Home ଜିଲ୍ଲା ପରିକ୍ରମା ଭଦ୍ରକରେ ଭାରତବନ୍ଦ ପ୍ରଥମ ଦିନରେ ମିଶ୍ରିତ ପ୍ରଭାବ, ଅଖଚକ ବନ୍ଦ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ...

ଭଦ୍ରକରେ ଭାରତବନ୍ଦ ପ୍ରଥମ ଦିନରେ ମିଶ୍ରିତ ପ୍ରଭାବ, ଅଖଚକ ବନ୍ଦ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ ଦପ୍ତର ବନ୍ଦ

36

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର ୧୧ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ ରାଜ୍ୟ କେନ୍ଦ୍ର ବ୍ୟାଙ୍କ ବୀମା ସମୂହ ପକ୍ଷରୁ ୧୨ଦଫା ଦାବିରେ ୨ ଦିନିଆ ବନ୍ଦ ଡାକରା ଦିଆଯାଇଛି। ଏହି ଡାକରାକୁ ସମର୍ଥନ ଜଣାଇ ଭଦ୍ରକ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଭାରତବନ୍ଦର ପ୍ରଥମ ଦିନରେ ଆନ୍ଦୋଳନକୁ ୱହ୍ଲାଇ ଥିଲେ। ଆଜି ସକାଳ ୬ଟାରେ ଏଆଇସିସିଟିୟୁ ପକ୍ଷରୁ ଦଳର ସଭାପତି ସମର ବଳ, ଜୟନ୍ତୀ ବିଶ୍ୱାଳ, କିଶୋର ଜେନାଙ୍କ ନେତୃ୍‌ତ୍ୱରେ ବହୁ କର୍ମୀ ସ୍ଥାନୀୟ ଷ୍ଟେସନରେ ପହଞ୍ଚି ରେଳ ଧାରଣା ଉପରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କିଛି ସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରେଳବାଇ ପୁଲିସ ୬ଜଣ କର୍ମୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିବା ପରେ ରେଳ ଚଳାଚଳ ସ୍ୱାଭାବିକ୍ ହୋଇଥିଲା। ପରେ ଏଆଇସିସିଟିୟୁ ପକ୍ଷରୁ ସକାଳ ୭ଟାରେ ଭଦ୍ରକ କଲେଜ ଛକ ସାଳନ୍ଦୀ ବ୍ରିଜ ଉପରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଦଳର ଜିଲ୍ଲା ସଭାପତି ଶ୍ରୀ ବଳଙ୍କ ସମେତ ଫକୀର ମୋହନ ମଲ୍ଲିକ, ରମାକାନ୍ତ ଦାସ, ରୂପା ପାତ୍ର, ଗାୟତ୍ରୀ ବେହେରା, ପଦ୍ମାବତୀ ଖିଲାର, ସୁଶାନ୍ତ ଦାସ, ଲକ୍ଷ୍ମୀଧର ସାମଲ, ମାନସ ବେହେରା, ବିଷ୍ଣୁ ମୋହନ ସାହୁ, ଦୁଷ୍ମନ୍ତ ପାଢ଼ୀ, ମନୋଜ ପାଲଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ରାଜପଥ ଅବରୋଧ କରିଥିଲେ।

ଫଳରେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା। ତେବେ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଦଳର କର୍ମୀମାନେ ପିପେଟିଂ କରି ଏସବୁକୁ ବନ୍ଦ କରି ଦେଇଥିଲେ। ପ୍ରକାଶଯୋଗ୍ୟ ଚାରିଟି ଶ୍ରମକୋର୍ଡ ବାତିଲ, ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବା ଆଇନ୍ ବାତିଲ, କୃଷି ଆଇନ୍ ବାତିଲ ଏବଂ ପରବର୍ତ୍ତୀ ସଂଯୁକ୍ତ କିଷାନମୋର୍ଚ୍ଚ ୬ ଦଫାଦାବି ଗ୍ରହଣ, ଘରୋଇକରଣ ବନ୍ଦ କରିବା ସହ ଏମଏନପି ବାତିଲ, ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ, ଆୟକର ବାହାରେ ଥିବା ପରିବାରକୁ ମାସିକ ୭, ୫୦୦ ଟଙ୍କା ଦେବା ସହିତ ଖାଦ୍ୟ ସହାୟତା ପ୍ରଦାନ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ସହ ସହରାଞ୍ଚଳକୁ ନିଶ୍ଚିତ ରୋଜଗାର ଯୋଜନା ସହ ବିସ୍ତାରିତ କରିବା, ଅଙ୍ଗନବାଡ଼ି, ଆଶା, ପାଚିକା ଭଳି ସ୍କିମ୍ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ, ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ ପରି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦରେ ବିଶିଷ୍ଟ ସିଟୁ ନେତା ଅଧିବକ୍ତା ଦିବ୍ୟସିଂହ ନାୟକ, ଗିରିଧାରୀ ନାଥ, ରାଧା ଦାସ, ବିଶିଷ୍ଟ କୃଷକ ନେତା ଚନ୍ଦ୍ରଶେଖର ନାୟକ ପ୍ରମୁଖ ସାମିଲ ହୋଇ ଭଦ୍ରକ ବନ୍ତଛକ ଓ କଚେରୀ ବଜାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାବ୍ୟତୀତ ଠିକା, ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ କରିବା ଏବଂ ସମସ୍ତଙ୍କ ପାଇଁ “ସମାନ କାମକୁ ସମାନ ମଜୁରୀ” ନୀତି ଲାଗୁ କରିବା, ଜାତୀୟ ପେନସନ୍ ଯୋଜନା ବାତିଲ କରି ପୁରୁଣା ପେନସନ୍ ଯୋଜନା ଲାଗୁ, କର୍ମଚାରୀ ପେନସନ ଯୋଜନା ଅଧିନସ୍ଥ ସର୍ବନିମ୍ନ ପେନସନରେ ଆଖିଦୃଶିଆ ବୁଦ୍ଧି କରିବାକୁ ଶ୍ରୀ ବଳ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.