Home ଜିଲ୍ଲା ପରିକ୍ରମା ମଝି ରାସ୍ତାରୁ ଚଉଁରା ଉଠାଇବାକୁ ଦାବି, ତୁରନ୍ତ ଉଚ୍ଛେଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଲେ ଉପଜିଲାପାଳ

ମଝି ରାସ୍ତାରୁ ଚଉଁରା ଉଠାଇବାକୁ ଦାବି, ତୁରନ୍ତ ଉଚ୍ଛେଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଲେ ଉପଜିଲାପାଳ

66

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ସାନ୍ତରାପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ମଝି ରାସ୍ତାରେ ଥିବା ପୁରୁଣା ଚଉଁରାକୁ ଉଚ୍ଛେଦ କରିବାକୁ ଅଚକ ପଞ୍ଚାୟତ ସରପଞ୍ଚ ପ୍ରେମଲତା ବିଶ୍ୱାଳଙ୍କ ସମେତ ଗଣେଶ ପ୍ରସାଦ ବିଶ୍ୱାଳ, ଅକ୍ଷୟ କୁମାର ମଲିକ, ପ୍ରଶାନ୍ତ ସାହାଣୀ, ବୀରେନ୍ଦ୍ର ମଲିକ, ସୁରେଶ ମଳିକ, ଚିନ୍ତାମଣି ମଳିକ, ରବିନ୍ଦ୍ର ଦଳେଇ, ଗୌରାଙ୍ଗ ସାହାଣୀ, ଅମର ସାହାଣୀ, ଭଗବାନ ସେଠୀ, ରବିନ୍ଦ୍ର ସାମଲ, ସୁଶାନ୍ତ ସାମଲ ପ୍ରମୁଖ ଗ୍ରାମବାସୀ ଉପଜିଲାପାଳଙ୍କ ନିକଟରେ ଦାବି କରିଥିଲେ। ଏହି ଦାବିପତ୍ର ପାଇବା ପରେ ଉପଜିଲାପାଳ ମନୋଜ କୁମାର ପାତ୍ର ଯଥା ସମ୍ଭବ ତୁରନ୍ତ ଚଉଁରାକୁ ଉଚ୍ଛେଦ କରିବାକୁ ତିହିଡ଼ି ତହସିଲଦାର ପ୍ରତୀକ ସାହୁଙ୍କୁ ଗତ ଜୁଲାଇ ୧୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଅଦ୍ୟାବଧି କୌଣସି ପଦକ୍ଷେପ ନିଆନଯିବାରୁ ବୁଧବାର ତିହିଡ଼ି ତହସିଲ କାର୍ଯ୍ୟାଳୟକୁ ଉପଜିଲାପାଳ ଶ୍ରୀ ପାତ୍ର ଗସ୍ତରେ ଆସିଥିବା ସମୟରେ ସରପଞ୍ଚ ଶ୍ରୀମତୀ ବିଶ୍ୱାଳ ଦୀର୍ଘ ସମୟ ଧରି ଉପଜିଲାପାଳଙ୍କୁ ସାକ୍ଷାତ କରିବାକୁ ଅପେକ୍ଷା କରିଥିଲେ। ପରେ ଉପଜିଲାପାଳଙ୍କୁ ସାକ୍ଷାତ କରି ପଦକ୍ଷେପ ନିଆନଯିବା ସମ୍ପର୍କରେ କହିଥିଲେ। ଉପଜିଲାପାଳ ଶ୍ରୀ ପାତ୍ର ଶୀଘ୍ର ପଦକ୍ଷେପ ନେବାକୁ ପୁଣି ତହସିଲଦାରଙ୍କୁ କହିଥିଲେ।

ପ୍ରକାଶ ଯେ, ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାର ଠାରୁ ସାନ୍ତରାପୁର ପର୍ଯ୍ୟନ୍ତ ଦୀର୍ଘ ୭କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି। ଫଳରେ ଏହି ରାସ୍ତାରେ ୩ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ଓ ଯାନବାହାନ ଚଳାଚଳ କରିଆସୁଛି। ମାତ୍ର ରାସ୍ତାର ୨କି.ମି. ପରେ ମହରମପୁର ଗ୍ରାମପଞ୍ଚାୟତର ତରାଶୁଣି ପଡ଼ାଗ୍ରାମ ଶେଷରେ ଏକ ୯୦ଡିଗ୍ରୀ ବାଙ୍କ ସ୍ଥାନରେ ଡାହାଣପଟ ରାସ୍ତା ଉପରେ ଏକ ପୁରୁଣା ତୁଳସୀ ଚଉଁରା ରହି ଯାତାୟତରେ ବାଧା ସୃଷ୍ଟି କରୁଛି। ବାମ ପାଶ୍ୱର୍ରେ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କର ଚାଳଛପର ଗୃହ ରାସ୍ତାକୁ ଲାଗି ରହିଥିଲା। ବର୍ତ୍ତମାନ ଗୃହମାଲିକ କୋଠାଘର ନିର୍ମାଣ କରୁଥିବା ବେଳେ ରାସ୍ତାକୁ ମାଡ଼ି ଆସିଛନ୍ତି। ଯାହାଫଳରେ ଜନସାଧାରଣ ଯାନବାହାନ ନେଇ ଯିବା ଆସିବା କରିପାରୁ ନାହାନ୍ତି। ଏଥି ସହିତ ଜରୁରୀକାଳୀନ ଗାଡ଼ି ମଧ୍ୟ ଯିବାରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟା ସମ୍ପର୍କରେ ଗୃହ ମାଲିକଙ୍କ ସହିତ କିଛି ଗ୍ରାମବାସୀଙ୍କର ବଚସା ହୋଇ ଗଣ୍ଡଗୋଳର ରୂପ ନେଇଛି। ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ମଝି ରାସ୍ତାରେ ଥିବା ଚଉଁରାଟି ତହସିଲଦାରଙ୍କ ମାପ ଅନୁସାରେ ସରକାରୀ ରାସ୍ତାର ମଧ୍ୟସ୍ଥଳରେ ରହିଥିବା ଜଣାପଡ଼ିଛି। ଏହି ସମସ୍ୟାର ସମାଧାନ ପାଇଁ ଜୁନ୍ ୨୪ ତାରିଖରେ ବ୍ଲକର ଅଭିଯୋଗ ଶୁଣାଣି ବେଳେ ମଧ୍ୟ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାର କୌଣସି ସୁଫଳ ନମିଳିବାରୁ ସରପଞ୍ଚ ଶ୍ରୀମତୀ ବିଶ୍ୱାଳ ଉପଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ତେବେ ତହସିଲଦାର ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଚକ ଓ ମହରମପୁର ଦୁଇ ସରପଞ୍ଚଙ୍କ ସମେତ କିଛି ଗ୍ରାମବାସୀଙ୍କୁ ଡାକି ଆଲୋଚନା ପରେ ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.