Home ଜିଲ୍ଲା ପରିକ୍ରମା ମଲିକ ମଇଦାନରେ କମ୍ୟୁନିଟି ହଲ ନିର୍ମାଣର ଶିଳାନ୍ୟାସ, ପ୍ରକଳ୍ପ ବ୍ୟୟ ଅଟକଳ ୧ କୋଟି ୮୫...

ମଲିକ ମଇଦାନରେ କମ୍ୟୁନିଟି ହଲ ନିର୍ମାଣର ଶିଳାନ୍ୟାସ, ପ୍ରକଳ୍ପ ବ୍ୟୟ ଅଟକଳ ୧ କୋଟି ୮୫ ଲକ୍ଷ, ୪ମାସ ଭିତରେ ସରିବ କାମ

20

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ମଲିକ ମଇଦାନରେ ବିକାଶ ସହିତ କମ୍ୟୁନିଟି ହଲ ନିର୍ମାଣ ଲାଗି ଶିଳାନ୍ୟାସ ହୋଇଛି । ସାଂସଦ ମଂଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଛନ୍ତି । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଶିଳାନ୍ୟାସ ଉତ୍ସବରେ ଉପସ୍ଥିତ ଥିଲେ । ପୂର୍ବରୁ କମ୍ୟୁନିଟି ସେଣ୍ଟର ନିର୍ମାଣ ଲାଗି ୮୦ ଲକ୍ଷ ଟଙ୍କାର ଅନୁଦାନ ମଂଜୁର କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏହାକୁ ଅଧିକ ଆକର୍ଷଣୀୟ ତଥା ଯୁଗୋପଯୋଗୀ କରିବା ଲାଗି ଅଧିକ ଅନୁଦାନର ଆବଶ୍ୟକତା ପଡିଥିଲା । ପରବର୍ତୀ ଅବସ୍ଥାରେ ବିଧାୟକଙ୍କ ଉଦ୍ୟମରେ ୧କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଫଳତଃ ବ୍ୟୟ ଅଟକଳ ୧କୋଟି ୮୫ ଲକ୍ଷକୁ ବୃଦ୍ଧି ପାଇଛି । ୪ମାସ ମଧ୍ୟରେ ନିର୍ମାଣ କାମ ସାରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବିଧାୟକ ସଂଜୀବ ମଲ୍ଲିକ ସୂଚନା ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇଛି । ଏଥିସହିତ ବିଧାୟକ ଶ୍ରୀ ମଲ୍ଲିକ ପୁରୁଣାବଜାରବାସୀଙ୍କ ଦାବି ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଉକ୍ତ ଗୃହ ନିର୍ମାଣ ପରେ ସେଠାରେ ଅନେକ ସାମାଜିକ କାର୍ଯ୍ୟକ୍ରମ ଓ ଉତ୍ସବ ଆୟୋଜନ ସମ୍ଭବ ହେବ ଓ ବର୍ଷା ବାଧକ ହେବ ନାହିଁ ବୋଲି ବିଧାୟକ କହିଛନ୍ତି । ସାଂସଦ ଶ୍ରୀମତୀ ମଣ୍ଡଳ ମଧ୍ୟ ଏହି ଅନୁଦାନ ମଂଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁସଲିମ ଜମାତର ସଭାପତି ହାଜି ଅବଦୁଲ ବାରି, ବିଜେଡି ନଗର ସଭାପତି ତାହେର ଅହମ୍ମଦ, ତାହେରା ଖାତୁନଙ୍କ ସମେତ ବହୁ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.