Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ...

ଭଦ୍ରକ ଜିଲ୍ଲା ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

51

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ୬୬୨ ବର୍ଗ (+୨ ଓ+୩) ମହାବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ହୋଇଥିବା ପାତର ଅନ୍ତର ନୀତି ବିରୋଧରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ କି ୨୦୨୧ ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ ରାଜ୍ୟ ସରକାର ଏକ କ୍ୟାବିନେଟ ମାଧ୍ୟମରେ ଉଭୟ ୬୬୨ ଓ ୪୮୮ ବର୍ଗର ସମାନ ଧାରାରେ କାମ କରୁଥିବା ଅଧ୍ୟାପକ ମାନଙ୍କ ଦରମା ସମାନ କରିଥିଲେ । ପ୍ରାୟ ଏକ ବର୍ଷ ଧରି ସମାନ ଦରମା ମଧ୍ୟ ପାଇଆସୁଥିଲେ । ମାତ୍ର ତାର ଠିକ୍ ଏକ ବର୍ଷ ପରେ ଅର୍ଥାତ୍ ୨୦୨୩ ମସିହା ଜାନୁଆରୀ ମାସରେ ଆଉ ଏକ କ୍ୟାବିନେଟ୍ କରି ସେ ନିୟମର ପରିବର୍ତ୍ତନ କରି ଏକ ବିରାଟ ଅସଙ୍ଗତି ସୃଷ୍ଟି କରିଲେ । ଯାହା ଫଳରେ ସମାନ ଧାରାରେ କାମ କରୁଥିବା ଅଧ୍ୟାପକ ମାନଙ୍କ ମଧ୍ୟରେ ଦଶ ହଜାର ଟଙ୍କା କମ ବେଶି କରିଦେଲେ । ଏହି ନିୟମ ଅନୁସାରେ ୪୮୮ ଓ ସ୍କୁଲରେ ୪୨୦୦ ଗ୍ରେଡ଼ ପେ ରେ କାମ କରୁଥିବା କର୍ମଚାରୀ ମାନେ ୬୬୨ ର ଅଧ୍ୟାପକଙ୍କ ଯେଉଁମାନେ ୪୬୦୦ ଗ୍ରେଡ଼୍ ପେ ରେ କାମ କରୁଛନ୍ତି ସେମାନଙ୍କ ଠାରୁ ଯଥାକ୍ରମେ ୮ହଜାର ଓ ୬ହଜାର କମ ପାଇଲେ । ଅର୍ଥାତ ବରିଷ୍ଠକୁ ଏଠି କନିଷ୍ଠ କରିଦେଲେ ।ଏହା ଏକ ଭାବାବେଗ ନିୟମ ବୋଲି ତତ୍ କାଳୀନ ମୁଖ୍ୟ ଶାସନ ସଚିବ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କଲେ । ତେଣୁ ସେହିଦିନ ଠାରୁ ଏ ନିୟମ କୁ ବିରୋଧ କରି ଆନ୍ଦୋଳନ ରେ ବସିଛୁ ।୬୬୨ବର୍ଗ ର ଅଧ୍ୟାପକ ଓ କର୍ମଚାରୀମାନେ ୪୮୮ ବର୍ଗ ର ଅଧ୍ୟାପକ ଙ୍କ ଠାରୁ ବରିଷ୍ଠ ଥିଲେ ବି ରାଜ୍ୟ ସରକାର ଏକ ଅଦ୍ଭୁତ ନିୟମ କରି ଆମକୁ ହତାଦର କରିଦେଲେ ।ଏହି ବିଚିତ୍ର ନିୟମ କୁ ବିରୋଧ କରି ଓ ସମାନ ଗ୍ରେଡ଼ ପେ କୁ ସମାନ ଦରମା ସହିତ ଅନ୍ୟ ତିନୋଟି ଦାବୀ ଧରି ଭୁବନେଶ୍ୱର ଗାନ୍ଧୀ ମାର୍ଗ ରେ ଆନ୍ଦୋଳନ ଚାଲୁରହିଛି ।ଗତ ଫେବୃଆରୀ ୧୩ତାରିଖ ରୁ ଅର୍ଥାତ୍ ୧୫୦ ଦିନ ହେଲା ଧୂ ଧୁ ଖରା ଓ କାଳ ବୈଶାଖୀ ରେ ଆନ୍ଦୋଳନ ଚାଲୁଛି ।

ଏଠାରେ ପ୍ରକାଶ ଥାଉକି ଯୁକ୍ତ ଦୁଇ ପରୀକ୍ଷା ବର୍ଜନ ଡାକରା ସମୟ ରେ ତତ୍ କାଳୀନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ର ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଂଘ କୁ ଡାକି ମନ୍ତ୍ରୀସ୍ତରୀୟ କମିଟି କରିଲେ ଓ ସମସ୍ୟା ର ସମାଧାନ ହେବ ବୋଲି କଥା ଦେଲେ । ମାତ୍ର ଏହି ଚାରି ମାସ ଭିତରେ ଥରୁଟିଏ ବି ପୂର୍ଣ୍ଣାଙ୍ଗ ବୈଠକ ବସି ପାରିଲା ନାହିଁ ଯାହା ସମସ୍ତଙ୍କୁ ମର୍ମାହତ କରିଛି । ତେଣୁ ଆଜି ୩୦ ଟି ଜିଲ୍ଲା ସହିତ ଭଦ୍ରକ ଜିଲ୍ଲା ରେ ମଧ୍ୟ ଆଜି ପ୍ରତିବାଦ କରାଯାଇଛି । ଆଜିର ପ୍ରତିବାଦ ସଭାରେ ରାଜ୍ୟ ସଭାପତି ଅଧ୍ୟାପକ ଗୋଲକ ନାୟକ ଭଦ୍ରକ ଜିଲ୍ଲାରେ ଉପସ୍ଥିତ ରହି ଆନ୍ଦୋଳନ କୁ ତ୍ୱରାନ୍ୱିତ କରିଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ସଭାପତି ଆଦିତ୍ୟ ଜେନା ଓ ସମ୍ପାଦକ ଅଧ୍ୟାପକ ଲକ୍ଷ୍ମୀଧର ନାୟକ ଙ୍କ ନେତୃତ୍ୱରେ ପ୍ରାୟ ୨୦୦ ସହ କର୍ମଚରୀ ଆସି ବନ୍ତ ଛକରୁ ଏକ ରାଲି ମାଧ୍ୟମରେ ଆସି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଅଧ୍ୟାପକ ସୁଶାନ୍ତ ବାରିକ, ଭଗବାନ ବିକ୍ଷିତ, ରାଜେନ୍ଦ୍ର ପଣ୍ଡା, ଭରତ କୁଅଁର, ସତ୍ୟବ୍ରତ ଭାରତୀ, ସୁନନ୍ଦ ମହାନ୍ତି, ସଞ୍ଜୟ ବାହାର, ମନୋଜ ପାଢୀ, ସବିତା ନାୟକ,ନଳିନୀ ଶତପଥି, ନିଳିମା ବିଶ୍ୱାଳ, ଶିବହରି ମିଶ୍ର, ଅକ୍ଷୟ ଗିରି, ପିତାମ୍ବର ମଲ୍ଲିକ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ରମେଶ ପ୍ରଧାନ, ଅଜୟ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ରାଲି ଓ ପ୍ରତିବାଦ ସଭା ପରିଚାଳନା କରିଥିଲେ । ପ୍ରଦାନ କରାଯାଇଥିବା ଦାବୀପତ୍ରରେ ୧-୨୦୦୮ଜି ଓ ରେ ଦରମା ପାଉଥିବା ଅଧ୍ୟାପକ, କର୍ମଚାରୀମାନଙ୍କୁ ୨୦୦୯ ଜି ଓ ରେ ଦରମା ପାଉଥିବା ଅଧ୍ୟାପକ କର୍ମଚାରୀ ମାନଙ୍କ ସହିତ ଗ୍ରେଡ଼ ପେ ଅନୁଯାୟୀ ସମାନ କାମକୁ ସମାନ ଦରମା ପ୍ରଦାନ । ୨- ଅବସର ନେଇଥିବା ଓ ଅବସର ନେବାକୁ ଥିବା ସମସ୍ତ କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ରାଶି ପ୍ରଦାନ କରିବା । ୩ – ୨୦୧୮ଜି ଓ ରେ ଦରମା ପାଉଥିବା କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ କରିବା । ୪ – ବିଭିନ୍ନ ଅସଙ୍ଗତି ରେ ବାଦ ପଡ଼ିଥିବା ୨୦୦୮୯୨୦୧୪ ଜି ଓ ର କର୍ମଚାରୀ ଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.