Home Top News ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି

64

-୨୬ ଅକ୍ଟୋବରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରିବ ଯୁବ କଂଗ୍ରେସ

ଭୁବନେଶ୍ୱର, ୨୩।୧୦ (ଓଡ଼ିଆ ପୁଅ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ଗିରଫ କରି ତଦନ୍ତ ପରିସରଭୁକ୍ତ କରିବା ପାଇଁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦାବି କରିଛି। ଏଥିସହ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ କଳାହାଣ୍ଡିରେ ଆନ୍ଦୋଳନ କରୁଥିବା ଯେଉଁ ଯୁବ କଂଗ୍ରେସ କର୍ମୀଙ୍କୁ ପୁଲିସ ବଳ ପୂର୍ବକ ଗିରଫ କରିଛି ସେମାନଙ୍କୁ ତୁରନ୍ତ ଛାଡ଼ିବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା ଦାବି କରିଛନ୍ତି। ଏନେଇ ଆସନ୍ତା ୨୬ ଅକ୍ଟୋବରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, କଟକ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ.ଲେଙ୍କା କହିଛନ୍ତି ଯେ ବିଜେଡି ଶାସନ କାଳରେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନସିଆରବି ତଥ୍ୟ ଅନୁଯାୟୀ ସମଗ୍ର ଭାରତ ବର୍ଷରେ ସର୍ବାଧିକ ଅପରାଧ ଘଟୁଥିବା ରାଜ୍ୟ ତାଲିକାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏଥିରୁ ପ୍ରମାଣିତ ହେଉଛି ଯେ ନବୀନ ବାବୁଙ୍କ ନେତୃତ୍ୱରେ ରାଜ୍ୟରେ କିଭଳି ସ୍ୱଚ୍ଛ ଶାସନ ଚାଲିଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଥିବା ଓ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଅଭିଯୁକ୍ତ ତା’ର ଅପରାଧ ସାମ୍ରାଜ୍ୟ ବଢ଼ାଇଥିବାର ଅନେକ ପ୍ରମାଣ ଗଣମାଧ୍ୟମରୁ ମିଳିଲାଣି। ଖାଲି ସେତିକି ନୁହେଁ, ଅଭିଯୁକ୍ତ ଅତି ସହଜରେ ପୋଲିସ ହେଫାଜତରୁ ଖସିଯାଇ ହତ୍ୟା ମାମଲା ଓ ତା’ର ଅପରାଧ ସାମ୍ରାଜ୍ୟର ଅନେକ ପ୍ରାମଣ ନଷ୍ଟ କରିବାରେ ସକ୍ଷମ ହୋଇଛି। ଏଥିରେ ମଧ୍ୟ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହେଉଛି। ଯେହେତୁ କ୍ୟାପ୍‌ଟେନ ମିଶ୍ର ନିଜେ ଗୃହ ବିଭାଗର ମନ୍ତ୍ରୀ ଓ ପୋଲିସ ବିଭାଗ ତାଙ୍କ ହାତରେ ରହିଛି, ତେଣୁ ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ଏହା ସତ୍ୱେ ସ୍ୱଚ୍ଛ

ଶାସନର ଡିଣ୍ଡିମ ପିଟୁଥିବା ନବୀନ ବାବୁ ଅଦ୍ୟାବଧି ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କଲେନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ ବିଜେଡି ସରକାର ସମ୍ପୂର୍ଣ୍ଣ ଭାବେ ନୀତି ନୈତିକତା ହରାଇଛି। କାରଣ ଅପରାଧୀ ବା ହତ୍ୟାକାରୀ ଯେତିକି ଦୋଷୀ ତାକୁ ଘଂଟ ଘୋଡ଼ାଉଥିବା ବ୍ୟକ୍ତି ମଧ୍ୟ ସମାନ ଭାବେ ଦୋଷୀ। ହତ୍ୟାକାରୀକୁ ନିଜ ମନ୍ତ୍ରୀମଣ୍ଡଳର ଗୃହ ରାଷ୍ଟ୍ରମନ୍ତ୍ରୀ ସୁରକ୍ଷା ଯୋଗାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନିରବ ଦ୍ରଷ୍ଟା ସାଜିଛନ୍ତି। ଏହାଠାରୁ ବଡ଼ ଦୁର୍ଭାଗ୍ୟର କଥା ଆଉ କିଛି ନାହିଁ ବୋଲି ଡ. ସ୍ମୃତିରଞ୍ଜନ ଲେଙ୍କା ଅଭିଯୋଗ କରିଛନ୍ତି।

ବିଜେଡି ଶାସନରେ ପୁଲିସ ପ୍ରଶାସନ ଅପରାଧୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଭଉଣୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆନ୍ଦୋଳନ କରୁଥିବା ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରୁଛି। ଯାହାକି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା କେଉଁ ଆଡକୁ ଗତି କରୁଛି ବୋଲି ସ୍ପଷ୍ଟ ହେଉଛି। ଯଦି ପୁଲିସ ପ୍ରଶାସନ ଅସହାୟ ହୋଇପଡ଼ିଛି, ତେବେ ଯୁବ କଂଗ୍ରେସକୁ ରାଜ୍ୟର ଅପରାଧ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଉ। ନଚେତ ଭଉଣୀ ଇତିଶ୍ରୀ, ବେବିନା, ମାଧବୀଲତା ଓ କୁନ୍ଦୁଲି ପୀଡ଼ିତାଙ୍କ ଭଳି ମମିତା ମେହେରଙ୍କ ପରେ ଆଉ କାହା ପାଳି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ପ୍ରକାଶ କରିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ଡ. ଲେଙ୍କାଙ୍କ ସହ ଉପସଭାପତି ମହମ୍ମଦ ଅଲିମ, ସାଧାରଣ ସମ୍ପାଦକ ବୀରେନ କୁମାର ଦଳାଇ, ବିଶ୍ୱରଞ୍ଜନ ଦାଶ, ଆର୍ଯ୍ୟବୀର ଲେଙ୍କା, ମହେଶ ପ୍ରସାଦ, ବିକି ଚକ୍ରବର୍ତ୍ତୀ, ଆଦିତ୍ୟ ପ୍ରସାଦ ପରିଡ଼ା, ଅମ୍ରିତା ଦାଶ, ଜୀବନ ଶାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.