Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ପୁଲିସ୍ ଓ ଅବକାରୀ ବିଭାଗ ଚେଇଁ ଶୋଇଛି, ନକଲି ଜର୍ଦ୍ଦା ଓ ମଦ...

ଭଦ୍ରକ ଜିଲାରେ ପୁଲିସ୍ ଓ ଅବକାରୀ ବିଭାଗ ଚେଇଁ ଶୋଇଛି, ନକଲି ଜର୍ଦ୍ଦା ଓ ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା, ଏସ୍‌ଟିଏଫ୍ ଟିମ୍‌ର ଚଢାଉରେ ପୁଲିସ୍‌ର ଗୁମର ଖୋଲିଲା

150

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଯେ କେତେକ ଅସାଧୁ ପୁଲିସ୍ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନକଲି ଜର୍ଦ୍ଦା ମାଫିଆଙ୍କ ଚରାଭୂଇଁ ପାଲଟିଛି, ତାହା ଆଜି ରାଜ୍ୟର ଏସ୍‌ଟିଏଫ୍ ଟିମ୍ ଚଢାଉରୁ ପୁଣି ଥରେ ପ୍ରମାଣିତ ହୋଇଛି । ଆଜି ଏସ୍‌ଟିଏଫ୍‌ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଟିଆର ପଟେଲଙ୍କ ନେତୃତ୍ୱରେ ଏକ ୯ ଜଣିଆ ଟିମ୍ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନାମୀ-ଦାମୀ କଂପାନୀର ନକଲି ଜର୍ଦ୍ଦା, ଲେବୁଲ, ପ୍ୟାକେଟ, ଡବା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏହି ଟିମ୍ ପୁରୁଣାବଜାର ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଟିମ୍‌ର ସଦସ୍ୟମାନେ ମିର୍ଜାପୁର ନାଥସାହି ସମେତ ବହୁ ଅଂଚଳରେ ଚଢାଉ କରି ଉକ୍ତ ସାମଗ୍ରୀ ଜବତ କରିବା ସହ ଜଣେ ମାଫିଆକୁ ଗିରଫ କରିଛନ୍ତି । ଏହି କାରବାରରେ ବହୁ ଲୋକ ସଂପୃକ୍ତ ଥିବାରୁ ଏ ସଂପର୍କରେ ସବିଶେଷ ତଥ୍ୟ ଏସ୍‌ଟିଏଫ୍ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇନାହିଁ । ତେବେ ଏଠାରେ ସୂଚନାଯୋଗ୍ୟ ବିଗତ ତିନି ଦଶନ୍ଧି ଧରି ପୁରୁଣାବଜାର ଥାନା ଅଂଚଳ କେତେକ କୁଖ୍ୟାତ ଜର୍ଦ୍ଦା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଥିଲା । ଯାହା ପୁଲିସ୍‌ର ସଲାସୁତୁରାରେ ଚାଲିଥିଲା । ତେବେ ବିଗତ ଦିନରେ ଏହିଭଳି ଭାବେ ଏସ୍‌ଟିଏଫ୍ ଟିମ୍ ଚଢାଉ କରି ଏକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ବହୁମୂଲ୍ୟ କୋଠାକୁ ସିଜ୍ କରି ସେଥିରୁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଓ ସାମଗ୍ରୀ ଜବତ କରିଥିଲା । ଏହି ବ୍ୟବସାୟୀ ଜଣକ ସେତେବେଳେ ଉତ୍ତର ଓଡ଼ିଶା ସମେତ ରାଜ୍ୟର ବହୁ ସ୍ଥାନକୁ ନାମୀଦାମୀ କଂପାନୀର ଏହି ନକଲି ଜର୍ଦ୍ଦାର ବ୍ୟବସାୟ ଚଳାଇ ଆସୁଥିଲେ । ତେବେ କିଛିଦିନ ଧରି ଏହି ଜର୍ଦ୍ଦା କାରବାର ବନ୍ଦ ରହିଥିବାବେଳେ ପୁଣି ଥରେ ମୁଣ୍ଡ ଟେକିଛି । ଯାହାକି କେତେକ ଅସାଧୁ ପୁଲିସ୍ ଅଧିକାରୀଙ୍କ ବାହୁଛାୟା ତଳେ ହୋଇଆସୁଛି । କେତେବେଳେ କାଁ ଭାଁ ଉଭୟଙ୍କ ମଧ୍ୟରେ ଅର୍ଥ ନେଣଦେଣକୁ ନେଇ ଭାଗ ନଛିଡିବାରୁ ପୁଲିସ୍ ବାଧ୍ୟହୋଇ ଲୋକଦେଖାଣିଆ ନାମକୁ ମାତ୍ର ଚଢାଉ କରି ବାହାବାଃ ନେଉଛି । ଗତ କିଛିଦିନ ତଳେ ଏହି ଥାନା ଅଂଚଳରେ ଜଣେ ମହିଳା ଥାନାଧିକାରିଣୀ ଯୋଗଦେଇ ଏହି ଜର୍ଦ୍ଦା ମାଫିଆଙ୍କ ଗୁମର ଖୋଲିଥିଲାବେଳେ ତାଙ୍କୁ ଚକ୍ରାନ୍ତପୂର୍ଣ୍ଣ ଭାବେ ବଦଳି କରାଯାଇଥିଲା । ଯାହାକି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏଣୁ କେବଳ ଏହି ନକଲି ଜର୍ଦ୍ଦା କାରବାର ନୁହେଁ, ନକଲି ଦେଶୀ ଓ ବିଦେଶୀ ମଦ ଏହି ପୁରୁଣାବଜାର, ଚନ୍ଦନବଜାର ଓ ଗ୍ରାମାଞ୍ଚଳ ଥାନାର ବହୁ ଅଂଚଳରେ ଏହି ମାଫିଆମାନେ ଘରଭଡା ନେଇ ସେମାନଙ୍କର କାରବାର ପୁଲିସ୍‌ର ମଧୁଚନ୍ଦ୍ରିକାରେ କରିଆସୁଥିବାରୁ ଏସ୍‌ଟିଏଫ୍ ଟିମ୍ ନିଜର ଚଢାଉ ଜୋରଦାର କରିବାକୁ ସାଧାରଣରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.