Home ଜିଲ୍ଲା ପରିକ୍ରମା ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ ପାଳିତ

ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜୋତ୍ସବ ପାଳିତ

24

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣ ମାର୍ଗ, ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ‘ଅନନ୍ତ ବ୍ରତ’ ଉପଲକ୍ଷେ ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ, ଭଜନ ଓ ବିଭିନ୍ନ କାର୍ଯ୍ୟକ୍ରମ ସାତ ଦିନ ବ୍ୟାପୀ ନିରାଡ଼ମ୍ବରରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉର୍ଦ୍ଧ୍ୱଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରଷାନୁକ୍ରମେ ପାଳିତ ହୋଇ ଆସୁଅଛି । ସାଳନ୍ଦୀ ନଦୀରେ କଳସ ବୁଡ଼ା ଯାଇ ଜଳ ଅଣାଯିବା ପରେ ଘଟ, ପୂଜା,ପାଠ, ହୋମ ଓ ପୂଜାର୍ଚ୍ଚନା ଆଦି ପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା । ବାଙ୍ଗାଲୋର ଓ କୋଲକାତାରୁ ଆସିଥିବା କାରୀଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରର ଶୋଭାବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ‘ଅନନ୍ତ ଶୟନ’ଦୃଶ୍ୟ ଚିତ୍ତାକର୍ଷକ ହୋଇଥିବାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂଜାରେ ପଣ୍ଡିତ ସହଦେବ ପଣ୍ଡା, ପଣ୍ଡିତ ଗୋବର୍ଦ୍ଧନ ଦାଶ ପୂଜାପାଠ କରିଥିଲେ । ଏଠାକୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ରତଧାରୀ ମହିଳାମାନେ ଉପବାସ କରି ମନ୍ଦିରରେ ନାଗ ଓ ବ୍ରତପୂଜା କରିଥିଲେ । ଏହା ଏକ ସାର୍ବଜନୀନ ଗଣପର୍ବର ରୂପ ନେଇଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ ।

ମନ୍ଦିର ପ୍ରତିଷ୍ଠାତା ରାଜ୍ୟଗୋପବନ୍ଧୁ ପୁରସ୍କାରପ୍ରାପ୍ତ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ସହଧର୍ମିଣୀ ୰ ହରିପ୍ରିୟା ନାୟକ ମୁଖ୍ୟ ସେବିକା ଭାବେ ଦୀର୍ଘ ବର୍ଷ ଧରି ପ୍ର୍ରଭୁଙ୍କୁ ପୂଜା କରି ଆସୁଥିଲେ । ପରେ ଜ୍ୟେଷ୍ଠପୁତ୍ର ଅମର ନାୟକ ମୁଖ୍ୟ ପୂଜାକର୍ତ୍ତା ଭାବେ ପୂଜା କରିଆସୁଥିବା ବେଳେ ନିକଟରେ ତାଙ୍କର ଦେହାନ୍ତ ଘଟିଛି । ପ୍ରଭୁ ଅନନ୍ତଙ୍କ ନିକଟରେ ଯିଏ ଯାହା ମାନସିକ କରେ ସେମାନଙ୍କର ମନକାମନା ପୂର୍ଣ୍ଣ ହୋଇଯାଏ ବୋଲି ବିଶ୍ୱାସ ରହିଥିବା କିମ୍ବଦନ୍ତୀ ରହିଛି । ଶହେବର୍ଷରୁ ଉର୍ଦ୍ଧ୍ୱ ଧରି ଧର୍ମୀୟ ପରମ୍ପରାକୁ ନେଇ ଅନନ୍ତ ନାଗ ବ୍ରତ ପୂଜା ଉତ୍ସବ ପାଳନ ହୋଇ ଆସୁଥିବା ବେଳେ ୧୯୭୯ ମସିହାରେ ସ୍ୱପ୍ନାଦେଶ ହେବାରୁ ତିହିଡ଼ି ଥାନା ପାଳିଆ ଗ୍ରାମର ମୂର୍ତ୍ତି କାରିଗର ବାବାଜୀ ପୃଷ୍ଟି ଅନନ୍ତ ଶଯ୍ୟା ବିଶିଷ୍ଟ ବିଗ୍ରହ ନିର୍ମାଣ କରି ପବିତ୍ର ଅକ୍ଷୟ ତୃତୀୟାରେ ମନ୍ଦିର ପ୍ରତିଷ୍ଠା ହୋଇ ଅଦ୍ୟାବଧି ଭକ୍ତି ନିଷ୍ଠାର ସହ ନରିପୁର ଅସ୍ତଳ ଗ୍ରାମରେ ଆଡମ୍ବର ସହକାରେ ଅଦ୍ୟାବଧି ପାଳିତ ହୋଇ ଆସୁଅଛି । ସନ୍ଧ୍ୟାରେ ପୂଜା ମଣ୍ଡପରେ ଗ୍ରାମାଞ୍ଚଳ ଥାନା ଜଳଙ୍ଗା କୁଆପଦାର ବାଲ୍ୟମଙ୍ଗଳା ଭଜନ ମଣ୍ଡଳୀର ଗାୟକ ସୁବାସ ମଣ୍ଡଳ, ଅକ୍ଷୟ ଜେନା, ଦୀପ୍ତିରାଣୀ ମଣ୍ଡଳ, କୃଷ୍ଣଚନ୍ଦ୍ର ରାଉତ, କରୁଣାକର ଜେନା, ଲକ୍ଷ୍ମୀଧର ରାଉତ, କୁଶ ଚିନ୍ନରା ପ୍ରମୁଖ ଭଜନ ପରିବେଷଣ କରିଥିଲେ । ପୂଜା ଉତ୍ସବରେ ଜିଲ୍ଳା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସହରାଞ୍ଚଳ ବିକାଶ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ରଂଜନ ରାୟ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବରିଷ୍ଠ ଡାକ୍ତର ଆର୍‌.କେ. ନାୟକ, ଅତିରିକ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ଜେନା, ଡା. ବେଣୁଧର ସ୍ୱାଇଁ, ଶିଶୁ ସାହିତ୍ୟିକ ଶଶଧର ମହନୀ, ଶିକ୍ଷାବିତ୍ ବାଦଲ ମହାପାତ୍ର, ରବୀନ୍ଦ୍ର ଦାଶ, ପାରିଷଦ ଗୀତାଞ୍ଜଳୀ ଦାସ, ଆଶିଷ ଅମିତାଭ ମହାପାତ୍ର, ସୂର୍ଯ୍ୟ କୁମାର ଦାସ, ଇଂ ବାଣୀଶ୍ରୀ ନାୟକ, ଇଂ ସମରଦୀପ ଜେନାଙ୍କ ସମେତ ବହୁ ଆଇନଜୀବୀ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.