Home ଜିଲ୍ଲା ପରିକ୍ରମା ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ ଉଦ୍‌ଯାପିତ

ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ ଉଦ୍‌ଯାପିତ

78

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାର ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣମାର୍ଗ, ନରିପୁର (ଅସ୍ତଳ) ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ଅନନ୍ତ ବ୍ରତ ଉପଲକ୍ଷେ ମହାପ୍ରଭୁ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ବ୍ରତପୂଜା ଏବଂ ଜଣାଣ ପ୍ରାର୍ଥନା ବିଭିନ୍ନ କାର୍ଯ୍ୟକ୍ରମ ୫ଦିନ ଧରି କୋବିଡ଼ ନିୟମ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉର୍ଦ୍ଧ୍ୱ ଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରୁଷାନୁକ୍ରମେ ପାଳିତ ହୋଇ ଆସୁଅଛି । ପୂଜା ଦିନ ସକାଳେ ସାଳନ୍ଦୀ ଘାଟରୁ କଳସ ବୁଡାଯାଇ ଜଳ ଅଣାଯିବା ପରେ ଘଟ ସ୍ଥାପନ, ପୂଜାପାଠ, ହୋମ, ପୂଜାର୍ଚ୍ଚନା, ଷୋଡଷ ପୂଜା, ପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । କାରିଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରରେ ଶୋଭା ବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ଠାରେ ୧୪ ପ୍ରକାର ପୁଷ୍ପ, ଫଳ, ପିଠା, ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭୋଗ ଲାଗି ଅର୍ପଣ କରାଯାଇଥିଲା । ପ୍ରତିବର୍ଷ ଅନନ୍ତ ନାରାୟଣଙ୍କ ମନ୍ଦିରରେ ଅନନ୍ତ ଶୟନଙ୍କୁ ଦେଖିବା ଲାଗି ଶ୍ରଦ୍ଧାଳୁ ଏବଂ ବ୍ରତ ପାଳୁଥିବା ଶତାଧିକ ଭକ୍ତଙ୍କ ଭିଡ ଲାଗିଥାଏ । ପୂଜାରେ ପଣ୍ଡିତ ଗୋବର୍ଦ୍ଧନ ଦାଶ, ପଣ୍ଡିତ ସହଦେବ ପଣ୍ଡା ପୂଜାପାଠ କରିଥିବା ବେଳେ କୁଳ ପୁରୋହିତ ପଣ୍ଡିତ ଗୋବର୍ଦ୍ଧନ ମିଶ୍ର ସହାୟତା କରିଥିଲେ । ବ୍ରତଧାରୀ ମହିଳାମାନେ ସାମାଜିକ ଦୂରତା ରଖି ଉପବାସ ରହି ମନ୍ଦିରରେ ନାଗ ବ୍ରତ ପୂଜା କରିଥିଲେ । ଏହା ଏକ ସାର୍ବଜନୀନ ଗଣପର୍ବର ରୂପ ନେଇଥିବାରୁ ପ୍ରତିବର୍ଷ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି । ମନ୍ଦିରର ପ୍ରତିଷ୍ଠାତା ରାଜ୍ୟ ଗୋପବନ୍ଧୁ ପୁରସ୍କାର ପ୍ରାପ୍ତ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ସହଧର୍ମିଣୀ ସ୍ୱର୍ଗତ ହରିପ୍ରିୟା ନାୟକ ସେବିକା ଭାବେ ଦୀର୍ଘବର୍ଷ ଧରି ପ୍ରଭୁଙ୍କ ପୂଜା କରି ଆସୁଥିଲେ । ଅନନ୍ତଙ୍କ ନିକଟରେ ଯିଏ ଯାହା ମାନସିକ କରେ ସେମାନଙ୍କ ମନକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଥିବା କିମ୍ବଦନ୍ତୀ ରହିଛି ।

ଶହେ ବର୍ଷରୁ ଉର୍ଦ୍ଧ୍ୱ ଧରି ଧର୍ମୀୟ ପରମ୍ପରାକୁ ନେଇ ଅନନ୍ତ ନାଗ ବ୍ରତ ପୂଜା ପାଳନ ହୋଇ ଆସୁଥିବା ବେଳେ ୧୯୭୯ ମସିହାରେ ସ୍ୱପ୍ନାଦେଶ ହେବାରୁ ତିହିଡି ଥାନା ପାଳିଆ ଗ୍ରାମର କାରିଗର ବାବାଜୀ ପୃଷ୍ଟି ଅନନ୍ତ ଶଯ୍ୟା ବିଶିଷ୍ଟ ବିଗ୍ରହ ନିର୍ମାଣ କରି ପବିତ୍ର ଅକ୍ଷୟ ତୃତୀୟାରେ ମନ୍ଦିର ପ୍ରତିଷ୍ଠା ହୋଇ ନରିପୁର (ଅସ୍ତଳ) ଗ୍ରାମରେ ଆଡମ୍ବର ସହକାରେ ପାଳିତ ହୋଇ ଆସୁଅଛି । ସନ୍ଧ୍ୟାରେ ପୂଜା ମଣ୍ଡପରେ ଠାକୁରଙ୍କ ପ୍ରାର୍ଥନା ଜଣାଣ କାର୍ଯ୍ୟକ୍ରମରେ କୋବିଡ଼ ନିୟମ ପାଳନ କରି ଶିଶୁ କଳାକାର ସ୍ମୃତିଶ୍ରୀୟା ମହାନ୍ତି ଉଚ୍ଚକୋଟୀର ଜଣାଣ ପରିବେଷଣ କରିଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା କୁଆପଦା ଗ୍ରାମର ସୁରତାଲ୍ ଟ୍ରୁପ୍ ଏବଂ ଆମ୍ବରୋଳିର ବାବା ମକରେଶ୍ୱର ଟ୍ରୁପ୍‌ର ସୁନାମଧନ୍ୟ ଗାୟକ ସୁବାସ ମଣ୍ଡଳ, ଦିପ୍ତିମୟୀ ମଣ୍ଡଳ, ଗୋବିନ୍ଦ ସାହୁ, କୃଷ୍ଣଚନ୍ଦ୍ର ରାଉତ, କରୁଣାକର ଜେନା, ମାଗୁଣି ଜେନା ଜଣାଣ ପ୍ରାର୍ଥନା ପାଠ କରିଥିଲେ । ଏହି ପୂଜା ଉତ୍ସବରେ କର୍ମକର୍ତ୍ତା ସଦସ୍ୟଙ୍କ ମଧ୍ୟରେ ବରିଷ୍ଠ ଡାକ୍ତର ଆର.କେ ନାୟକ, ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ରୋଟାରିଆନ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ରୋଟାରିଆନ ଅତିଶ ବେହେରା, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସାଂସଦଙ୍କ ପି.ଏସ୍‌.ଓ. ଅଶୋକ ବେହେରା, ଡ. ରାମଚନ୍ଦ୍ର ପଣ୍ଡା, ଡ. ବଳରାମ ମିଶ୍ର, ଡ. ନରହରି ବେହେରା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପ୍ରଫେସର ସଞ୍ଜୟ ଦାସ, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଆଇନଜୀବୀ ଦେବାଶିଷ ମହାପାତ୍ର, ଶଶଧର ମହନୀ, -ଶିକ୍ଷାବିତ୍ ବାଦଲ ମହାପାତ୍ର, ଶିକ୍ଷାବିତ୍ ଶଙ୍କର୍ଷଣ ଦାସ, ଜ୍ୟୋତିପ୍ରକାଶ ମହାନ୍ତି, ସରିତା ମହାନ୍ତି, ସସ୍ମିତା ଦାସ, ସନ୍ଧ୍ୟାରାଣୀ ରାଉତ, ରଞ୍ଜୁଲତା ନାୟକ, ଯୋଗମାୟା ପଣ୍ଡିତ, ମାନସୀ ରାଉତରାୟ, ଇଂ ସମରଦୀପ ଜେନା, ଇଂ ବାଣୀଶ୍ରୀ ନାୟକ, ଇଂ ବିଶଜିତ୍ ସ୍ୱାଇଁ, ସ୍ମୃତି ରଂଜନ ମହାନ୍ତି, ଶୁଚିସ୍ମିତା ମହାନ୍ତି, ନରେଶ୍ୱର ଦାଶ, ସୂର୍ଯ୍ୟ କୁମାର ଦାସ, ମନୋରଂଜନ ଦାସ, ନରେନ୍ଦ୍ର ଜେନା, କାଠିଆ ମହାନ୍ତି, ବାଦଲ ବଳ, ଡାକ୍ତର ପ୍ରଭାତ ପଢିଆରୀ, ସୁବାସ ଚନ୍ଦ୍ର ପଢିଆରୀ, ସୁବାସ ରାଉତଙ୍କ ସମେତ ଆଇନଜୀବୀ, ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଏହି ପର୍ବ ଶାନ୍ତି, ମୈତ୍ରୀ, ସହଯୋଗ ଓ ଆଧ୍ୟାତ୍ମିକ ଚେତନାର ଏକ ସଫଳ ବାର୍ଷିକ ଗଣପର୍ବ ବୋଲି ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.