ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ବଜାର ର ଜନୈକ ଗହଣା ଦୋକାନରୁ ଆଜି ସକାଳ ପ୍ରାୟ ୮.୩୦ ମି. ସମୟରେ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୋକାନୀ କୁଳମଣି ସାହୁ ସ୍ୱାଭାବିକ ଭାବେ ଘରୁ ବ୍ୟବସାୟ ସାମଗ୍ରୀ ବ୍ୟାଗ ସହ ଦୋକାନ ଖୋଲିଥିଲେ । ବ୍ୟାଗ ରଖି ପୂଜା ପାଇଁ ନିକଟସ୍ଥ ନଳକୂପରୁ ପାଣି ଆଣିବାକୁ ଯାଇ ଫେରି ବ୍ୟାଗ ପାଇନଥିଲେ । ଖୋଜାଖୋଜି କରି ବ୍ୟାଗ ନମିଳିବାରୁ ମଞ୍ଜୁରୀରୋଡ ଫାଣ୍ଡିରେ ଅଭିଯୋଗ କରିଥିଲେ । ଉକ୍ତ ବ୍ୟାଗରେ ଗୋଟିଏ ପୁରୁଣା ସୁନା ମଙ୍ଗଳସୂତ୍ର, ହଳେ କାନଫୁଲ, ନୂଆ ଓ ପୁରୁଣା ୨୦ଟି ନାକଫୁଲ, ଚାରିକେଜି ନୂଆ ଓ ପୁରୁଣା ରୂପା ଅଳଙ୍କାର ଓ ନଗଦ ତିନିହଜାର ଟଙ୍କା ଥିଲା । ନିକଟସ୍ଥ ଆକ୍ସିସ ବ୍ୟାଙ୍କ ଏଟିଏମ ସମ୍ମୁଖରେ ଦୁଇଜଣ ଅଚିହ୍ନା ଯୁବକ ନଟପଟ ହେଉଥିବା ପାଖ ଦୋକାନୀମାନେ ଦେଖିଥିଲେ । ଏହି ଲୁଟ ସେମାନଙ୍କ କାର୍ଯ୍ୟ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଅଭିଯୋଗ ପାଇ ଫାଣ୍ଡି ପୁଲିସ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିବା ଜଣାଯାଇଛି । ମାତ୍ର ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ମାମଲା ଋଜୁ ହୋଇ ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୪ ତାରିଖ ସକାଳେ ଅନୁରୂପ ଭାବେ ମଞ୍ଜୁରୀରୋଡ ବଜାର ମା’ ଅଳଙ୍କାର ଦୋକାନରୁ ଅନୁରୂପ ଭାବେ ଲୁଟ ହୋଇଥିଲା । ମାସେ ବ୍ୟବଧାନ ପରେ ଲୁଟେରାମାନେ ଗହଣା ଦୋକାନୀକୁ ପୁନର୍ବାର ଟାର୍ଗେଟ କରି ସଫଳ ହୋଇଛନ୍ତି ।