Home ଜିଲ୍ଲା ପରିକ୍ରମା ମଣିଷ-ପଶୁ ଅନାବିଳ ସ୍ନେହର ବିରଳ ଉଦାହରଣ, ଚମ୍ପୀ (କୁକୁର) ମୃତ୍ୟୁରେ ଶୁଦ୍ଧିକ୍ରିୟା କଲେ ଭଦ୍ରକ-ଚରମ୍ପାର ବ୍ୟବସାୟୀ

ମଣିଷ-ପଶୁ ଅନାବିଳ ସ୍ନେହର ବିରଳ ଉଦାହରଣ, ଚମ୍ପୀ (କୁକୁର) ମୃତ୍ୟୁରେ ଶୁଦ୍ଧିକ୍ରିୟା କଲେ ଭଦ୍ରକ-ଚରମ୍ପାର ବ୍ୟବସାୟୀ

32

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ପୃଥିବୀରେ ଯୁଗେ ଯୁଗେ ମଣିଷ ଓ ପଶୁର ଅନାବିଳ ସ୍ନେହ-ଶ୍ରଦ୍ଧା ସଂପର୍କକୁ ନେଇ ବହୁ ନଜିର ରହିଛି । ଏପରିକି ରାଜ ରାଜୁଡା ସମୟରୁ କୁକୁର, ମାଙ୍କଡ, ବିଲେଇ ଭଳି ପଶୁଙ୍କ ଜନ୍ମଦିନ ଠାରୁ ଆରମ୍ଭ କରି ବିବାହ ଓ ଶ୍ରାଦ୍ଧତ୍ସୋବ ପାଳନ ହେବାର ଗାଥା ରହିଛି । ଏଣୁ ଆମ ସମାଜରେ ମଣିଷ ଓ ପଶୁର ସଂର୍ପକର ନିବିଡତାକୁ ନେଇ ଅନେକ ଉଦାହରଣ ଆମେ ଦେଖିବାକୁ ପାଉ । କେଉଁଠି ପଶୁଟିଏ ନିଜ ମାଲିକ ଓ ତାର ପରିବାରକୁ ବଂଚାଇବାକୁ ଯାଇ ଜୀବନ ଦେଇଥାଏ ତ ଅନ୍ୟ କେଉଁଠି ପଶୁଟି ପାଇଁ ମଧ୍ୟ ମଣିଷ ପ୍ରାଣବଳି ଦେବା ଘଟଣା ଚର୍ଚ୍ଚିତ ବିଷୟ ହୋଇଛି । କିନ୍ତୁ ଭଦ୍ରକ ସହରର ଚରମ୍ପା ବଜାରରେ ଯେଉଁଭଳି ଏକ ଚିତ୍ର ଦେଖିବାକୁ ମିଳିଛି, ତାହା ବିରଳ । ଯେତେବେଳେ ଆମ୍ଭମାନଙ୍କ ମଧ୍ୟରେ ମଣିଷପଣିଆ ଧୀରେ ଧୀରେ ହଜିଯାଇ ପରସ୍ପର ମଧ୍ୟରେ ସାମାନ୍ୟ ସ୍ୱାର୍ଥକୁ ନେଇ ହତ୍ୟା ଭଳି ଜଘନ୍ୟ ଘଟଣା ଘଟିଯାଉଛି, ସେତେବେଳେ ସାମାନ୍ୟ ଏକ କୁକୁର ପାଇଁ ଚରମ୍ପା ବଜାରର ସମସ୍ତ ବ୍ୟବସାୟୀ ନିଜର ଜଣେ ସଂପର୍କୀୟଙ୍କ ମୃତ୍ୟୁ ଭଳି ଏହି ଚମ୍ପୀ ନାମକ କୁକୁରର ମୃତ୍ୟୁ ପରେ ତାର ସମସ୍ତ ଦଶାହ କ୍ରିୟାକର୍ମ ଓ ଭୋଜିଭାତ ସେମାନଙ୍କର ଜଣେ ସଂପର୍କୀୟଙ୍କ ଭଳି ପାଳନ କରିଛନ୍ତି । ଏହି ଘଟଣା ସଂପର୍କରେ ଯାହା ଜାଣିବାକୁ ମିଳେ ଗତ ୨୦୦୬ ମସିହା ଜାନୁଆରୀ ୧୫ ତାରିଖରେ ୧୬ନଂ ଜାତୀୟ ରାଜପଥର ଚରମ୍ପା ଛକ ନିକଟରୁ ସ୍ଥାନୀୟ ଅଂଚଳର ଜଣେ ବ୍ୟବସାୟୀ ନବଜାତ ଚମ୍ପୀକୁ ଅତ୍ୟନ୍ତ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରି ଦୋକାନରେ ଆଶ୍ରୟ ଦେଇଥିଲା ।

ଆଉ ତା’ ପରେ ଚମ୍ପୀ ନିଜର ବିଶ୍ୱସ୍ତପଣିଆରେ ଆଖପାଖ ସମସ୍ତ ବ୍ୟବସାୟୀଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ଦେଇଥିଲା । ଏହି କୁକୁର ଛୁଆଟିର ନାମକରଣ ସେଦିନ ଚମ୍ପୀ ବୋଲି ରଖାଯାଇଥିବାବେଳେ ତାକୁ କିଏ ଝୁମୁରି ବୋଲି ମଧ୍ୟ ଡାକୁଥିଲା । ରାତିଦିନ ୨୪ ଘଣ୍ଟା ଚମ୍ପୀ ଏ ଦୋକାନ ସେ ଦୋକାନ ହୋଇ ସମସ୍ତଙ୍କ ନିକଟରେ ରହିଆସୁଥିଲା । କେବେ କେଉଁଆଡେ ଯାଉନଥିଲା । କିନ୍ତୁ ଗତ ଗଣେଶ ପୂଜା ଦିନ ଚମ୍ପୀ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଥିଲା । ତାର ଦେହାନ୍ତରେ ସମସ୍ତ ବ୍ୟବସାୟୀମାନେ ନିଜର ସଂପର୍କୀୟଙ୍କର ମୃତ୍ୟୁ ଭଳି ଚମ୍ପୀର ଦଶାହ, ଏକାଦଶାହ କର୍ମ ପାଳନ କରିଛନ୍ତି । ସେମାନେ ଶୁଦ୍ଧି ହେବା ସହ ଏକାଦଶାହ ପଂଙ୍କି ଭୋଜନ ମଧ୍ୟ କରିଛନ୍ତି । ଚମ୍ପୀକୁ ସ୍ଥାନୀୟ ଦୋକାନୀମାନେ ଝିଅ ଭଳି ଆଦର କରୁଥିବାରୁ ଏଭଳି କ୍ରିୟାକର୍ମ କରିବେ ବୋଲି ମନସ୍ତ କରିଥିଲେ । ଏବଂ ସାଧାରଣ ଲୋକଙ୍କ ଭଳି କ୍ରିୟା ସହ ମାଲଆଟିକା ମଧ୍ୟ ନିଆଯାଇଥିଲା । ଆଉ ଦଶାହ ଭୋଜିରେ ବ୍ରାହ୍ମଣ ଭୋଜନ ସହ ପଡୋଶୀଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ଆଜି ହୋଇଛି । ଦୋକାନୀ କର୍ମ ଅନୁଯାୟୀ ଲଣ୍ଡା ହୋଇ ଶୁଦ୍ଧି ମଧ୍ୟ ହୋଇଛନ୍ତି । ଏପରିକି ବହୁଲୋକ ଆସ ଚମ୍ପୀର ଫଟୋରେ ଶ୍ରଦ୍ଧାସୁମନ ଅର୍ପଣ କରି ତାର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତେବେ ଚମ୍ପୀର ଘଟଣାରୁ ଯେଉଁ ଲୋକମାନେ ପଶୁ-ପକ୍ଷୀଙ୍କୁ ସେବା ବଦଳରେ ନିର୍ଯ୍ୟାତନା ଦେଇଆସୁଛନ୍ତି, ସେମାନେ ଏହି ଖବର ପଢି ନିଜର ସ୍ୱଭାବ ପରିବର୍ତ୍ତନ କଲେ ଏ ସମାଜରେ ପଶୁ-ପକ୍ଷୀ ଓ ମଣିଷ ମଧ୍ୟରେ ଅପୂର୍ବ ସ୍ନେହ-ଶ୍ରଦ୍ଧା ଅତୁଟ ରହିବ ନିଶ୍ଚୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.