Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକା ବିକାଶରେ ବିଧାୟକଙ୍କ ୩ ବର୍ଷର ଆୟ-ବ୍ୟୟ ଚିଠା, ରାଜନୈତିକ ବିଦ୍ୱେଷରୁ ଉଦ୍ଦ୍ୱର୍ରେ ରହି...

ଭଦ୍ରକ ପୌରପାଳିକା ବିକାଶରେ ବିଧାୟକଙ୍କ ୩ ବର୍ଷର ଆୟ-ବ୍ୟୟ ଚିଠା, ରାଜନୈତିକ ବିଦ୍ୱେଷରୁ ଉଦ୍ଦ୍ୱର୍ରେ ରହି ସମସ୍ତଙ୍କ ସହଯୋଗ କାମନା କଲେ ବିଧାୟକ

31

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌର ଉପାଧ୍ୟକ୍ଷ ନିର୍ବାଚନ ପରେ ଆଜି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବିଜୟ ଓ ଭଦ୍ରକ ପୌରପାଳିକାର ବିକାଶରେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗ କାମନା କରିଛନ୍ତି। ବିଜେଡି ନଗର ସଭାପତି ଆଇନ୍‌ଜୀବୀ ତାହେର ମହମ୍ମଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମଲ୍ଲିକ ସେ ୨୦୧୯ ମାର୍ଚ୍ଚ ରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ପୌରପାଳିକାର କାଉନ୍‌ସିଲ ନଥାଇ ମଧ୍ୟ ୨୦୨୨ ମାର୍ଚ୍ଚ ମଧ୍ୟରେ ଭଦ୍ରକ ପୌରପାଳିକାର ବିକାଶ ନିମନ୍ତେ ଯେଉଁ ଅନୁଦାନ ଯୋଗାଇଦେଇଛନ୍ତି, ତାହାର ଏକ ବିସ୍ତୃତ ତାଲିକା ପଢି ଶୁଣାଇଥିଲେ। ତାଙ୍କ ସୂଚନା ମୂଳେ ସେ ୨୦୧୯-୨୦ ଆର୍ଥିକ ବର୍ଷରେ ପୌରପାଳିକାରେ ରାସ୍ତାଘାଟ, ଡ୍ରେନେଜ୍‌, ଇଣ୍ଡୋର ଷ୍ଟାଡିୟମ୍‌, ସୌନ୍ଦର୍ଯୀକରଣ, ଭେଣ୍ଡିଂ ଜୋନ୍‌, ପାର୍କ, ୫-ଟି ସ୍କୁଲ ଭଳି ବିଭିନ୍ନ ଯୋଜନାରେ ମୋଟ ୧୭ କୋଟି ୬୬ ଲକ୍ଷ ୨୪ ହଜାର ୭୪୯ ଟଙ୍କା ମଂଜୁର କରିଥିବାବେଳେ ୨୦୨୦-୨୧ ରେ ୬୮ କୋଟି ୮୮ ଲକ୍ଷ ୮୩ ହଜାର ୯୩୩ ଟଙ୍କା, ୨୦୨୧-୨୨ ରେ ୪୧ କୋଟି ୨୧ ଲକ୍ଷ ୧୩ ହଜାର ଟଙ୍କା ହିସାବରେ ୩ ବର୍ଷରେ ମୋଟ ୧, ୨୭୭, ୫୮୧, ୬୮୨.୦୦ ଟଙ୍କା ମଂଜୁର ଅର୍ଥରୁ ମାର୍ଚ୍ଚ ୩୧ ୨୦୨୨ ସୁଦ୍ଧା ୭୬ କୋଟି ୯୪ ଲକ୍ଷ ୫୦ ହଜାର ୫୭୭ ଟଙ୍କା ବ୍ୟୟ ହୋଇଥିବାର ସୂଚନା ଦେଇଥିଲେ। ଏବଂ ଯେଉଁ ବଳକା ଥିବା ୫୦ କୋଟି ୮୧ ଲକ୍ଷ ୩୧ ହଜାର ୧୦୫ ଟଙ୍କା ରହିଛି, ତାହା ଭଦ୍ରକ ପୌର ପାଳିକାର ବିକାଶରେ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ନିର୍ବାଚିତ ପାରିଷଦଗଣ ଏକମନ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ଏବଂ କୌଣସି ରାଜନୈତିକ ବିଦ୍ୱେଷ ଥିଲେ ବି ପୌରପାଳିକାର ବିକାଶରେ କେହି ଅନ୍ତରାୟ ସୃଷ୍ଟି ନକରିବାକୁ ନିବେଦନ କରିଥିଲେ। ଏତଦ୍‌ବ୍ୟତୀତ କିଛି କୁଚକ୍ରୀ ମିଛରେ ଭଦ୍ରକର ବିକାଶ ହୋଇନାହିଁ ଓ ହେବନାହିଁ ବୋଲି ଯେଉଁ ମିଥ୍ୟା ପ୍ରଚାର କରୁଛନ୍ତି, ତାଙ୍କ ଦଳ ସେ କଥାକୁ ବିଶ୍ୱାସ କରୁନାହିଁ ବୋଲି କହିବା ସହ ସେ କଥାରେ ନୁହେଁ, କାର୍ଯ୍ୟକୁ ବିଶ୍ୱାସ କରନ୍ତି ବୋଲି ସୂଚାଇ ମଂଜୁର ହୋଇଥିବା ସମସ୍ତ ଅର୍ଥ ଟେଣ୍ଡର ମାଧ୍ୟମରେ ହୋଇଛି ଓ ହେବ ବୋଲି କହିଥିଲେ। ବିଶେଷକରି ଆମ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଭିତ୍ତି କରି ସେ ଭଦ୍ରକ ନିର୍ବାଚନ ମଣ୍ଡଳୀ ପାଇଁ ବିଭିନ୍ନ ଯୋଜନାରେ ଯେଉଁସବୁ ଅର୍ଥ ମଂଜୁର କରିଛନ୍ତି, ତାହାର ଏକ ବିବରଣୀ ଦେଇ ବିଶେଷକରି ଭଦ୍ରକ ପୌରପାଳିକାର ଉଠାଦୋକାନୀ ଓ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ବ୍ୟବସାୟୀଙ୍କ ଥଇଥାନ ନିମନ୍ତେ ଆରଏମ୍‌ସି ପରିସରରେ ୨୫ କୋଟି ଟଙ୍କା ବିନିମୟରେ ସମଗ୍ର ରାଜ୍ୟରେ ଯେଉଁ ୮ ଶହ ଦୋକାନ ବିଶିଷ୍ଟ ଭେଣ୍ଡିଂ ଜୋନ୍ କରାଯାଇଛି, ତାହା ରାଜ୍ୟରେ ନମ୍ବର ୱାନ୍ ବୋଲି ସୂଚାଇଥିଲେ। ଏବଂ ଏତଦ୍‌ବ୍ୟତୀତ ଆଜିର ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀମାନେ ଅଂଶଗ୍ରହଣ ନକରି ପରୋକ୍ଷରେ ଭଦ୍ରକର ବିକାଶ ନିମନ୍ତେ ଯେଉଁ ସହମତି ପ୍ରକାଶ କରିଛନ୍ତି, ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନବ ନିର୍ବାଚିତ ପୌର ଉପାଧ୍ୟକ୍ଷ ଅଂଜୁବାଳା ଜେନାଙ୍କ ସମେତ ସମସ୍ତ ପାରିଷଦ, ପୂର୍ବତନ ପୌରପାଳ ତଥା ବିଜେଡି ରାଜ୍ୟ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ମାନସ ମହାନ୍ତି, ପୂର୍ବତନ ପାରିଷଦ ପ୍ରଣୟ ଦାସ, ପ୍ରବୀର ଜେନା, ଦେବହୂତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.