Home ଓଡ଼ିଶା ଭଦ୍ରକ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ : ବିରୋଧୀଙ୍କ ସହ ପକ୍ଷପାତିତା କରୁଛନ୍ତି ଚାନ୍ଦବାଲି...

ଭଦ୍ରକ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ : ବିରୋଧୀଙ୍କ ସହ ପକ୍ଷପାତିତା କରୁଛନ୍ତି ଚାନ୍ଦବାଲି ଆଇଆଇସି :ବିଜେପି

86

ଭଦ୍ରକ/ଭୁବନେଶ୍ୱର, ୦୮/୦୭ (ଓଡ଼ିଆ ପୁଅ) : ଭଦ୍ରକ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଶାସକ ଦଳର ଇସାରାରେ ପୋଲିସ କାର୍ଯ୍ୟକରୁଛି। ଶାସକ ବିଜେଡି ଦଳ ଗୁଣ୍ଡାମାନେ ବିଜେପିର ମଣ୍ଡଳ ସଭାପତି, କର୍ମୀ ଏବଂ କାର୍ଯ୍ୟକର୍ତାଙ୍କୁ ଆକ୍ରମଣ କରିଚାଲିଛନ୍ତି। ଏହା ବିରୁଦ୍ଧରେ ବିଜେପି ପକ୍ଷରୁ ଏତଲା ଦେବା ପରେ ବି ଚାନ୍ଦବାଲି ଥାନା ଆଇଆଇସି ପକ୍ଷପାତିତା କରି ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ମୋକଦ୍ଦମା ଲଗାଇ ବିଜେପି କାର୍ଯ୍ୟକର୍ତାଙ୍କୁ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ଶ୍ରୀ ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି।

ଶ୍ରୀ ସେଠୀ କହିଛନ୍ତି ଯେ, କୋଭିଡକୁ ପ୍ରତିହତ କରିବା ପାଇଁ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପକୁ ଲୋକ ସହ୍ୟ କରୁଥିଲେ। ଏହାର ସୁଯୋଗ ନେଇ ଚାନ୍ଦବାଲି ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେବା ଏବଂ ବିଜେଡି ଗୁଣ୍ଡାମାନଙ୍କୁ ସୁରକ୍ଷା ଯୋଗାଇବା ଅତ୍ୟନ୍ତ ନିନ୍ଦନୀୟ। ପୂର୍ବରୁ ଏଭଳି କାର୍ଯ୍ୟ କରିଥିବାରୁ ତାଙ୍କୁ ଭଦ୍ରକ ପୁରୁଣା ବଜାର ଥାନାରୁ ବଦଳି କରାଯାଇଥିଲା। ଚାନ୍ଦବାଲି ବୋରିଝାସ ଗାଁ ର ପୂର୍ବତନ ସରପଂଚ ତଥା ମଣ୍ଡଳ ସଭାପତି କାହ୍ନୁଚରଣ ବେହେରାଙ୍କ ପୁଅ ସରୋଜ ବେହେରା ଘରକୁ ଫେରୁଥିବାବେଳେ ବିଜେଡି ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରଥିଲେ। ଏଥିରେ ସେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେବା ପରେ ପୋଲିସ ଓଲଟା ତାଙ୍କ ନାଁ ୩୦୭ ଦଫା ଲଗାଇ ଗିରଫ କରିଥିଲା। ଗତ ନିର୍ବାଚନରେ ବିଜେପି ଲିଡ୍ କରିଥିବା ପଂଚାୟତ ଗୁଡିକରେ ବିଜେଡିର ଗୁଣ୍ଡାମାନେ ପୋଲିସକୁ ବ୍ୟବହାର କରି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି।

ସରୋଜଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ତ୍ରୀଙ୍କ ଉପରକୁ ଆକ୍ରମଣ ହେଲା। ପୋଲିସ ଅଭିଯୁକ୍ତଙ୍କୁୁ ଧରିବା ପରିବର୍ତେ ସେମାନଙ୍କୁ ସୁରକ୍ଷା ଦେଉଛି। ଏହି ଘଟଣାରେ ଆହତ ପରିବାର ବର୍ଗଙ୍କୁ ଭେଟିବା ଓ ଘଟଣାର ସରଜମିନ ତଦନ୍ତ କରିବା ପାଇଁ ଆସନ୍ତା ଶୁକ୍ରବାର ଦିନ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଚାନ୍ଦବାଲି ଗସ୍ତ କରିବ। ପୋଲିସର ପକ୍ଷପାତିିତା ଯୋଗୁଁ ସାଧାରଣ ଲୋକର ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି। ଆଗାମୀ ଦିନରେ ଏହି ଆଇଆଇସିଙ୍କ ବିରୁଦ୍ଧରେ ବିଜେପିର ପ୍ରତିନିଧୀ ଦଳ ପୋଲିସ ଡିଜି, ମାନବାଧିକାର କମିଶନଙ୍କ ଆଗରେ ଅବଗତ କରାଇବା ସହ କୋର୍ଟର ଆଶ୍ରୟ ନେବ ବୋଲି ଶ୍ରୀ ସେଠୀ କହିଛନ୍ତି।

ବିଜେଡି ଚାପରେ ପୋଲିସ କନିକା ଅଂଚଳର ଲୋକଙ୍କୁ ଗିରଫ କରୁଛି। କିନ୍ତୁ ଅନ୍ୟପଟେ ପୋଲିସ ସହ ଶାସକ ଦଳ ଗୁଣ୍ଡା ତଥା ମୁଖ୍ୟ ଆସାମୀ ଖୁଲୁମା ଖୁଲା ବୁଲୁଛି। ଭଦ୍ରକର ଅନ୍ୟ ଏକ ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ। ଭଦ୍ରକ ନିର୍ବାଚନମଣ୍ଡଳୀରେ ହନୁମାନ ମୂର୍ତିକୁ ମୁସଲମାନ ସଂପ୍ରଦାୟର କିଛି ଦୁବୃର୍ତ ଭଙ୍ଗାରୁଜା କଲା ପରେ ବି ପୋଲିସ ତାଙ୍କ ବିରୁଦ୍ଧରେ ମକୋଦ୍ଦମା ରୁଜୁ କିମ୍ବା ସେମାନଙ୍କୁ ଗିରଫ କଲାନାହିଁ। ସରକାରୀ ଦଳ ବିରୋଧିଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ପୋଲିସକୁ ବ୍ୟବହାର କରୁଛି। ରକ୍ଷକ ଏଠି ଭକ୍ଷକ ପାଲଟିଛି। ପକ୍ଷପାତିତା କରୁଥିବା ଆଇଆଇସି ନିଜ କର୍ତବ୍ୟକୁ ଠିକ୍ ରେ ପାଳନ ନକଲେ ଆଗାମୀ ଦିନରେ ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ବୋଲି ପୂର୍ବତନମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲ କହିଛନ୍ତି।

ଏହି ଅବସରରେ ପୂର୍ବତନ ଜିଲ୍ଲା ସଭାପତି ବଦ୍ରି ପ୍ରସାଦ ଧଳ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.