Home Top News ଭାରତ ଯୋଡ଼ୋ ଯାତ୍ରା ସହିତ ଯୋଡ଼ି ହେଲେ ଓଡ଼ିଶାର ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ :...

ଭାରତ ଯୋଡ଼ୋ ଯାତ୍ରା ସହିତ ଯୋଡ଼ି ହେଲେ ଓଡ଼ିଶାର ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ : ସମ୍ମିଳନୀରେ ଯୋଗଦେଲେ ଦିଗବିଜୟ ସିଂହ ଓ ଜୟରାମ ରମେଶ

33

ଭୁବନେଶ୍ୱର ୧୯.୯ (ଓଡ଼ିଆ ପୁଅ) – ସଂପ୍ରତି ଦେଶରେ କଂଗ୍ରେସ ଦଳ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ପ୍ରତି ଦେଶବାସୀଙ୍କର ଅଭୁତପୂର୍ବ ଜନ ସମର୍ଥନ ମିଳୁଛି। ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଲେଖକ ଇତ୍ୟାଦି ବିଭିନ୍ନ ବର୍ଗର ଲୋକମାନେ ଏହା ସହିତ ଯୋଡ଼ି ହେଉଛନ୍ତି। ଓଡ଼ିଶାରେ ମଧ୍ୟ ଏହାର ଆଭାସ ମିଳିଛି। ଗତକାଲି ଓଡ଼ିଶାର ବୁଦ୍ଧିଜୀବି, ଲେଖକ, ସାମାଜିକ କର୍ମୀ, ପୂର୍ବତନ ପ୍ରଶାସକ, କଳାକାର ପ୍ରମୁଖ ଏହା ସହିତ ଯୋଡ଼ି ହୋଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ ଏକ ବୁଦ୍ଧିଜୀବୀ ଓ ସାମାଜିକ ସମ୍ମିଳନୀରେ ଯୋଗ ଦେଇ ସେମାନେ ଭାରତ ଯୋଡ଼ୋ ଯାତ୍ରା ପ୍ରତି ସେମାନଙ୍କର ସମର୍ଥନ ଜ୍ଞାପନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଯୋଗଦେଇ ଦେଶର ସାଂପ୍ରତିକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦୂରବସ୍ଥା ସମୟରେ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମାନେ ନୀରବ ଦ୍ରଷ୍ଟା ହୋଇ ନରହି ବାହାରକୁ ଆସି ଏହାର ପ୍ରବାଦ କରିବାକୁ ଆହ୍ୱାନ ଦେଇଥିଲେ। ଆର ଏସ ଏସ ଓ ବିଜେପିର ଜନବିରୋଧି ନୀତି, ସମ୍ବିଧାନ ପ୍ରତି ଅସମ୍ମାନ, ଦରଦାମ ଓ ବେକାରୀକୁ ନିୟନ୍ତ୍ରଣ କରିବାରେ ବିଫଳତା ବିରୁଦ୍ଧରେ ସେମାନେ ସ୍ୱର ଉତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ଦଳର ଜାତୀୟ ପ୍ରବକ୍ତା ଶ୍ରୀ ଜୟରାମ ରମେଶ ଏଥିରେ ଯୋଗଦେଇ ଭାରତ ଯୋଡ଼ୋର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ପ୍ରତି କେନ୍ଦ୍ରର ବିଜେପି ଦେଶକୁ ଘୃଣା ଓ ବିଦ୍ୱେଷ ଭିତରକୁ ନେଇ ଯାଉଛି। ଧନୀ ଓ ଗରିବ ଭିତରେ ପାର୍ଥକ୍ୟ ବଢ଼ି ବଢ଼ି ଚାଲିଛି। ଦେଶର ଏକତା ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି। ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ଦେଶବାସୀଙ୍କୁ ଯୋଡ଼ିବା ସହିତ ବିଜେପିକୁ ସେଥିରୁ କ୍ଷାନ୍ତ ହେବାକୁ ବାଧ୍ୟ କରିବା ଆଜିର ଆହ୍ୱାନ ବୋଲି ସେ କହିଥିଲେ। ବରିଷ୍ଟ ସାମ୍ବାଦିକ ରବିଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାରେ ବିଜେଡ଼ି ଓ କେନ୍ଦ୍ର ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଏବଂ ଏହି ଦୁଇ ଶକ୍ତିକୁ ପରାସ୍ତ କରିବାପାଇଁ ସେ ଓଡ଼ିଶାରେ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନଙ୍କୁ ନିବେଦନ କରିଥିଲେ। ଭାରତର ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତୀ ଅରୁଣା ରାୟ ଏଥିରେ ଯୋଗଦେଇ ବିଭେଡକାରୀ ଓ ସାମ୍ପ୍ରଦାୟିକ ଶକ୍ତି ଦେଶପାଇଁ ବିପଦ ଏବଂ ଏହା ବିରୁଦ୍ଧରେ ସମସ୍ତେ ଏକାଠି ହେବା ଆଜି ଜରୁରୀ ବୋଲି କହିଥିଲେ। ପୂର୍ବତନ ବିଚାରପତି ଶ୍ରୀ ମନୋରଞ୍ଜନ ମହାନ୍ତି ଗାନ୍ଧୀଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରି ସାମ୍ପ୍ରଦୟିକ ଶକ୍ତିକୁ ପରାସ୍ତ କରିବାପାଇଁ ପ୍ରସ୍ତାବ ରଖିଥିଲେ। ବିଶିଷ୍ଟ ପ୍ରଶାସକ ଶ୍ରୀ ଅରବିନ୍ଦ ବେହେରା ସମ୍ପ୍ରତି ରାଜନୀତି ରେ ମୂଲ୍ୟବୋଧର ଅବକ୍ଷୟ ଉପରେ ଚିନ୍ତା ପ୍ରକଟ କରିବା ସହିତ କଂଗ୍ରେସ ତାର ମୌଳିକ ମୂଲ୍ୟବୋଧ ଉପରେ ରାଜନୀତିକୁ ଶାଣିତ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନୟ ରଥ, ଗାନ୍ଧୀ ଯୁବ ଫାଉଣ୍ଡେସନ ଅଧ୍ୟକ୍ଷ ବିଶ୍ୱଜିତ ରାୟ, ପ୍ରଫେସର ବିଜୟ ବହିଦାର, ପ୍ରଫେସର ଖାରବେଳ ମହାନ୍ତି, ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ବସନ୍ତ ମଲ୍ଲିକ, ମଧୁମିତା ରାୟ, ପ୍ରଦୀପ ପ୍ରଧାନ, ନଟବର ଖୁଂଟିଆ ପ୍ରମୁଖ ଏଥିରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଙ୍କ ସହତ ଶ୍ରୀ ବିସ୍ମୟ ମହାପାତ୍ର, ଅମିୟ ପାଣ୍ଡବ ଓ ସୁଦର୍ଶନ ଦାସ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.