Home ଓଡ଼ିଶା ବନ୍ତରେ ଫୁଟିଲା ବମ୍‌, ଗୁରୁତର ୩ ନାବାଳିକା କଟକ ସ୍ଥାନାନ୍ତର

ବନ୍ତରେ ଫୁଟିଲା ବମ୍‌, ଗୁରୁତର ୩ ନାବାଳିକା କଟକ ସ୍ଥାନାନ୍ତର

22

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ଅଭାବନୀୟ ଘଟଣାରେ ଗ୍ରାମ ପୋଖରୀ ହୁଡାରେ ଖେଳୁଥିବା ତିନି ଜଣ ନାବାଳିକା କନ୍ୟା ବମ୍ ଫୁଟିବାରୁ ଗୁରୁତର ହୋଇ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ବନ୍ତ ଥାନା ଅଧୀନସ୍ଥ ତିରିକୋଣା ଦେବତାଗଡିଆ ଗ୍ରାମର ତାରଖା ହାଁସଦାଙ୍କ ଦୁଇକନ୍ୟା ପୂଜା (୧୦) ଓ ବାସନ୍ତୀ (୮) ଓ ମଧୁ ମୂର୍ମୁଙ୍କ କନ୍ୟା ସବିତା (୯) ବର୍ଷ ଗ୍ରାମର ଅନ୍ୟ ୪-୫ ଜଣ ପିଲାଙ୍କ ସହ ଅପରାହ୍ନ ପ୍ରାୟ ୪ଟା ସମୟରେ ଗ୍ରାମ ପୋଖରୀ ହୁଡାରେ ଖେଳୁଥିଲେ। ଏହି ସମୟରେ ପୂଜା ପାଖ ବୁଦା ମଧ୍ୟରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ରହିଥିବାର ଦେଖି ତାହାକୁ ଟାଣି ଆଣିବାରୁ ସେଥିମଧ୍ୟରେ ଥିବା ୨-୩ ଟି ବମ୍ ହୁଡା ତଳକୁ ଗଡିଯାଇ ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ହୋଇଥିଲା। ଫଳରେ ତାରଖାଙ୍କ ଦୁଇକନ୍ୟାଙ୍କ ମଧ୍ୟରୁ ପୂଜାର ଡାହାଣ ହାତ କହୁଣୀ ପାଖରୁ କ୍ଷତିଗ୍ରସ୍ତ ହୋଇଥିବାବେଳେ ବାମଗୋଡ ଆଣ୍ଠୁତଳକୁ ଗଭୀର ଭାବେ କ୍ଷତାକ୍ତ ହୋଇଥିଲା। ସେହିଭଳି ବାସନ୍ତୀର ବାମଗୋଡ ଆଣ୍ଠୁ ତଳକୁ ଝୁଲି ପଡିଥିବାବେଳେ ଉଭୟଙ୍କ ଦେହର ମୁହଁ ଓ ହାତ କ୍ଷତାକ୍ତ ହୋଇଥିଲା। ସେହିଭଳି ମଧୁ ମୂର୍ମୁଙ୍କ କନ୍ୟା ସବିତାର ମୁହଁ, ହାତ ଓ ଗୋଡ କ୍ଷତିଗ୍ରସ୍ତ ହୋଇଥିବାର ଦେଖାଯାଇଥିଲା। ସୌଭାଗ୍ୟକୁ ଅନ୍ୟ ପିଲାମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ତେବେ ଏହି ଘଟଣାରେ ଗୁରୁତର ୩ ଜଣଙ୍କୁ ପ୍ରଥମେ ଭଦ୍ରକ ଓ ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଏହି ଘଟଣାରେ ବମ୍ କିଭଳି ଓ କେଉଁ ପରିସ୍ଥିତିରେ ସେଠାକୁ ଆସିଲା ଓ କିଏ ରଖିଥିଲା, ସେଥିନେଇ ତଦନ୍ତ କରୁଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.