Home Top News ଭିଡ଼ିଓ ବାର୍ତ୍ତା ଯୋଗେ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭିଡ଼ିଓ ବାର୍ତ୍ତା ଯୋଗେ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

40

ଓଡ଼ିଆ ନବ ବର୍ଷ ରାଜ୍ୟବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଆଣିଦେଉ-ଧର୍ମେନ୍ଦ୍ର ପ୍ରଧାନ

– ପର୍ବ ଗୁଡ଼ିକ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତିଭୂମିକୁ ମଜଭୂତ କରେ
– ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଶିଖର ଦେଶରେ ପହଁଚାଇବା ଆମ ମାନଙ୍କର ଦାୟିତ୍ୱ
– ଓଡିଆ ସଂସ୍କୃତି, ପରମ୍ପରା ଓ ଅତୀତ ଗୌରବକୁ ପୁର୍ନଜୀବିତ କରିବା ପାଇଁ ଶପଥ ନେବା

ଭୁବନେଶ୍ୱର, ଏପ୍ରିଲ ୧୪ (ଓଡ଼ିଆ ପୁଅ) – ମହାବିଷୁବ ପଣା ସଂକ୍ରାନ୍ତି, ପବିତ୍ର ଓଡ଼ିଆ ନବ ବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ରାଜ୍ୟ, ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଉତ୍କଳୀୟ ନବ ବର୍ଷ ଆମ ରାଜ୍ୟବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଆଣିଦେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ, ଏହା ପ୍ରଭୁଙ୍କ ନିକଟରେ ଶ୍ରୀ ପ୍ରଧାନ କାମନା କରିଛନ୍ତି। ଏହି ଭିଡ଼ିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଜନମାନସରେ ପର୍ବ ପର୍ବାଣୀର ସ୍ଥାନ ସ୍ୱତନ୍ତ୍ର। ପାରମ୍ପରିକ ପର୍ବ ଗୁଡ଼ିକ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତିଭୂମିକୁ ମଜଭୂତ କରେ। ଆଜିର ପବିତ୍ର ଦିନରେ ଓଡ଼ିଶାରେ ନୂଆ ପାଞ୍ଜି ପ୍ରଚଳନ ହୋଇଥାଏ। ସମସ୍ତ ଦେବାଦେବୀ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଏବଂ ଭୋଗ ଲାଗି ହୋଇଥାଏ। ପଣା ପିଇ ଓଡ଼ିଆ ନବ ବର୍ଷକୁ ବଡ଼ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଏ। ଓଡ଼ିଆ ଘରର ଏହି ପରମ୍ପରା ଅତିବ ନିଆରା।

ଦକ୍ଷିଣ ଓଡ଼ିଶା ଓ ଉତର ଓଡ଼ିଶାରେ ମଧ୍ୟ ଆଜିର ଦିନଟିକୁ ବିଭିନ୍ନ ଢ଼ଙ୍ଗରେ ପାଳନ କରାଯାଏ। ଦକ୍ଷିଣ ଓଡ଼ିଶାରେ ସାହି ସାହିରେ ଦଣ୍ଡନାଚ ଅନୁଷ୍ଠିତ ହୁଏ। ଦଣ୍ଡନାଚ ଆମ ଉତ୍କଳୀୟ ସଂସ୍କୃତିର ଏକ ଅନନ୍ୟ ଲୋକନାଚ। ସେହିପରି ଉତର ଓଡ଼ିଶାରେ ଏହି ସମୟରେ ‘ଚଡ଼କ ପର୍ବ’ ପାଳନ କରାଯାଏ। ଏହି ସବୁ ପର୍ବ ଜନସାଧାରଣଙ୍କ ମନରେ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନା ଜାଗ୍ରତ କରେ। କୋଭିଡ୍ କଟକଣା କାରଣରୁ ଆମେ ବିଗତ କିଛି ବର୍ଷ ଧରି ଆମର ପର୍ବକୁ କେବଳ ଘରେ ରହି ପରିବାର ସଦସ୍ୟଙ୍କ ସହ ପାଳନ କରୁଥିଲୁ। କିନ୍ତୁ ଆଜି ଆମେ ସମସ୍ତେ ଭାଇ ବନ୍ଧୁ, କୁଟୁମ୍ବ ଓ ପରିଜନଙ୍କ ସହ ମିଶି ଓଡ଼ିଆ ନବବର୍ଷ ପାଳନ କରୁଛୁ।

ପାରମ୍ପରିକ କଳା, ସଂସ୍କୃତି, ସଂଗୀତ, ନୃତ୍ୟ, ଖାଦ୍ୟ, ପୋଷାକ ଏବଂ ଐତିହାସିକ ସ୍ମାରକୀ ପାଇଁ ସମଗ୍ର ବିଶ୍ୱରେ ଓଡିଶାର ସ୍ଥାନ ସ୍ୱତନ୍ତ୍ର। ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅତୀତରେ ଯେଭଳି ବିଶ୍ୱବିଦିତ ଥିଲା, ଆଜି ମଧ୍ୟ ଏ ସବୁକୁ ଶିଖର ଦେଶରେ ପହଁଚାଇବା ଆମ୍ଭ ମାନଙ୍କର ଦାୟିତ୍ୱ। ଆଜି ଓଡ଼ିଆ ନବ ବର୍ଷ ଅବସରରେ ଆମେ ଆମର ସଂସ୍କୃତି, ପରମ୍ପରା ଓ ଅତୀତ ଗୌରବକୁ ପୁର୍ନଜୀବିତ କରିବା ପାଇଁ ଶପଥ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.