Home ଜିଲ୍ଲା ପରିକ୍ରମା ଭିକାରୀ ସଂଖ୍ୟା- ରାଜ୍ୟର ୧୪ତମ ସ୍ଥାନରେ ଭଦ୍ରକ, ଜିଲାରେ ଖାଦ୍ୟ ସୁରକ୍ଷା ଯୋଜନାରେ ୧୧ ଲକ୍ଷ...

ଭିକାରୀ ସଂଖ୍ୟା- ରାଜ୍ୟର ୧୪ତମ ସ୍ଥାନରେ ଭଦ୍ରକ, ଜିଲାରେ ଖାଦ୍ୟ ସୁରକ୍ଷା ଯୋଜନାରେ ୧୧ ଲକ୍ଷ ୬୧ ହଜାର ୧୮୧ ସାମିଲ

174

ଭଦ୍ରକ, ୧୪ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- କାମ କରୁନି ରାଜ୍ୟ ସରକାରଙ୍କ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା । ଭଦ୍ରକ ସହରରେ ଦିନକୁ ଦିନ ଭିକାରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସଂଖ୍ୟାରେ ରାଜ୍ୟରେ ୧୪ତମ ସ୍ଥାନରେ ରହିଛି ଭଦ୍ରକ । ଭଦ୍ରକ ଜିଲାରେ ମୋଟ ୧୮୮ ଜଣ ଭିକାରୀ ଥିବା ସରକାରୀ ସ୍ତରରେ ଦର୍ଶାଯାଇଛି । ତେବେ ଏପରି ଲୋକଙ୍କୁ ଚିହ୍ନଟ କରି ଥଇଥାନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । କିନ୍ତୁ ଯୋଜନା ପ୍ରଶାସନିକ ସ୍ତରରେ କାର୍ଯ୍ୟକାରୀ ହୋଇପାରୁନି । ଫଳରେ ଭିକାରୀ ସଂଖ୍ୟା ବଢି ଚାଲିଥିବା ସୂଚନା ମିଳିଛି । ରାଜ୍ୟରେ ଏବେ ମୋଟ ୬୭୯୦ ଜଣ ଭିକାରୀ ଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି । ସର୍ବାଧିକ କଟକ ଜିଲାରେ ୧୦୬୦ ଜଣ ଭିକାରୀ ରହିଥିବାବେଳେ ବାଲେଶ୍ୱରରେ ସବୁଠାରୁ କମ୍ ୧୩୧ ଜଣ ଭିକାରୀ ଥିବା ସରକାରୀ ରିପୋର୍ଟ କହୁଛି । ଭଦ୍ରକ ଜିଲା ୧୪ତମ ସ୍ଥାନରେ ରହିଥିବାବେଳେ ଏଠାରେ ୧୮୮ ଜଣ ଭିକାରୀ ରହିଛନ୍ତି । ଭଦ୍ରକ ଜିଲାରେ ଜନସଂଖ୍ୟାର ୮୪ ପ୍ରତିଶକ ଲୋକଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ତଥାପି ଜିଲାରେ ଗରିବୀ ହଟୁନାହିଁ । ବାଟଘାଟ, ରାସ୍ତାକଡରେ ଏବେବି ଶହ ଶହ ଲୋକ ଭିକ୍ଷାବୃତ୍ତି କରି ସେମାନଙ୍କ ଜୀବନ ନିର୍ବାହ କରୁଛନ୍ତି । ଏହା ସରକାରୀ ଆକଳନ ଅନୁସାରେ ବହୁ ଗୁଣରେ ଅଧିକ ହେବ । ଆବଶ୍ୟକତାକୁ ଉପଲବ୍ôଧ କରି କେନ୍ଦ୍ର ସରକାର ଗତ ୨୦୧୩ ମସିହାରେ ଦେଶବ୍ୟାପୀ ଖାଦ୍ୟସୁରକ୍ଷା ଆଇନ୍ ଲାଗୁ କରିଥିଲେ । ତଦନୁଯାୟୀ, ଭଦ୍ରକ ଜିଲାରେ ଗତ ୨୦୧୧ ଜନଗଣନାକୁ ଆଧାର ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିଲା । ଏଥିରେ ବହୁ ଯୋଗ୍ୟ ହିତାଧିକାରୀ ସାମିଲ ହୋି ନପାରିବାରୁ ରାଜ୍ୟ ସରକାର କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଢାଞ୍ଚାରେ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଥିଲେ । ଜିଲାରେ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେବାକୁ ୭ ବର୍ଷ ବିତିଲାଣି । କିନ୍ତୁ ଭଦ୍ରକରେ ଗରିବୀ କମିବାରେ ନାଁ ଧରୁନି ।

ସୂଚନା ଅନୁଯାୟୀ ଭଦ୍ରକ ଜିଲାରେ ଏବେ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୨ ଲକ୍ଷ ୬୧ ହଜାର ୧୮୧ ଜଣ ଲୋକ ସାମିଲ ହୋଇଛନ୍ତି । ଏଥିରେ କେନ୍ଦ୍ର ଖାଦ୍ୟ ସୁରକ୍ଷାରେ ୧୧ ଲକ୍ଷ ୩୨ ହଜାର ୮୨୧ ଜଣ ସାମିଲ ହୋଇଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୮ ହଜାର ୩୬୦ ଜଣ ସାମିଲ ହୋଇଛନ୍ତି । ଯୋଜନାରେ ହିତାଧିକାରୀଙ୍କୁ ମାସିକ ମୁଣ୍ଡପିଛା ୫ କେଜି ହିସାବରେ ଟଙ୍କିକିଆ ଚାଉଳ, ଗହମ ଯୋଗାଇ ଦେଉଛନ୍ତି । ଏହି ହିସାବ ଅନୁଯାୟୀ ଭଦ୍ରକ ଜିଲାରେ ଖାଦ୍ୟ ସୁରକ୍ଷାରେ ମାସିକ ପ୍ରାୟ ୬୦ ହଜାର କ୍ୱିଣ୍ଟାଲ ଚାଉଳ, ଗହମ ବଣ୍ଟନ କରାଯାଉଛି । ତେବେ ୨୦୧୧ ଜନଗଣନା ହିସାବ ଅନୁଯାୟୀ ଭଦ୍ରକ ଜିଲାରେ ଜନସଂଖ୍ୟା ୧୫ ଲକ୍ଷ ୬ ହଜାର ହୋଇଥିବାବେଳେ ସେଥିରୁ ୮୪ ପ୍ରତିଶତ ଅର୍ଥାତ୍ ୧୧ ଲକ୍ଷ ୬୧ ହଜାର ଲୋକଙ୍କୁ କେବଳ ଖାଦ୍ୟ ସୁରକ୍ଷାରେ ସାମିଲ କରାଯାଇଛି । ଏହି ସୂଚନା ଅନୁଯାୟୀ ଜନସଂଖ୍ୟାର ମାତ୍ର ୧୬ ପ୍ରତିଶତ ଲୋକଙ୍କୁ ସ୍ୱଚ୍ଛଳବର୍ଗର ଦର୍ଶାଯାଇ ସେମାନଙ୍କୁ ଖାଦ୍ୟ ସୁରକ୍ଷାରୁ ଅନ୍ତର କରାଯାଇଛି । ଜିଲାର ପ୍ରାୟ ୮୫ ପ୍ରତିଶତ ଲୋକଙ୍କୁ ଖାଦ୍ୟ ସୁରକ୍ଷାରେ ସାମିଲ କରାଯିବା ସତ୍ୱେ ଜିଲାରେ ଭିକ୍ଷା ବୃତ୍ତି ଭଳି ହୀନ ପ୍ରବୃତିର ବିଲୋପ ସାଧନ ହୋଇନାହିଁ । ସୂଚନାଯୋଗ୍ୟ, ରାଜ୍ୟରେ ସର୍ବାଧିକ କଟକରେ ଭିକାରୀ ସଂଖ୍ୟା ୧୦୬୦ ଜଣ ରହିଥିବାବେଳେ ବରଗଡରେ ୫୯୫, ଗଂଜାମରେ ୫୪୫, ବଲାଙ୍ଗୀରେ ୫୦୨, ସୁନ୍ଦରଗଡରେ ୪୪୭, ଖୋର୍ଦ୍ଦାରେ ୪୧୮, କଳାହାଣ୍ଡିରେ ୩୬୩, ନୂଆପଡା ୩୫୪, ପୁରୀ ୩୫୦, ସୋନପୁର ୨୮୩, କୋରାପୁଟ ୨୨୨, ଅନୁଗୋଳ ୨୦୫, ଯାଜପୁର ୧୯୬ ଜଣ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.