Home Top News ଅତି ନିମ୍ନ ରୁଚିର ରାଜନୀତି କରୁଛି ବିଜେପି ମହିଳା ମୋର୍ଚ୍ଚା : ବିଜେଡି

ଅତି ନିମ୍ନ ରୁଚିର ରାଜନୀତି କରୁଛି ବିଜେପି ମହିଳା ମୋର୍ଚ୍ଚା : ବିଜେଡି

51

ଭୁବନେଶ୍ୱର, ୨୩/୧୦ (ଓଡ଼ିଆ ପୁଅ) : ଓଡିଶା ବିଜେପିର ମହିଳା ମୋର୍ଚ୍ଚା ଆଜି ତାହାର ଘେରାଉ ସମୟରେ ମିଥ୍ୟା ଓ ଭିତ୍ତିହୀନ ବିବୃତି ଦେଇ ସମସ୍ତ ଲଜ୍ଜାକୁ ଅତିକ୍ରମ କରି ଅତି ନିମ୍ନ ସ୍ତରକୁ ଖସି ଆସିଛି। ଏଭଳି ଭାବେ ନିମ୍ନ ସ୍ତରକୁ ଯିବା ସମ୍ପୂର୍ଣ୍ଣ ନୂଆ ଯାହାକି ଶସ୍ତା ରାଜନୀତି ପାଇଁ ପୂର୍ବରୁ ଖେଳାଯାଇଥିବା ସମସ୍ତ ଲଜ୍ଜାଜନକ ରାଜନୀତି ଠାରୁ ମଧ୍ୟ କମ୍ ଅଟେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଏଲିନା ଦାସ ଓ ସୁଶ୍ରୀ ଇପ୍ସିତା ସାହୁ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାକୁ କଡା ଜବାବ ଦେଇ ଶ୍ରୀମତୀ ଦାସ ଓ ସୁଶ୍ରୀ ସାହୁ କହିଛନ୍ତି ଯେ ଓଡିଶା ବିଜେପିର ମହିଳା ମୋର୍ଚ୍ଚା ବେଶ୍ ଭଲ ଭାବେ ଜାଣିଛି ଯେ ମମିତା ମେହେର ମାମଲାରେ ଗୋଟିଏ ଏଫଆଇଆର ରୁଜୁ ହୋଇଥିବାରୁ ସମାନ ମାମଲାରେ ଆଉ ଗୋଟିଏ ଏଫଆଇଆର ହୋଇପାରିବ ନାହିଁ। ଏହା ଜାଣି ମଧ୍ୟ ସେମାନେ ଗତକାଲି ଭୁବନେଶ୍ୱରର କ୍ୟାପିଟାଲ ଥାନାକୁ ଆସି ଆଉ ଗୋଟିଏ ଏଫ୍‌ଆଇଆର ଦେଇଛନ୍ତି। ଏଥିରୁ ଜଣାପଡୁଛି ଯେ କିଏ କେତେ ଅଧିକ ଟିଭିରେ ମୁହଁ ଦେଖାଇବ ସେଥିପାଇଁ ବିଜେପି ନେତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବାରୁ ସେମାନେ ଏଭଳି ନିମ୍ନ ରୁଚିର କାର୍ଯ୍ୟ କରୁଛନ୍ତି। ଅନୁରୂପ ଭାବେ ଏହି ଘଟଣାରେ ବିଜେପି ନେତାମାନେ ଅତି ତଳ ସ୍ତରର ରାଜନୀତି କରି କଳାହାଣ୍ଡି ଜିଲ୍ଲାର ଶିକ୍ଷାନୁଷ୍ଠାନରେ ଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।

ବିଜେଡି ପ୍ରବକ୍ତା କହିଛନ୍ତି ଯେ ସାରା ଓଡିଶା ଏପରିକି ସାରା ଭାରତ ଜାଣିଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସର୍ବାଧିକ ରହିଛି। ପ୍ରତି ମାସରେ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସଂଖ୍ୟା ବଢି ବଢି ଚାଲିଛି ଏବଂ ସଂଖ୍ୟାଧିକ ମାମଲାରେ ବିଜେପି ନେତାମାନେ ଜଡିତ।

ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବିଭିନ୍ନ ମାମଲାରେ ଓଡିଶା ବିଜେପି ପୂର୍ବରୁ ଅଦାଲତର ଦ୍ୱାରସ୍ଥ ହୋଇଛି ଏବଂ ସବୁ ଘଟଣାରେ ମାନ୍ୟବର ଅଦାଲତ ସେମାନଙ୍କ ଆବେଦନକୁ ଗ୍ରହଣ କରିନାହାନ୍ତି। ସତ କ’ଣ ଜାଣିବା ସତ୍ତ୍ୱେ ଓଡିଶା ବିଜେପି ଶସ୍ତା ରାଜନୀତି କରିବାକୁ ଚେଷ୍ଟା କରିଥାଏ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ।

କଳାହାଣ୍ଡିର ଜନସାଧାରଣ ଏବଂ ଓଡିଶାବାସୀ ଓଡିଶା ବିଜେପି ମହିଳା ମୋର୍ଚ୍ଚାର ମିଥ୍ୟା ଓ ଭିତ୍ତିହୀନ ଆଚରଣକୁ ଦେଖିୁଛନ୍ତି ଏବଂ ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସେମାନେ ଯେଉଁ ନିମ୍ନ ରୁଚିର ରାଜନୀତି କରୁଛନ୍ତି ସେଥିପାଇଁ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ପ୍ରବକ୍ତା ଶ୍ରୀମତୀ ଦାସ ଓ ସୁଶ୍ରୀ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.