ଟଙ୍କା ବିକ୍ରି ହେଉଥିବାବେଳେ ପିଆଜ କିଲୋ ୪୮ ରୁ ୫୫ ଟଙ୍କା ଧରିଛି । ସେହିପରି ରସୁଣ କିଲୋ ୧୬୦ ଟଙ୍କା ହୋଇଥିବାବେଳେ ଅଦା ୧୫୦ ଟଙ୍କା । ସୋରିଷତେଲ ୧୩୫ ଟଙ୍କା ହୋଇଥିବାବେଳେ ଡାଲି ୧୦୦ ଟଙ୍କା । ସେହିପରି ପରିବା ଦର ୫୦ ଟଙ୍କା ଉପରେ ଚାଲିଛି । ଟମାଟୋ କିଲୋ ୬୦ ଟଙ୍କା, ବାଇଗଣ ୫୦, କଲରା ୭୦, ପୋଟଲ ୮୦, ଭେଣ୍ଡି ୪୫, ଅମୃତଭଣ୍ଡା, କୁନ୍ଦୁଡି, ବୋଇତାଳୁ ଆଦି ପରିବା ୩୦ ରୁ ୩୫ ଟଙ୍କାରେ ବିକ୍ରି ହେଉଛି । ବିଶେଷକରି ଆଳୁ ପିଆଜ ଦର ଖାଉଟିଙ୍କ ଉପରେ ପ୍ରଭାବ ପକାଇଛି । ଏହି ଦର ଆଗାମୀ ସପ୍ତାହେ ୨ ସପ୍ତାହରେ ଆହୁରି ବୃଦ୍ଧି ପାଇବ ବୋଲି ଜଣାଯାଇଛି । ଆଳୁ ପିଆଜ ଆମଦାନୀ କମ୍ ହେଉଥିବା ଦର୍ଶାଇ ବେପାରୀ ମାନେ ଆଗୁଆ ଚୋରା ଗୋଦାମରେ ମାଲ ରଖି ଦର ବୃଦ୍ଧିର ଫାଇଦା ନେଉଛନ୍ତି । ବଜାରରେ ଥିବା ଗୋଦାମ ଖାଲି କରି ମାଲ ନଥିବା ଦର୍ଶାଉଛନ୍ତି । କିଛି ଅସାଧୁ ବେପାରୀଙ୍କ ପାଇଁ ବଜାରରେ ଆଳୁ ପିଆଜ କୃତ୍ରିମ ଅଭାବ ଦେଖାଦେବା ସହ ଚଢା ଦରରେ ବିକ୍ରି ହେଉଛି । ଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ନନେଲେ ଏହି ଅସାଧୁ ମୁନାଫାଖୋର ବେପାରୀମାନେ ଗ୍ରାହକଙ୍କୁ ଶୋଷି ଚାଲିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.