Home ଜିଲ୍ଲା ପରିକ୍ରମା ଭଦ୍ରକରେ ମମିତା ମୃତ୍ୟୁ ତାତି, ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ...

ଭଦ୍ରକରେ ମମିତା ମୃତ୍ୟୁ ତାତି, ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶପୁତ୍ତଳା ଦାହ

21

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲା ପ୍ରମାଣ କରୁଛି ଯେ, ବିଜେଡି ସରକାର ଶାସନ କାଳରେ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି । ଏହି ମାମଲାକୁ ଜାତୀୟ ମହିଳା ଆୟୋଗ ରେଖା ଶର୍ମା ଯେଭଳି ଭାବରେ ଗୁରୁତର ସହ ନେଇଛନ୍ତି ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ହିଁ ବଡ଼ ପ୍ରମାଣ । ଏହି ମାମଲାରେ ଆୟୋଗ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ଶାସକ ଦଳର ମନ୍ତ୍ରୀ ଦ୍ୱୟଙ୍କ ସଂପୃକ୍ତିର ଅଭିଯୋଗ ଆସିଥିବାରୁ ତଦନ୍ତ ହୁଏତ ଦିଗହରା ହୋଇ ପାରେ । କ୍ଷମତାର ଅପବ୍ୟବହାର କରି ହୁଏତ ଅଭିଯୁକ୍ତମାନେ ମାମଲାରୁ ଖସି ଯାଇ ପାରନ୍ତି ବୋଲି ସେ ସୂଚାଇଛନ୍ତି । ଏହି କ୍ରମରେ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆୟୋଗ ନିଜ ତରଫରୁ ମାମଲା ରୁଜ୍ଜୁ କରିଛନ୍ତି । ଅନୁରୂପ ରାଜ୍ୟ ମହିଳା କମିଶନ ଘଟଣାରେ ଉଦବେଗ ପ୍ରକାଶ କରି କଳାହାଣ୍ଡି ଓ ବଲାଙ୍ଗୀର ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହା ବ୍ୟତୀତ ମମିତା ହତ୍ୟାକାଣ୍ଡର ବାସ୍ତବତା କ’ଣ ସମଗ୍ର ରାଜ୍ୟବାସୀଙ୍କୁ ଜଳଜଳ ହୋଇ ଦିଶୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଜକୁ ସ୍ୱଛ ବୋଲାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହରପ୍ରିୟା ସାହୁ ।

ତେବେ ମମିତାଙ୍କ ହତ୍ୟାକାଣ୍ଡ ଓ ତାଙ୍କ ପରିବାରକୁ ସୁରକ୍ଷା ଓ ନ୍ୟାୟ ଦାବିରେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏକ ଶୋଭାଯାତ୍ରା ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ବାହାରି ସମଗ୍ର ସହର ପରିକ୍ରମା କରି ବନ୍ତ ଛକ ଠାରେ ପହଞ୍ଚିଥିଲା । ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ମମିତାଙ୍କ ଉଦାହରଣ ଭାତ ହାଣ୍ଡିରୁ ଗୋଟିଏ । ରାଜ୍ୟରେ ଏହିପରି ବହୁ ନାରୀ ନିର୍ଯ୍ୟାତନା ଓ ହତ୍ୟା ଘଟଣା ଘଟି ଚାଲିଛି । ଶାସକ ଦଳ ପୁଲିସ ଓ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତର ଦିଗ ବଦଳାଇ ଚାଲିଛି । ତେଣୁ ତୁରନ୍ତ ନିଜକୁ ସ୍ୱଛ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନବୀନ ବାବୁ ଏହି ଦୁଇ ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଏକ ନ୍ୟାୟିକ ବାତାବରଣ ସୃଷ୍ଟି କରନ୍ତୁ ବୋଲି ଉପସ୍ତିତ ନେତୃମଣ୍ଡଳୀ କହିଥିଲେ । ଏହି ଅବସରରେ ମନ୍ତ୍ରୀ କ୍ୟାପଟେନ ମିଶ୍ରଙ୍କ କୁଶ ପୁତ୍ତଳା ଦାହ କରାଯାଇଥିଲା । ମହିଳା ମୋର୍ଚ୍ଚାର ଲିପିକା ବାରିକ, ଉମାମଣୀ ସାହୁ, ଉଷା ପାଢ଼ୀ, ଚୈତାଳୀ ଖିଲାର, ତୃପ୍ତିରେଖା ରାଉତ, ସ୍ୱର୍ଣ୍ଣଲତା ମିଶ୍ର, ବିଷ୍‌ୁପ୍ରିୟା ଜେନା, ଅନସୂୟା ବାରିକ, ମହିଳା ମୋର୍ଚ୍ଚା ପ୍ରଭାରୀ ଭଗବାନ ପଣ୍ଡା, ଶରତ ପଢ଼ିଆରୀ, ତପନ ମହାନ୍ତି, ସନ୍ତୋଷ ସାହୁ, ଆଇଟି ସେଲ ମୁଖ୍ୟ ଶଶାଙ୍କ ମିଶ୍ର୍ର, ସବିର ଦାସ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.