Home ଓଡ଼ିଶା ଭୋଟର ମହାନ : ବିଧାନସଭା ପାଇଁ ୭ଟି ଯାକ ଆସନରୁ ବିଜେଡ଼ିକୁ ବିଜୟୀ କରିଥିବା ବେଳେ...

ଭୋଟର ମହାନ : ବିଧାନସଭା ପାଇଁ ୭ଟି ଯାକ ଆସନରୁ ବିଜେଡ଼ିକୁ ବିଜୟୀ କରିଥିବା ବେଳେ ଲୋକସଭା ପାଇଁ ଜିତାଇଲେ ବିଜେପିକୁ

736

ବରଗଡ଼, ୨୫/୫ – (ଓଡ଼ିଆ ପୁଅ) ଟେକ୍ଟିକାଲ ଭୋଟିଂ ବା ଯୋଜନାବଦ୍ଧ ଭୋଟିଂର ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ। ବରଗଡ଼ ଲୋକସଭା ଅନ୍ତର୍ଗତ ୭ଟି ଯାକ ବିଧାନସଭା ନିର୍ବାଚନ କ୍ଷେତ୍ରରେ ଯଥା ପଦ୍ମପୁର, ଭଟଲି, ବିଜେପୁର, ବରଗଡ଼, ଅତାବିରା, ଝାରସୁଗୁଡ଼ା ଓ ବ୍ରଜରାଜନଗର ଆଦି ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ହସ୍ତଗତ କରିଥିବା ବେଳେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଯାଇଛି ଭାରତୀୟ ଜନତା ପାର୍ଟି ହାତକୁ। ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି ହେଉଥିବା ବେଳେ ଏବଂ କ୍ରମାନ୍ୱୟରେ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଦେବାକୁ ହେଉଥିବା ବେଳେ ଉଭୟ ନିର୍ବାଚନ ସକାଶେ ଭିନ୍ନ ପ୍ରାର୍ଥୀଙ୍କୁ ଯୋଜନାବଦ୍ଧ ଭାବରେ ଭୋଟ ଦେବା ଆଶ୍ଚର୍ଯ୍ୟଜନକ ଅଟେ। ଲୋକସଭା ପାଇଁ ବିଜେପିକୁ ଏବଂ ବିଧାନସଭା ସକାଶେ ବିଜେଡ଼ିକୁ ପସନ୍ଦ କରିବା ବା ଚୟନ କରିବା ଗୋଟିଏ କଥା ତାକୁ ଭୋଟିଂ ମାଧ୍ୟମରେ କାର୍ଯ୍ୟକାରୀ କରିବା ଆଉ ଗୋଟିଏ କଥା। ବହୁ ରାଜନୈତିକ ପର୍ଯ୍ୟବେକ୍ଷକ ବିଶ୍ୱାସ କରିପାରୁ ନଥିଲେ ଯେ ସାଧାରଣ ଭୋଟର ମଧ୍ୟ ଏଭଳି ବିବେକପୂର୍ଣ୍ଣ ଭାବରେ ଏକସଙ୍ଗେ ପୃଥକ ଦଳ ଓ ପ୍ରାର୍ଥୀଙ୍କୁ ସଠିକ୍ ଭାବରେ ଭୋଟ ଦେଇପାରିବେ। ଅନ୍ୟାନ୍ୟ ସ୍ଥାନରେ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେତୋଟିକୁ ହାସଲ କରିଥିବା ଦଳ ହିଁ ଲୋକସଭା ନିର୍ବାଚନରେ ସଫଳ ହୋଇଛି। କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଲୋକସଭା ନିର୍ବାଚନରେ ସଫଳ ହୋଇଥିବା ଭାରତୀୟ ଜନତା ପାର୍ଟି କେତୋଟି ଲେଖାଏଁ ବିଧାନସଭା ଆସନ ମଧ୍ୟ ପ୍ରାପ୍ତ କରିଛନ୍ତି। ମାତ୍ର ବରଗଡ଼ ଲୋକସଭା ଆସନ କ୍ଷେତ୍ର ମଧ୍ୟରେ ଆସୁଥିବା ୭ଟି ଯାକ ବିଧାନସଭା ଆସନ ବିଜେଡ଼ି ହାତେଇଛି। ଏପରିକି ଏହି ୭ଟି ଆସନ ମଧ୍ୟରୁ ଦୁଇଟି ଆସନ ଯଥା ପଦ୍ମପୁର ଏବଂ ବ୍ରଜରାଜନଗରରେ ବିଜେପି ବିଧାୟକ ଥିବାବେଳେ ସେମାନେ ନିର୍ବାଚନରେ ହାରି ଯାଇଛନ୍ତି। ଏହା ସତ୍ତ୍ୱେ ବରଗଡ଼ ଲୋକସଭା ଆସନରୁ ବିଜେପିର ସୁରେଶ ପୂଜାରୀ ଭଲ ଭୋଟ ହାରରେ ବିଜୟପ୍ରାପ୍ତ କରିଛନ୍ତି। ସେ ୫ ଲକ୍ଷ ୮୧ ହଜାର ୨୪୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜୁ ଜନତା ଦଳର ପ୍ରସନ୍ନ କୁମାର ଆଚାର୍ଯ୍ୟ ୫ ଲକ୍ଷ ୧୭ ହଜାର ୩୦୬ ଭୋଟ ପାଇଛନ୍ତି। ସୁରେଶ ପୂଜାରୀ ପାଇଥିବା ଭୋଟ ହାର ୪୬.୫୮ ହୋଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭୋଟହାର ହେଉଛି ୪୧.୪୫ ପ୍ରତିଶତ। ସୁରେଶ ପୂଜାରୀ ବିଗତ ନିର୍ବାଚନ ଗୁଡ଼ିକରେ ବିଧାନସଭା ଏବଂ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରି ଅକୃତକାର୍ଯ୍ୟ ହୋଇଥିବାରୁ ଚଳିତ ବାର ସେ ବିଜୁ ଜନତା ଦଳର ପ୍ରଭାବଶାଳୀ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସାମ୍ନା କରୁଥିବା ହେତୁ ତାଙ୍କ ଫଳାଫଳକୁ ନେଇ ଅନେକ ସନ୍ଦିହାନ ଥିଲେ। ମାତ୍ର ଭୋଟରଙ୍କ ବିବେକପୂର୍ଣ୍ଣ ଯୋଜନାବଦ୍ଧ ଭୋଟ ଦାନରେ ଶ୍ରୀ ପୂଜାରୀ ବହୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କ ବିଜୟକୁ ନେଇ ଉଭୟ ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ଖୁବ୍ ଆନନ୍ଦ ପ୍ରକାଶ ପାଇଛି। ବହୁ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୋବିନ୍ଦତୋଲାରେ ଥିବା କାର୍ଯ୍ୟାଳୟରେ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଛି। ଏଥିରେ ବହୁ ସମର୍ଥକ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.