Home ଜିଲ୍ଲା ପରିକ୍ରମା ମହଙ୍ଗା ପଡିଲା ଜାଲ୍ ପ୍ରମାଣପତ୍ରରେ ଚାକିରୀ; ଶିକ୍ଷୟିତ୍ରୀ ବହିଷ୍କୃତ

ମହଙ୍ଗା ପଡିଲା ଜାଲ୍ ପ୍ରମାଣପତ୍ରରେ ଚାକିରୀ; ଶିକ୍ଷୟିତ୍ରୀ ବହିଷ୍କୃତ

164

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ନିଯୁକ୍ତି ପାଇଥିବା ଜଣେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚାକିରୀରୁ ବହିଷ୍କାର କରିଛନ୍ତି । ସଂପୃକ୍ତ ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ସୁଜାତାମଣୀ ପୁହାଣ । ସେ ବାସୁଦେବପୁର ସ୍ଥିତ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କ ପତ୍ରାଙ୍କ ନଂ ୭୫୧୬/ ତା ୪/୧୦/୨୧ ରିଖରୁ ଏହା ଜଣାପଡିଛି । ଅଭିଯୋଗ ଅନୁଯାୟୀ ସେ ନିଯୁକ୍ତି ସମୟରେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ତେବେ ବିଭିନ୍ନ ସ୍ତରରେ ଶ୍ରୀମତୀ ପୁହାଣଙ୍କ ନାମରେ ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଅଚ୍ୟୁତାନନ୍ଦ ନାୟକ ନାମକ ଜନୈକ ବ୍ୟକ୍ତି ଏ ସଂପର୍କରେ ଗତବର୍ଷ ଏକ ରିଟ୍ ପିଟିସନ୍ ଆଗତ କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀମାନେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲୁ ରହିଥିବା ଆଳରେ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଘଣ୍ଟ ଘୋଡାଇ ଚାଲିଥିଲେ । ତେବେ ଚଳିତ ବର୍ଷ ଜାନୁଆରୀ ୨୧ ତାରିଖ ନ୍ୟାୟାଳୟ ଉକ୍ତ ମାମଲାର ଶୁଣାଣି କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତୁରନ୍ତ ସାରି ମାର୍ଚ୍ଚ ୧ ତାରିଖ ସୁଦ୍ଧା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ୭ ମାସ ବିତିଯାଇଥିଲେ ମଧ୍ୟ ଶ୍ରୀମତୀ ପୁହାଣଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ବରଂ ନିଜର ପକ୍ଷ ରଖିବା ବାହାନାରେ ତାଙ୍କ ସହିତ ଚିଠିର ଆଦାନ ପ୍ରଦାନ ଚାଲିଥିଲା । ତେଣୁ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଫାଇଲ୍ ତଳେ ଚାପି ହୋଇ ରହିଯାଇଥିଲା । ଏହି ପରିପ୍ରେକ୍ଷୀରେ ଆବେଦନକାରୀ ଉଚ୍ଚ ନ୍ୟାୟାଳୟରେ କୋର୍ଟ ଅବମାନନା ମାମଲା ଆଗତ କରିବା ପରେ ଜିଲା ଶିକ୍ଷାଧିକାରୀଙ୍କୁ ଏଥିନେଇ ନୋଟିସ୍ ଜାରି ହୋଇଥିଲା । ଏହାପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା । ଚଳିତ ମାସ ୪ ତାରିଖ ଶ୍ରୀମତୀ ପୁହାଣଙ୍କୁ ଚାକିରୀରୁ ବହିଷ୍କାର କରାଗଲା ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ଏହି ଘଟଣାରେ ବାଲେଶ୍ୱର ଦୁର୍ନୀତି ନିବାରଣ ବିଭାଗ ଅଧୀକ୍ଷକଙ୍କ ରିପୋର୍ଟରୁ ଶ୍ରୀମତୀ ପୁହାଣଙ୍କ ଜାଲ୍ କାରବାର ସଂପର୍କରେ ସବିଶେଷ ତଥ୍ୟ ମିଳିଛି । ଦୁର୍ନୀତି ନିର୍ବାରଣ ବିଭାଗର ତଦନ୍ତ ରିପୋର୍ଟ ଅନୁଯାୟୀ ଶ୍ରୀମତୀ ପୁହାଣ ୨୦୦୪ ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଅଟଳ ବିହାରୀ ମହାବିଦ୍ୟାଳୟରେ +୩ ବିଜ୍ଞାନ ପାଠ୍ୟକ୍ରମରେ ନିୟମିତ ଛାତ୍ରୀ ଭାବେ ନାମ ଲେଖାଇଥିଲେ । ଠିକ୍ ଏହି ସମୟରେ ସେ ସେହି ମହାବିଦ୍ୟାଳୟର ଜୁନିୟର କଲେଜର ଭୋକେସନାଲ ପାଠ୍ୟକ୍ରମରେ ମଧ୍ୟ ନାମ ଲେଖାଇଥିଲେ । ପରବର୍ତ୍ତୀ ସମୟରେ ଭୋକେସନାଲ ପ୍ରମାଣପତ୍ର ଆଧାରରେ ନିଯୁକ୍ତି ପାଇଥିଲେ । ଯାହାକି ସଂପୂର୍ଣ୍ଣ ବେଆଇନ୍ ବୋଲି ଭିଜିଲାନ୍ସ ବିଭାଗ ୨୦୧୭ ମସିହା ଫେବୃୟାରୀ ୨୮ ତାରିଖ ନିଜ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ । ତେବେ ଏପରି ସ୍ପଷ୍ଟ ପ୍ରମାଣ ଥାଇ ମଧ୍ୟ ବିଭାଗୀୟ ଅଧିକାରୀ ଓ ଜିଲା ଶିକ୍ଷା କାର୍ଯ୍ୟାଳୟର କେତେକ କର୍ମଚାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଣ୍ଟ ଘୋଡାଇ ଚାଲିଥିଲେ । ଏପରିକି ଏହି ଅବଧି ମଧ୍ୟରେ ତାଙ୍କ ଚାକିରୀ ଚୁକ୍ତିକୁ ନବୀକରଣ କରିବାକୁ ମଧ୍ୟ ପଛାଇନଥିଲେ ବୋଲି ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.