Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ୮୮୨୭ ଟି ମିଛ ଆବାସ

ଭଦ୍ରକ ଜିଲାରେ ୮୮୨୭ ଟି ମିଛ ଆବାସ

47

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଗ୍ରାମୀଣ ଆବାସ ଯୋଜନାରେ ୯ହଜାରରୁ ଅଧିକ ‘ମିଛ ଆବାସ’? ସରକାରୀ ୱେବସାଇଟରେ ମିଛ ତଥ୍ୟ ଭରିଦେଇ (ଅପଲୋଡ) ଏବେ ଅଡୁଆରେ ପଡିଛନ୍ତି ଅଧିକାରୀମାନେ । ଘର କରିନଥିବା ହିତାଧିକାରୀଙ୍କ ଘର ସରିଥିବା ଦର୍ଶାଇବା, ପ୍ରଥମ କିସ୍ତି ପାଇବାକୁ ହକଦାର ହୌିତାଧିକାରୀଙ୍କୁ ୪ର୍ଥ କିସ୍ତି ପ୍ରଦାନ କରିବା ଆଦି ଅନିୟମିତତାରେ ଛନ୍ଦି ହୋଇପଡିଛନ୍ତି ଅଧିକାରୀମାନେ । ଏପଟେ ବିଭାଗୀୟ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଗତ ସପ୍ତାହର ସମୀକ୍ଷା ବୈଠକରେ ଏଥିନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଭଦ୍ରକ ଜିଲାର ୭ଟି ବ୍ଲକର ୩୪,୧୭୩ ଜଣଙ୍କୁ ଘର ନିର୍ମାଣର କାର୍ଯ୍ୟାଦେଶ ଦିଆଯାଇଥିଲା । ସେମାନଙ୍କୁ ପ୍ରଥମ କିସ୍ତି ଅନୁଦାନ ବାବଦ ୨୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା । ତହିଁରୁ ୩୦,୨୦୮ ଜଣ ଘର ନିର୍ମାଣ ସାରିବା ପରେ ବିଭାଗର ଅଧିକାରୀମାନେ ତାହାକୁ ନିରୀକ୍ଷଣ (ଇନିସପେକ୍ସନ) କରିଥିବା ନେଇ ବିଭାଗର ୱେବସାଇଟ ତଥ୍ୟ କହୁଛି । ତେବେ ଘର ସାରିଥିବା ୩୦,୨୦୮ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ୨୩,୯୨୯ ଜଣଙ୍କୁ ଚତୁର୍ଥ କିସ୍ତି ବା ପୁରା ଅନୁଦାନ ଦିଆଯାଇଛି । ବାକି ୬୨୭୯ ଜଣ ହିତାଧିକାରୀ ଘର ସାରିଥିଲେ ହେଁ ସେମାନଙ୍କୁ ପୁରା ଅନୁଦାନ ମିଳିନାହିଁ ବୋଲି ତଥ୍ୟ କହୁଛି । ସେହିଭଳି ୨୦୨୦-୨୧ ବର୍ଷରେ ଜିଲାରେ ମୋଟ ୧୦୯୪୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ଅନୁଦାନ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୯୩୩୫ ଜଣ ଘର ନିର୍ମାଣ ସାରିଛନ୍ତି ଓ ବିଭାଗର ଅଧିକାରୀମାନେ ଏବାବଦ ନିରୀକ୍ଷଣ (ଇନିସପେକ୍ସନ) ସାରିଛନ୍ତି ।

ଏତକଙ୍କ ମଧ୍ୟରୁ ୬୭୮୭ ହିତାଧିକାରୀଙ୍କୁ ପୁରା ଅନୁଦାନ ମିଳିଛି । ବାକି ୨୫୪୮ଜଣଙ୍କୁ ମିଳିନାହିଁ । ଏମିତି ଭାବେ ଦେଖିଲେ ୧୯-୨୦ ଏବଂ ୨୦-୨୧ ବର୍ଷରେ ଘର ସାରିଥିବା ୮୮୨୭ ଜଣ ହିତାଧିକାରୀ ଘର ସାରିଥିଲେ ମଧ୍ୟ ପୁରା ଅନୁଦାନ ପାଇନାହାନ୍ତି । ଉଲ୍ଲେଖନୀୟ ଯେ: ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀ ନିର୍ଦ୍ଧାରିତ ଅବଧି ମଧ୍ୟରେ ଘର ସାରିଲେ ସରକାର ସେମାନଙ୍କ ଲାଗି ଅତିରିକ୍ତ ଭାବେ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରୁଛନ୍ତି । ଭଦ୍ରକ ଜିଲାରେ ବିଗତ ୨ଟି ଆର୍ଥିକ ବର୍ଷରେ ଘର ସାରିଥିବା ୮୮୨୭ ଜଣଙ୍କୁ ପ୍ରୋତ୍ସାହନ ରାଶି ଦୂରେଥାଉ ପୁରା କିସ୍ତି ଅନୁଦାନ ମିଳିନାହିଁ କାହିଁକି (?) । ପ୍ରକୃତରେ ଏତକ ଘର ନିର୍ମାଣ ସରିଛି ନା ୱେସାଇଟରେ ମିଛ ତଥ୍ୟ ଭରି ଦିଆଯାଇଛି ? ଏଭଳି ପ୍ରଶ୍ନର ଉତ୍ତରରେ ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରାମୀଣ ଆବାସ)ଶ୍ରୀ ପାଣ୍ଡବ କୁହନ୍ତି ‘ଏମିତି କେବଳ ଆମ ଜିଲାରେ ନୁହେଁ ସବୁ ଜିଲାରେ ହେଉଛି । ଆମେ ପ୍ରଥମ କିସ୍ତି ପାଇଥିବା ହିତାଧିକାରୀର ଘର ସମ୍ପୂର୍ଣ୍ଣ ସରିଯାଇଛି ବୋଲି ମଧ୍ୟ ୱେସାଇଟରେ ତଥ୍ୟ ଭରି ଦେଇପାରିବୁ । କିନ୍ତୁ ହିତାଧିକାରୀ ପ୍ରକୃତପକ୍ଷେ ଘର ନିର୍ମାଣ ସାରିବା ପରେ ଯାଇ ତାଙ୍କୁ ୪ର୍ଥ କିସ୍ତି ଅନୁଦାନ ଦେଉଛୁ ।’ ଶ୍ରୀ ପାଣ୍ଡବଙ୍କ କଥାରୁ ସ୍ପଷ୍ଟ ଯେ; ସରକାରୀ ୱେସାଇଟରେ ମିଛ ତଥ୍ୟ ଦିଆଯାଉଛି । ବିଭାଗୀୟ ଅଧିକାରୀଙ୍କ ନିରୀକ୍ଷଣ ବି ମିଛ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଜରିଆରେ ଦୁର୍ନୀତିକୁ ରୋକିବାକୁ ଚାହୁଁଛନ୍ତି । ଭୌଗଳିକ ଅବସ୍ଥିତି ନିର୍ଣ୍ଣୟ (ଜିଓ ଟ୍ୟାଗିଂ) ଜରିଆରେ କ୍ଷେତ୍ରୀୟ ଯାଞ୍ଚ/ନିରୀକ୍ଷଣର ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେସବୁକୁ ତଳସ୍ତରର ଅଧିକାରୀମାନେ ହଜମ କରି ଦେଉଥିବା ଏଥିରୁ ସ୍ପଷ୍ଟ ହେଉଛି । ଏମିତି ସତ-ମିଛର ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଅଧିକାରୀମାନଙ୍କୁ ଗତ ସମୀକ୍ଷା ବୈଠକରେ ବିଭାଗୀୟ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ତାଗିଦ କରିଥିଲେ ହେଁ ଏହା ପଛର କାରସାଦି ଓ ରହସ୍ୟ ଉପରୁ ପରଦା ଉଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ତଥ୍ୟଭିଜ୍ଞ ମହଲ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.