Home ଜିଲ୍ଲା ପରିକ୍ରମା ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଭଦ୍ରକରେ ତାତି

ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଭଦ୍ରକରେ ତାତି

29

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରୁ କେଉଁ ବିଧାୟକ ହେବେ କି ମନ୍ତ୍ରୀ! ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ନା ଯୁବ ବିଧାୟକ କାହାକୁ ମିଳିବ ଏହି ପଦ । ଏଭଳି ରାଜନୈତିକ ସମୀକ୍ଷା ଆରମ୍ଭ ହୋଇଛି । ଯୁବ ବିଧାୟକଙ୍କ ମଧ୍ୟରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନାମ ଚର୍ଚ୍ଚାରେ ରହୁଛି । ବିଜେଡି ରାଜ୍ୟ ରାଜନୀତିରେ ସଂଜୀବ ନିଜର ଗୁରୁତ୍ୱ ବଢାଇ ଚାଲିଥିବାବେଳେ ବ୍ୟୋମକେଶ ଏବେ ରାଜ୍ୟ ଯୁବ ବିଜେଡି ସଭାପତି ଓ ଭଦ୍ରକ ଜିଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଅଛନ୍ତି । ଅପରପକ୍ଷେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ନବାଗତ ହୋଇଥିଲେ ବି ବାପା ବିଜୟଶ୍ରୀ ରାଉତରାୟ ଓ ଜେଜେବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଶୀର୍ବାଦରୁ ତାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିପାରେ ବୋଲି ଆଲୋଚନା ହେଉଛି । ସବୁବେଳେ ଭଦ୍ରକ ଜିଲାକୁ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିଥିବାବେଳେ ଏବେ ଜିଲାରୁ କେହି ବି ମନ୍ତ୍ରୀ ହୋଇନାହାଁନ୍ତି । ଏଥର କାହାକୁ ମନ୍ତ୍ରୀ କରାଯିବ ନା ଏହି ଜିଲା ବିନା ମନ୍ତ୍ରୀରେ ରହିବ, ତାହା ସମୟ କହିବ । ନୂଆବର୍ଷରେ ରାଜ୍ୟ ପ୍ରଶାସନିକସ୍ତରରେ ଅଦଳ ବଦଳ ହୋଇଛି । ଦଳକୁ ମଜବୁତ କରିବା ସହ ଯୁବ ସଂଗଠନକୁ ଅଧିକ ସକ୍ରିୟ କରିବା ଦିଗରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅଧିକ ଗୁରୁତ୍ୱ ଦେଇଛନ୍ତି । ଦଳର ସାଙ୍ଗଠନିକ କାର୍ଯ୍ୟ ପରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବାର ଉପର ମହଲରୁ ସୂଚନା ମିଳିଛି । ଏହି ପରିବର୍ତ୍ତନରେ ମନ୍ତ୍ରୀମାନଙ୍କ କାର୍ଯ୍ୟ ଦକ୍ଷତା ଓ ଲୋକପ୍ରିୟତା ମାପକାଠି ହେବ । କେତେକ ବାଦ ପଡିପାରନ୍ତି, ଆଉ କେତେକ ନୂଆ ମନ୍ତ୍ରୀ ପଦ ହାତେଇ ପାରନ୍ତି । କାହାର ବି ବିଭାଗ ଅଦଳ ବଦଳ ହେବାର ସମ୍ଭାବନା ରହିଛି । ଗତ ମନ୍ତ୍ରୀମଣ୍ଡଳ ଗଠନ ସମୟରେ ଦଳର ସଭାପତି ବହୁ ବରିଷ୍ଠା ନେତାଙ୍କୁ ବାଦ ଦେଇ ନବାଗତ ଯୁବ ବିଧାୟକଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଥିଲେ । ଆଗରେ ପୌର ଓ ପଂଚାୟତ ନିର୍ବାଚନ ଥିବାରୁ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେବାର ସମ୍ଭାବନାକୁ ସୁନିଶ୍ଚିତ କରିଛି । ସମ୍ଭାବ୍ୟ ମନ୍ତ୍ରୀ ମଣ୍ଡଳର ଅଦଳ ବଦଳକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାର ବିଧାୟକମାନେ ରାଜଧାନୀରେ ଡେରା ପକାଇଛନ୍ତି । ମନ୍ତ୍ରୀ ପଦ ପାଇବାକୁ ଲବି ଆରମ୍ଭ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଛି ।

ଗତ ମନ୍ତ୍ରୀମଣ୍ଡଳ ଗଠନ ବେଳେ ଅବିଭକ୍ତ ବାଲେଶ୍ୱର ଜିଲାରୁ ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କୁ ମନ୍ତ୍ରୀ ପଦ ମିଳିଥିଲା । କିନ୍ତୁ ଭଦ୍ରକ ଜିଲା ଏଥିରୁ ବାଦ୍ ପଡିଥିଲା । ଏନେଇ ଜିଲାବାସୀଙ୍କ ମନରେ ଅସନ୍ତୋଷ ଉପୁଜିଥିଲା । ଭଦ୍ରକ ଜିଲା ରାଜନୀତିର ଇତିହାସକୁ ପର୍ଯ୍ୟାଲୋଚନା କଲେ ଜନ କଂଗ୍ରେସ, କଂଗ୍ରେସ ଜନତା ଓ ବିଜୁ ଜନତା ଦଳର ଶାସନ ସମୟରେ ଜିଲାରୁ ଜଣେ ନୁହେଁ, ୨ ଜଣ ଲେଖାଏଁ ମନ୍ତ୍ରୀ ପଦ ରହିବାର ନଜିର ରହିଛି । ଜନତା ଦଳରେ ସ୍ୱର୍ଗତ ବୈରାଗୀ ଜେନା ଓ ଏବେକାର ଜିଲାର ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ୨ ଜଣ ମନ୍ତ୍ରୀ ପଦ ପାଇଥିଲେ । ସେହିପରି ନବୀନଙ୍କ ଶାସନର ମେଣ୍ଟ ସରକାରରେ ଭାଜପାର ମନମୋହନ ସାମଲ ଓ ବିଜୟଶ୍ରୀ ରାଉତରାୟ ୨ ଜଣ ମନ୍ତ୍ରୀ ହୋଇଥିଲେ । ଏହାପରେ ବିଜୁ ଜନତା ଦଳର ଶାସନରେ ୨ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ଓ ବିଜଶ୍ରୀ ରାଉତରାୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ଗତ ମନ୍ତ୍ରୀ ମଣ୍ଡଳରେ ଭଦ୍ରକ ଜିଲା ମନ୍ତ୍ରୀ ପଦ ହରାଇଛି । ଆଗକୁ ଥିବା ମନ୍ତ୍ରୀ ମଣ୍ଡଳ ଅଦଳ ବଦଳରେ ଭଦ୍ରକ ଜିଲା ମନ୍ତ୍ରୀ ପଦ ପାଇବା ନେଇ ଶାସକ ଦଳର ବରିଷ୍ଠ ମହଲରୁ ଜଣାପଡିଛି । ଏହାକୁ ଯଦି ବିଶ୍ୱାସ କରାଯାଏ, ମୁଖ୍ୟମନ୍ତ୍ରୀଙ୍କ କୃପାଦୃଷ୍ଟି କାହା ଉପରେ ପଡିବ । ଏଭଳି ପ୍ରଶ୍ନ ଏବେ ନିର୍ବାଚିତ ବିଧାୟକମାନଙ୍କୁ ଘାରିଛି । ଏହି ପଦ ପାଇଁ ବିକଳ ହୋଇ ରହୁଥିବା ବିଧାୟକମାନେ ଏବେ ରାଜଧାନୀରେ ଡେରା ପକାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.