Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେଡି ଜିଲା କାର୍ଯ୍ୟାଳୟରେ ପର୍ଯ୍ୟବେକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ, ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥର...

ଭଦ୍ରକ ବିଜେଡି ଜିଲା କାର୍ଯ୍ୟାଳୟରେ ପର୍ଯ୍ୟବେକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ, ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ, ‘ଓଡ଼ିଶାର ପ୍ରତି ଜନସାଧାରଣଙ୍କ ଜୀବନ ଓ ସ୍ୱାର୍ଥ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ’ – ସଂଜୟ ଦାସବର୍ମା

23

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟାରେ ଭଦ୍ରକ ଜିଲା ବିଜୁ ଜନତା ଦଳ ପକ୍ଷରୁ ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ବିଜୁ ଭବନରେ ନୂତନବର୍ଷ ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ ଉପସ୍ଥିତ ସମସ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ ପୂର୍ବକ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଜିଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଯେଉଁସବୁ ଲୋକ ହିତକର ଯୋଜନା କାର୍ଯ୍ୟକାରୀ କରିବା ସହ ଭଦ୍ରକ ଜିଲାର କୃଷି, ଜଳସେଚନ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶିଳ୍ପାୟନ ପ୍ରତିଷ୍ଠାରେ ଯେଉଁ ତତ୍ପରତା ପ୍ରକାଶ କରିଛନ୍ତି, ତାହା ସୂଚାଇଥିଲେ । ବିଶେଷକରି ମୁଖ୍ୟମନ୍ତ୍ରୀ ଯେଉଁମାନଙ୍କର ରାସନ କାର୍ଡ ଥିଲା, ସେମାନେ ବିଏସ୍‌କେୱାଇ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇ ମହିଳାମାନେ ୧୦ ଲକ୍ଷ ଓ ପୁରୁଷମାନେ ୫ ଲକ୍ଷ ଟଙ୍କା ପାଇ ଯେକୌଣସି ଦୁଃସାଧ୍ୟ ରୋଗରୁ ଉପଶମ ପାଉଥିଲେ । ମାତ୍ର ଯେଉଁମାନେ ଏହି କାର୍ଡରୁ ବଂଚିତ ହୋଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଏକ ନୂତନ ଯୋଜନା ବିଏସ୍‌କେୱାଇ ନବୀନ କାର୍ଡ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚାଇବା ସହ ତାହା ଚଳିତମାସ ୬ ତାରିଖରୁ ୧୬ ତାରିଖ ମଧ୍ୟରେ ପୋର୍ଟାଲ ମାଧ୍ୟମରେ ହିତାଧିକାରୀମାନେ ଆବେଦନ କରିପାରିବେ ବୋଲି କହିଥିଲେ । ଯେଉଁମାନେ ଆୟକର ଦେଉନଥିବେ ଏବଂ ସରକାରୀ ଚାକିରୀ କରିଥିବେ, ସେମାନଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତେ ନବୀନ କାର୍ଡର ସୁବିଧା ପାଇବା ପାଇଁ ଆବେଦନ କରିପାରିବେ ବୋଲି ସୂଚାଇ ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ।

ସେହିଭଳି ଯେଉଁମାନେ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି, ଆଗାମୀ ଦିନରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ହେଉ କି ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ଭତ୍ତା ପାଇପାରିବେ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସେମାନଙ୍କର ସ୍ଥିତି ଆକଳନ କରି ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗ୍ରାମାଞ୍ଚଳରେ ଥିବା ଜଗନ୍ନାଥ ସଂସ୍କୃତି, ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ଓ ଆଧ୍ୟାତ୍ମିକ ଚେତନାର ଉନ୍ନତି ତଥା ଗ୍ରାମ୍ୟ ଭିତ୍ତିଭୂମିକୁ ସୁଦୃଢ ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିବାବେଳେ ଏହା କିଭଳି ସଦୁପଯୋଗ ହେବ, ସେଥିପ୍ରତି ସମସ୍ତେ ସଚେତନ ହେବା ସହ ଯଥାଶୀଘ୍ର ପ୍ରକଳ୍ପର ସଂପୂର୍ଣ୍ଣକରଣ ପାଇଁ ତତ୍ପର ପ୍ରକାଶ ପାଇବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଆବଶ୍ୟକତାକୁ ଅନୁଭବ କରି ୪ କୋଟିରୁ ଅଧିକ ଅର୍ଥ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଥିବାବେଳେ ତାହାର ସଫଳ ରୂପାୟନ କିଭଳି ତୃଣମୂଳ ସ୍ତରରେ ହୋଇପାରିବ, ସେ ଦିଗରେ ନିର୍ବାଚିତ ପ୍ରତିନିଧି ତଥା ବିଧାୟକ, ସାଂସଦ, ଜିଲା ପରିଷଦ ସଭାପତି, ସରପଞ୍ଚ, ସମିତି ସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ ଏବଂ ୱାର୍ଡ ସଭ୍ୟ ଉତ୍ତରୋତ୍ତର ଦାୟିତ୍ୱ ନେଇ ପାରଦର୍ଶିତାର ସହିତ କାର୍ଯ୍ୟର ସଫଳ ରୂପାୟନ ପାଇଁ ଆଜି ଧାମନଗରର ଜିଲା କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଷୟ କହିଥିଲେ ।

ସେହିଭଳି ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣ ଓ ଆରାଧ୍ୟ ଦେବତା ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧୭ ଓ ୧୮ ତାରିଖରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଯାଉଥିବାର ସୂଚାଇ ଶ୍ରୀଜଗନ୍ନାଥଙ୍କ ଠାରେ ସମର୍ପଣ ମନୋଭାବରେ ପ୍ରତି ପଂଚାୟତର ପ୍ରତି ପରିବାର ଗୁଆ ଓ ଚାଉଳ ଅର୍ଘ୍ୟ ଭାବରେ ଅର୍ପଣ କରିବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଥିବା ବିଷୟ କହିଥିଲେ । ବିଶେଷକରି ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲାର କୃଷି, ଜଳସେଚନ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶିଳ୍ପାୟନ ପ୍ରତିଷ୍ଠା ପାଇଁ ଯଥେଷ୍ଟ ତତ୍ପରତା ପ୍ରକାଶ କରିଥିବାବେଳେ ୪ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଧାମନଗର ଠାରେ ବୈତରଣୀ ନଦୀରେ କୋଚିଳା ବ୍ୟାରେଜ ପ୍ରତିଷ୍ଠା, ଧାମନଗର ଛକ ଏବଂ ଧାମରା-ବାସୁଦେବପୁର ଠାରେ ୨ ହଜାର ଏକର ପରିମିତ ଜମି ଉପରେ ଶିଳ୍ପାୟନ ପ୍ରତିଷ୍ଠାର ଯୋଜନା, ଧନକଣିଆଁ ଠାରେ ୮୦ କୋଟି ଟଙ୍କା ବ୍ୟୟଅଟକଳରେ ସେତୁ ନିର୍ମାଣ, ପଂଚୁଟିକ୍ରିୀ ଠାରେ ୫୦ କୋଟି ଟଙ୍କାର ସେତୁ, ବାଲିଆପାଳ ଘାଟ ସେତୁ ନିର୍ମାଣ ବାବଦରେ ୫୦ କୋଟି, ଆଖଣ୍ଡଳମଣି ପୀଠର ଉନ୍ନତିକରଣରେ ୫୦ କୋଟି, ୧୬ନଂ ଜାତୀୟ ରାଜପଥ ଗେଲପୁର ଠାରୁ ଡାହାଣୀଗଡିଆ ଭାୟା ଭଦ୍ରକାଳୀ ପର୍ଯ୍ୟନ୍ତ ୧୦୦ କୋଟି, ଚାନ୍ଦବାଲି, ତିହିଡି, ବାସୁଦେବପୁର ଓ ଧାମନଗରର ପାନୀୟ ଜଳ ପ୍ରକଳ୍ପରେ ଆଂଶିକ ୮୯୨ କୋଟି, ଭଦ୍ରକ ଜିଲା ହସ୍‌ପିଟାଲ, ଇଦ୍‌ଗାହା, ମନ୍ଦିର ଓ ମସ୍‌ଜିଦ୍ ନିର୍ମାଣରେ ୨୫୦ କୋଟି, ବିଭିନ୍ନ ନିର୍ବାଚନ ମଣ୍ଡଳୀର ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ୧୫୦ କୋଟି, ବୈତରଣୀ ନଦୀର ବାମପାଶ୍ୱର୍ ନଦୀବନ୍ଧ ନିର୍ମାଣ ଦିଗରେ ମଲ୍ଲିମାହାରା ବ୍ରିଜ୍ ଓ ଗୌରାଙ୍ଗପୁର ଏସ୍‌କେପ ନିର୍ମାଣରେ ୧୦ କୋଟି ସମେତ ଜିଲାରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ରାସ୍ତା ସମୂହର ଉନ୍ନତି ଦିଗରେ ୧୦୦ କୋଟି ଟଙ୍କାର ମଂଜୁର କରିଥିବା ବିଷୟ ସୂଚାଇଥିଲେ । ଏଣୁ ମୁଖ୍ୟମନ୍ତ୍ରୀଙ୍କ ଭାଷାରେ “ପ୍ରତିଟି ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ବିଜୁ ଜନତା ଦଳ ଓଡ଼ିଶା ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବେ ନିରନ୍ତର ସେବା ଯୋଗାଇବା ମୂଳ ଲକ୍ଷ୍ୟ” ହୋଇଥିବାରୁ ସମସ୍ତ ଜନପ୍ରତିନିଧି ଓ ରାଜ୍ୟବାସୀ ଏ ଦିଗରେ ସହଯୋଗର ହାତ ବଢାଇବାକୁ ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ତେବେ ଭଦ୍ରକ ଜିଲାରେ ଏକ ମେଡିକାଲ କଲେଜ ଓ ରାଜ୍ୟର ଦ୍ୱିତୀୟ ବୃହତ୍ତମ କଲେଜ ଭାବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ଦିଗରେ ରାଜ୍ୟ ସରକାରଙ୍କର ଯୋଜନା ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପର୍ଯ୍ୟବେକ୍ଷକ ଶ୍ରୀ ଦାସବର୍ମା ରାଜ୍ୟ ସରକାରଙ୍କର ଏ ସଂପର୍କରେ ଯଥେଷ୍ଟ ସମ୍ବେଦନଶୀଳତା ରହିଛି ଏବଂ ଭଦ୍ରକ କଲେଜକୁ ଏକ ଷ୍ଟେଟ୍ ୟୁନିଭରସିଟି ଘୋଷଣାର ପ୍ରସ୍ତାବ ରହିଥିବାବେଳେ ଆଦାନୀର ପ୍ରସ୍ତାବ କ୍ରମେ ଯେଉଁ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥାନ୍ତା, ତାହା କେନ୍ଦ୍ରମନ୍ତ୍ରୀଙ୍କ ଅସହଯୋଗ ଯୋଗୁଁ ଅଟକିଥିବା ବିଷୟ କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.