Home ଜିଲ୍ଲା ପରିକ୍ରମା ଭଦ୍ରକ : ପ୍ରେମୀ ଯୁଗଳଙ୍କ ବିବାହ

ଭଦ୍ରକ : ପ୍ରେମୀ ଯୁଗଳଙ୍କ ବିବାହ

86

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଆଶିଆନା ସ୍ୱଧାର ଗୃହ ଅନ୍ତେବାସିନୀ ସୋନାଲୀ ପାଢୀ ନିଜ ପ୍ରେମିକ ଦୀପୁ ଯେନାଙ୍କୁ କୁଆଁସ ଜଗନ୍ନାଥ ମନ୍ଦିରରେ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ପ୍ରକାଶ ଯେ ତିହିଡ଼ି ଥାନା ତାଳପଦା ଗ୍ରାମର ସୋନାଲୀ ଏହି ଥାନା ଅନ୍ତର୍ଗତ କୁବେରା ଗ୍ରାମର ଦୀପୁଙ୍କୁ ପ୍ରେମ କରୁଥିଲେ । ଉଭୟେ ବିବାହ କରିବାକୁ ସ୍ଥିର କରିଥିବା ବେଳେ ପରିବାର ଲୋକେ ଏହାର ବିରୋଧ କରିଥିଲେ । ଯାହା ଫଳରେ ଉଭୟ ଗତ ୨୦୧୯ ମସିହା ମାର୍ଚ୍ଚ ୩୦ ତାରିଖରେ ଘରୁ ଲୁଚି ପଳାଇ ଆସିଥିଲେ । ସେତେବେଳେ ସୋନାଲୀ ନାବାଳିକା ଥିବାରୁ ପରିବାର ଲୋକେ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସୋନାଲୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ବେଳେ ସୋନାଲୀ ଯିବାକୁ ମନା କରିବାରୁ ତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିଲା । କମିଟି ତାଙ୍କୁ ଆଶିଆନାର ମୁକ୍ତାଶ୍ରୟ କେନ୍ଦ୍ରରେ ରଖାଇଥିଲେ । ପରେ ସେ ସାବାଳିକା ହେବାରୁ ତାଙ୍କୁ ଆଶିଆନା ସ୍ୱଧାର ଗୃହକୁ ସ୍ଥାନାନ୍ତର କରାଯାଇଥିଲା । ଆଶିଆନା ପକ୍ଷରୁ ପରାମର୍ଶଦାତ୍ରୀ ଅନିମା ପଣ୍ଡା ଉଭୟ ପରିବାର ସହିତ ବିବାହ ନେଇ ଆଲୋଚନା କରିଥିଲେ । ତେବେ ସୋନାଲୀଙ୍କ ପରିବାର ଏଥିରେ ସମ୍ମତି ପ୍ରକାଶ ନ କରିବା ସହିତ ସୋନାଲୀ ଦୀପୁଙ୍କୁ ବିବାହ କଲେ ତାଙ୍କର ଆପତ୍ତି ନାହିଁ । ମାତ୍ର ସେମାନେ ତାଙ୍କ ଘରକୁ ଯିବା ଆସିବା କରି ପାରିବେ ନାହିଁ ବୋଲି ଲିଖିତାକାରରେ ଦେବା ପରେ ସୋନାଲୀ ଓ ଦୀପୁ ଉଭୟ ରାଜି ହୋଇ ବିବାହ କରିଛନ୍ତି । ଆଜି କୋଭିଡ଼ କଟକଣାରେ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହେବା ପରେ ସୋନଲୀ ସ୍ୱାମୀ ଦୀପୁଙ୍କ ସହ ଶାଶୁ ଘରକୁ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.