Home ଜିଲ୍ଲା ପରିକ୍ରମା ଭଦ୍ରକର ପାକିସ୍ତାନ ଯୁଦ୍ଧବନ୍ଦୀ ଆନନ୍ଦ ପତ୍ରୀଙ୍କ ମୁକ୍ତି ପାଇଁ ସାଂସଦ ମଂଜୁଲତା ମଣ୍ଡଳ ଅଣ୍ଟା ଭିଡିଲେ,...

ଭଦ୍ରକର ପାକିସ୍ତାନ ଯୁଦ୍ଧବନ୍ଦୀ ଆନନ୍ଦ ପତ୍ରୀଙ୍କ ମୁକ୍ତି ପାଇଁ ସାଂସଦ ମଂଜୁଲତା ମଣ୍ଡଳ ଅଣ୍ଟା ଭିଡିଲେ, ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମଙ୍କ ସହାୟତା ଲୋଡିଲେ ସାଂସଦ

25

ଭଦ୍ରକର ପାକିସ୍ତାନ ଯୁଦ୍ଧବନ୍ଦୀ ଆନନ୍ଦ ପତ୍ରୀଙ୍କ ମୁକ୍ତି ପାଇଁ ସାଂସଦ ମଂଜୁଲତା ମଣ୍ଡଳ ଅଣ୍ଟା ଭିଡିଲେ, ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମଙ୍କ ସହାୟତା ଲୋଡିଲେ ସାଂସଦ
ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସେନାର ଜଣେ ସୈନିକ ଭାବେ ନିଯୁ୍‌କ୍ତି ପାଇ ୧୯୬୨ ମସିହା ଇଣ୍ଡୋ-ଚାଇନା ଯୁଦ୍ଧରେ ଯୋଗଦେଇ ପରବର୍ତ୍ତୀ ସମୟରେ ୧୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ଅଂଶଗ୍ରହଣ କରି ଜଣେ ଯୁଦ୍ଧବନ୍ଦୀ ଭାବେ ପାକିସ୍ତାନର ଲାହୋର ଠାରେ ଥିବା କୋଟ-ଲାକପାଟ କେନ୍ଦ୍ରୀୟ ଜେଲ୍‌ରେ ନିର୍ଯ୍ୟାତନା ପାଇଆସୁଥିବା ଏହି ଜିଲାର ଧାମନଗର ଥାନା କଲ୍ୟାଣୀ ଗ୍ରାମନିବାସୀ ଆନନ୍ଦ ପତ୍ରୀଙ୍କ ମୁକ୍ତି ପାଇଁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତ ସରକାରଙ୍କ ବୈଦଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିଥିବା ବିଷୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏବଂ ଭଦ୍ରକ ଓ ସାରା ଓଡ଼ିଶା ମାଟିର ସ୍ୱାର୍ଥ ପାଇଁ ତାଙ୍କୁ ପାକିସ୍ଥାନ ଜେଲ୍‌ରୁ ଯଥାଶୀଘ୍ର ‘ଯୁଦ୍ଧବନ୍ଦୀ’ ଭାବେ ମୁକ୍ତ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ସ୍ୱର ଉତ୍ତୋଳନ କରିବା ପାଇଁ ଅନୁରୋଧ କରିଛନ୍ତି । ଆଜି ସନ୍ଧ୍ୟାରେ ସାଂସଦ ଶ୍ରୀମତୀ ମଣ୍ଡଳ ଭଦ୍ରକ ବାଇପାସ୍‌ସ୍ଥିତ ନିଜ ଆବାସିକ କାର୍ଯ୍ୟାଳୟରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଆନନ୍ଦ ପତ୍ରୀ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀର ଜଣେ ଅଧିବାସୀ ଅଟନ୍ତି । ସେ ଭାରତୀୟ ସେନା ନିଯୁକ୍ତି କେନ୍ଦ୍ର ଗୋଖେଲ ରୋଡ୍‌, କୋଲକାତା ମାଧ୍ୟମରେ ଭାରତୀୟ ସେନାରେ ନିଯୁକ୍ତି ପାଇଥିଲେ । ଏହାପରେ ସେ ୩୧ ବେଙ୍ଗଲ ଇଂଜିନିୟରିଂ ରେଜିମେଣ୍ଟ ‘ଜି’ କଂପାନୀ, କାଂଚରାପଡା, ଉତ୍ତର ଚବିଶି ପ୍ରଙ୍ଗଣା ଜିଲା, ପଶ୍ଚିମବଙ୍ଗରେ ଜଣେ ଭାରତୀୟ ସୈନିକ ଭାବରେ ନିଯୁକ୍ତି ପାଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଶ୍ରୀ ପତ୍ରୀ ୧୯୬୨ ମସିହାରେ ଇଣ୍ଡୋ-ଚାଇନା ଯୁଦ୍ଧରେ ଯୋଗଦେଇଥିଲେ । ପରବର୍ତ୍ତୀ ସମୟରେ ୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟ ଭାଗନେଇ ସେହଦିନ ଠାରୁ ଲାହୋର ଠାରେ ଥିବା କୋଟ-ଲାକପାଟ କେନ୍ଦ୍ରୀୟ ଜେଲ୍‌ରେ ଯୁଦ୍ଧବନ୍ଦୀ ଭାବେ ନିର୍ଯ୍ୟାତିତ ହୋଇଆସୁଛନ୍ତି । ଏହି ସମ୍ବେଦନଶୀଳ ବିଷୟଟି ୨୦୦୩ ଫେବୃୟାରୀ ୭ ତାରିଖରେ ଓଡ଼ିଶା ଗୃହ ସଚିବଙ୍କ ଦ୍ୱାରା ଏକ ବିଜ୍ଞାପନ ମାଧ୍ୟମରେ ଦୈନିକ ଓଡ଼ିଆ ଖବର କାଗଜ ‘ସମାଜ’ ରେ ପ୍ରକାଶିତ ହୋଇଥିଲା । ସେହି ବିଜ୍ଞାପନ ଥିବା ଫଟୋଟିର ଆନୁମାନିକ ନାମ ‘ନାସିମ୍ ଗୋପାଳ’ ବୋଲି ପାକିସ୍ତାନର ଇସ୍‌ଲାମବାଦରେ ଥିବା ଭାରତର ଉଚ୍ଚ କମିଶନରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । ‘ସମାଜ’ ରେ ଉକ୍ତ ଫଟୋଟି ପ୍ରକାଶ ହେବା ପରେ ଶ୍ରୀ ପତ୍ରୀଙ୍କ ପୁତ୍ର ବିଦ୍ୟାଧର ଯିଏ କୋଲକାତାରେ ରହି ପୁରୋହିତ ବୃତ୍ତି କରନ୍ତି, ସେ ତାଙ୍କ ପିତାଙ୍କ ଫଟୋକୁ ଚିହ୍ନିପାରିଥିଲେ । ଏପରିକି ତାଙ୍କର ଜଣେ ସଂପର୍କୀୟ ମଧ୍ୟ ସୂଚନା ଦେଇଥିଲେ ଯେ ତାଙ୍କ ପିତା ପାକିସ୍ତାନ ଜେଲ୍‌ରେ ଅଛନ୍ତି । ଶ୍ରୀ ପତ୍ରୀଙ୍କ ଗ୍ରାମ କଲ୍ୟାଣୀରେ ରହୁଥିବା ବହୁ ବରିଷ୍ଠ ଗ୍ରାମବାସୀ ମଧ୍ୟ ସେହି ଫଟୋଟିକୁ ଆନନ୍ଦ ପତ୍ରୀ ବୋଲି ଚିହ୍ନିପାରିଥିଲେ । ଏହି ବିଜ୍ଞାପନ ଦେଖିବା ପରେ ବିଦ୍ୟାଧର କୋଲକାତାର ଏକ ସାମାଜିକ କଲ୍ୟାଣ ସଂଗଠନ ଦିଗନ୍ତ କାର୍ଯ୍ୟାଳୟକୁ ଆସି ପଶ୍ଚିମବଙ୍ଗ ରାଜ୍ୟର ଉପଭୋକ୍ତା ସୁରକ୍ଷା ପରିଷଦର ସଦସ୍ୟ ଓ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ (ଇଣ୍ଡିଆ ଚାପ୍ଟର) ତଥା ଦିଗନ୍ତରର ସାଧାରଣ ସଂପାଦକ ଉତ୍ପଳ ରାୟଙ୍କୁ ଭେଟି ସମସ୍ତ କଥା ଅବଗତ କରାଇଥିଲେ । ସେହିଦିନ ଠାରୁ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବା ପାଇଁ ଶ୍ରୀ ରାୟ ମୁଖ୍ୟଭୂମିକା ଗ୍ରହଣ କରିଆସିଛନ୍ତି । ଏହି ପରିପ୍ରେକ୍ଷୀରେ ୨୦୦୪, ୫ ଫେବୃୟାରୀରେ ଶ୍ରୀ ରାୟ ଓଡ଼ିଶା ରାଜ୍ୟ ସୈନିକ ବୋର୍ଡର ସଚିବ ଓ ନିର୍ଦ୍ଦେଶକଙ୍କ ସହ ଗୃହ ବିଭାଗର ଉପ ଶାସନ ସଚିବଙ୍କ ନିକଟକୁ ଆନନ୍ଦଙ୍କୁ ମୁକ୍ତ କରିବା ପାଇଁ ଏକ ଅନୁରୋଧ ପତ୍ର ପଠାଇଥିଲେ । ଏବଂ ଏହି ପ୍ରସଙ୍ଗରେ ବିଦ୍ୟାଧରଙ୍କ ସହ ଶ୍ରୀ ରାୟ ସେତେବେଳର ଭାରତ ସରକାରଙ୍କ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୰ ପ୍ରଣବ ମୁର୍ଖାର୍ଜୀଙ୍କୁ ଭେଟିଥିଲେ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ମାନ୍ୟଗଣ୍ୟ ଅଧିକାରୀଙ୍କୁ ମଧ୍ୟ ଭେଟି ଏହି ବିଷୟରେ ଅବଗତ କରାଇଥିଲେ । କେବଳ ଭାରତରେ ନୁହେଁ, ତତ୍‌କାଳୀନ ପାକିସ୍ତାନର ବୈଦଶିକ ମନ୍ତ୍ରୀ ଜନାବ ଅନସର ବର୍ଣ୍ଣି ଯିଏ ତାଙ୍କ ସରକାରୀ ଗସ୍ତରେ ପଂଜାବର ଚଣ୍ଡିଗଡକୁ ଆସିଥିଲେ, ତାଙ୍କୁ ମଧ୍ୟ ଏମାନେ ଅବଗତ କରାଇଥିଲେ । ସେତେବେଳେ ସମସ୍ତେ ଆନନ୍ଦଙ୍କୁ ଯଥାଶୀଘ୍ର ମୁକ୍ତ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ୨୦୦୬ ନଭେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ସରକାରଙ୍କ ତତ୍‌କାଳୀନ ବୈଦଶିକ ମନ୍ତ୍ରୀ ୰ ପ୍ରଣବ ମୁଖାର୍ଜୀଙ୍କୁ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବା ପାଇଁ ଏକ ଅନୁରୋଧ ପତ୍ର ପଠାଇଥିଲେ । ଫଳରେ ଡିସେମ୍ବର ୨୦ ତାରିଖରେ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟାର ଯୁଗ୍ମ ସଚିବ (ପାକିସ୍ତାନ ଡିଭିଜନ) ଉତ୍ପଳ ରାୟଙ୍କୁ ଡକାଇ ଡିସେମ୍ବର ୨୨ ରେ ଭାରତ-ପାକ୍‌ର ୱାଘା ସୀମାରେ ଆନନ୍ଦ ପତ୍ରୀଙ୍କୁ ଗ୍ରହଣ କରିବାର ସୂଚନା ଦେଇଥିଲେ । ଏହାପରେ ତାଙ୍କ ପୁତ୍ର ବିଦ୍ୟାଧରଙ୍କ ସହ ଶ୍ରୀ ରାୟ ୱାଘା ସୀମାକୁ ଯାଇଥିଲେ । ସେମାନେ ଦେଖିଥିଲେ ପାକିସ୍ତାନ ସରକାର ଅନେକ ଭାରତୀୟ ନାଗରିକ ବନ୍ଦୀଙ୍କୁ ମୁକ୍ତ କରିଥିଲେ ମଧ୍ୟ ଆନନ୍ଦଙ୍କୁ ‘ଯୁଦ୍ଧବନ୍ଦୀ’ ଭାବେ ଛାଡିବାକୁ ରାଜି ହୋଇନଥିଲେ । କାରଣ ପାକିସ୍ତାନ ସରକାର ତାଙ୍କୁ ଯୁଦ୍ଧବନ୍ଦୀ ଭାବେ ନୁହେଁ ବରଂ ଭାରତୀୟ ନାଗରିକ ବନ୍ଦୀ ଭାବେ ମୁକ୍ତ କରିବାକୁ ଚାହୁଁଥିଲେ । ଏହାର କାରଣ ‘ଜେନେଭା ଆଇନ୍ ଅନୁଯାୟୀ କୌଣସି ଦେଶକୁ ୧୨ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧବନ୍ଦୀଙ୍କୁ ବନ୍ଦ କରିବା ପାଇଁ ଅନୁମତି ନାହିଁ’ ଏହି କାରଣରୁ ଇସ୍‌ଲାମ ବାଦ୍‌ରେ ଭାରତର ଉଚ୍ଚ କମିଶନର ଆନନ୍ଦଙ୍କୁ ଭାରତୀୟ ନାଗରିକ ବନ୍ଦୀ ଭାବେ ଗ୍ରହଣ କରିନଥିଲେ ।

ଇସ୍‌ଲାମ ବାଦରେ ଭାରତର ଉଚ୍ଚ କମିଶନର କେବଳ ଆନନ୍ଦଙ୍କୁ ଯୁଦ୍ଧବନ୍ଦୀ ଭାବେ ଗ୍ରହଣ କରିବାକୁ ଦର୍ଶାଇଥିବାରୁ ସେହିଦିନରୁ ସେ ପାକିସ୍ତାନ ଜେଲ୍‌ରୁ ମୁକୁଳିନାହାଁନ୍ତି । ଏଠାରେ ପ୍ରକାଶ ଥାଉକି ଆନନ୍ଦ ଯଦି ଜୀବିତ, ତେବେ ୧୯୬୫ ରୁ ୨୦୨୦ ପର୍ଯ୍ୟନ୍ତ ମଧ୍ୟରେ ତାଙ୍କୁ ୫୫ ବର୍ଷରୁ ଅଧିକ ପାକିସ୍ତାନ ଜେଲ୍‌ରେ ଅକଥନୀୟ ନିର୍ଯ୍ୟାତନା ଓ ମାନସିକ ଯନ୍ତ୍ରଣା ସହିଚାଲିଛନ୍ତି । ଏ ସଂପର୍କରେ ସାଂସଦ ଶ୍ରୀମତୀ ମଣ୍ଡଳ ଆନନ୍ଦଙ୍କ ପୁତ୍ର ଓ ପରିବାର, ଉତ୍ପଳ ରାୟ ଓ ତାଙ୍କ ଗ୍ରାମବାସୀମାନେ ବିଭିନ୍ନ ଗଣମାଧ୍ୟମରୁ ଏ ବିଷୟରୁ ଅବଗତ ହୋଇ ଆଗାମୀ ସଂସଦ ଅଧିବେଶନରେ ଏହି ପ୍ରସଙ୍ଗକୁ ଏକ ମାନବିକତା ଭିତ୍ତିରେ ଉଠାଇବାର ନିଷ୍ପତ୍ତି ନେଇଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି । ଏବଂ ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରି ତାଙ୍କୁ ପାକିସ୍ତାନ ଜେଲ୍‌ରୁ ଯଥାଶୀଘ୍ର ମୁକ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି ଶପଥ ନେଇଥିବାରୁ ଗଣମାଧ୍ୟମ ଏ ଦିଗରେ ତାଙ୍କୁ ସହାୟତା କରିବାକୁ ନିବେଦନ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ, ଉତ୍ପଳ ରାୟ, ଆନନ୍ଦଙ୍କ ପୁତ୍ର ବିଦ୍ୟାଧର ଓ ତିହିଡି ବ୍ଲକ୍ ପଂଚାୟତ ସମିତି ଅଧ୍ୟକ୍ଷ ବିଦ୍ୟୁତ୍‌ଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.