Home ଓଡ଼ିଶା ଭୁବନେଶ୍ୱର : ଅଖିଳ ଭାରତୀୟ ବିଶାଳ ଆଇନ୍ ସଚେତନତା ଶିବିର

ଭୁବନେଶ୍ୱର : ଅଖିଳ ଭାରତୀୟ ବିଶାଳ ଆଇନ୍ ସଚେତନତା ଶିବିର

63

– ସାଧାରଣ ଜନତାଙ୍କୁ ଆଇନଗତ ଓ ସାମାଜିକ ସ୍ତରରେ ଏହା ସଶକ୍ତ କରିବ।
– ୧୬ଟି ଅସ୍ଥାୟୀ ଶିବିରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା।
– ୩୦୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ

ଭୁବନେଶ୍ୱର ୬.୧୧ (ଓଡ଼ିଆ ପୁଅ) ଜାତୀୟ ଆଇନ୍ ସେବା ପ୍ରାଧୀକରଣ, ନୂଆଦିଲ୍ଲୀ ତଥା ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଖୋର୍ଦ୍ଧାଙ୍କ ପକ୍ଷରୁ ଆଜି “ଅଖିଳ ଭାରତୀୟ ବିଶାଳ ଆଇନ୍ ସଚେତନତା ଶିବିର” ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ମାନ୍ୟବର ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଖୋର୍ଦ୍ଧା, ଭୁବନେଶ୍ୱରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସହଯୋଗରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସରକାରୀ ସହାୟତା ପ୍ରଦାନ ନିମନ୍ତେ ବିଭିନ୍ନ ବିଭାଗର ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ମୁଖ୍ୟ ଅଧିକାରୀଙ୍କ ସହଯୋଗରେ ୧୬ଟି ଅସ୍ଥାୟୀ ଶିବିର ଖୋଲାଯାଇ ହିତାଧିକାରୀମାନଙ୍କୁ ସହାୟତା ଓ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଭିନ୍ନକ୍ଷମମାନଙ୍କୁ ଟ୍ରାଇ ସାଇକଲ, ମାସିକ ପେନ୍ସନ, ସାଧାରଣ ଜନତାଙ୍କୁ ସେମାନଙ୍କର ବିଭିନ୍ନ ଉଲ୍ଲେଖନୀୟ ସମାଜସେବା ପାଇଁ ପ୍ରୋତ୍ସାହନ ରାଶି ଏବଂ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଆଦି ବହୁବିଧ କଲ୍ୟାଣକାରୀ ଯୋଜନାର ସହାୟତା ବିଭିନ୍ନ ବିଭାଗ ତରଫରୁ ମାନ୍ୟବର ଜିଲ୍ଲା ଜଜ୍ ନିଶିଥ ନିଶାଙ୍କ, ସ୍ୱତନ୍ତ୍ର ବିଚାର ପତି ବିଶ୍ୱଜିତ୍ ଦାସ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପ-ଜିଲ୍ଲାପାଳ ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ, ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ସତ୍ୟ ନାରାୟଣ ପାତ୍ର ଓ ବହୁ ପଦସ୍ଥ ବିଚାର ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଶିବିରରେ ପ୍ରାୟ ୩୦୦୦ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିବା ବେଳେ ସାଧାରଣ ଜନତାକୁ ସଶକ୍ତ କରିବା ପାଇଁ ଏବଂ ସେମାନଙ୍କୁ ଆଇନଗତ ଓ ସାମାଜିକ ସ୍ତରରେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଶିବିର ଉଦ୍ଦିଷ୍ଟ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୌଦାମିନି ସିଂ ପ୍ରକାଶ କରିଥିଲେ।

ସୂଚନା ଯୋଗ୍ୟ ଯେ, ସାରା ଭାରତରେ ପାନ୍ ଇଣ୍ଡିଆ ଆଇନ୍ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଅବସରରେ ଖୋର୍ଦ୍ଧା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ, ଗ୍ରାମ, ସହରାଂଚଳରେ ଅଭିଜ୍ଞ ତାଲିକାଭୁକ୍ତ ଆଇନଜୀବୀ, ଆଇନ୍ ସହାୟତା କର୍ମୀ, ଆଇନ୍ ଛାତ୍ରଛାତ୍ରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ନଭେମ୍ବର ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା କାର୍ଯ୍ୟକ୍ରମ ବ୍ୟାପକ ଭାବରେ ଆୟୋଜନ କରାଯାଉଛି। ସେହିପରି ଜିଲ୍ଲାର ସମସ୍ତ ସବ୍ ଜେଲ୍, ସ୍ୱତନ୍ତ୍ର ଜେଲ୍ ଗୁଡିକରେ ବିଚାରାଧିନ ବନ୍ଦୀ ଏବଂ ସଜ୍ଜା କାଟୁଥିବା ବନ୍ଦୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଆଜାଦି କା ଅମୃତ ମହୋତ୍ସବ” ପାଳନ ଅବସରରେ “ହକ୍ ହମାରା ଭି ତୋ ହେ @ ୭୫” ପ୍ରାଧିକରଣଙ୍କ ପକ୍ଷରୁ ଆୟୋଜନ କରାଯାଇ ବନ୍ଦୀମାନଙ୍କ ପାଇଁ ଆଇନରେ ଥିବା ବିଧି ବ୍ୟବସ୍ଥା ସଂପର୍କରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଉଅଛି ଏବଂ ସେମାନଙ୍କୁ ଆଇନଗତ ସେବା, ସାହାଯ୍ୟ ଓ ପରାମର୍ଶ ଯୋଗାଇଦିଆଯାଉଛି।

ଆଜିର ଅନୁଷ୍ଠିତ ଏହି ମେଗା ଶିବିରରେ ଭୁବନେଶ୍ୱର ବାର ଆସୋସିଏସନର ସଭାପତି, ସଂପାଦକ, ବହୁ ଆଇନଜୀବୀ, ଆଇନ୍ ସହାୟତା କର୍ମୀ, ଗଣମାଧ୍ୟମର ପ୍ରତିନିଧି, ହିତାଧିକାରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣଙ୍କ ସମେତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସମାଜ ମଙ୍ଗଳ, ଶ୍ରମ ବିଭାଗ, ମିଶନ ଶକ୍ତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଆଂଚଳିକ ପରିବହନ କାର୍ଯ୍ୟାଳୟ, ପଂଚାୟତିରାଜ ଓ ପାନୀୟ ଜଳ, ପଂଚାୟତ ସମିତି, ଭୁବନେଶ୍ୱର, ଶିକ୍ଷା ବିଭାଗ, ମୃତ୍ତିକା ସଂରକ୍ଷଣ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆଦି ତରଫରୁ ଏହି ଅସ୍ଥାୟୀ ଶିବିର (ଷ୍ଟଲ) ମାନ ଖୋଲା ଯାଇଥିଲା। ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ବିଭିନ୍ନ ସରକାରୀ ଯୋଜନାରୁ କିପରି ଜନସାଧାରଣ ଉପକୃତ ହୋଇପାରିବେ ସେ ସଂପର୍କରେ ବିଶଦ୍ ଭାବେ ସୂଚନା ଦେଇଥିଲେ। ଭୁବନେଶ୍ୱର ଓ ବାଲିଅନ୍ତା ବ୍ଲକର ବିଡିଓ, ବାଲିଅନ୍ତା ଓ ବାଲିପାଟଣା ବ୍ଲକ ତହସିଲଦାରଙ୍କ ସମେତ ଜିଲ୍ଲା ତଥା ଭୁବନେଶ୍ୱର ଉପଖଣ୍ତସ୍ତରୀୟ ଅଧିକାରୀମାନେ ଏହି ଶିବିର ପରିଚାଳନାରେ ସହାୟତା କରିଥିଲେ। ପରିଶେଷରେ ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସୌଦାମିନି ସିଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.