Home ଜିଲ୍ଲା ପରିକ୍ରମା ଭଦ୍ରକରେ ପ୍ରଶାସନିକ ସେବା ଅଚଳ, ଜିଲାପାଳଙ୍କ ଅଫିସ୍‌ରେ ଅଫିସର ପଦବୀ ଖାଲି

ଭଦ୍ରକରେ ପ୍ରଶାସନିକ ସେବା ଅଚଳ, ଜିଲାପାଳଙ୍କ ଅଫିସ୍‌ରେ ଅଫିସର ପଦବୀ ଖାଲି

18

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ବହୁ ଅଫିସର ପଦ ଖାଲି ପଡିଛି । ଜଣେ ଜଣେ ଅଫିସର ଏକାଧିକ ପଦବୀଙ୍କୁ ମୁଣ୍ଡାଇଛନ୍ତି । ଏମିତିକି ଜଣେ ଜଣେ ଅଫିସ୍‌ଙ୍କ ହାତରେ ୭ ରୁ ୮ଟି ବିଭାଗର ଦାୟିତ୍ୱ ନ୍ୟସ୍ତ ରହିଛି । ସରକାର ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ୫ଟି ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଲୋକଙ୍କ ସେବାରେ ଲାଗୁ କରିଛନ୍ତି । ତେବେ ଅଫିସର ପଦବୀ ଖାଲି ସମସ୍ୟା ଯୋଗୁଁ ପ୍ରଶାସନିକ କାର୍ଯ୍ୟ ସୁରୁଖୁରୁରେ ଚାଲି ପାରୁନଥିବା ଜଣାଯାଇଛି । ଅନ୍ୟପକ୍ଷରେ ସରକାରୀ କାର୍ଯ୍ୟାଳୟରୁ ଯେଉଁ ସେବା ସାଧାରଣ ଲୋକେ ସଠିକ୍ ସମୟ ମଧ୍ୟରେ ପାଇବା କଥା ତାହା ହୋଇପାରୁନି । ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଜିଲାପାଳଙ୍କ ଅଫିସ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ବର୍ଷ ବର୍ଷ ଧରି ଅଫିସର ନାହାଁନ୍ତି । ଜିଲାର ପଂଚାୟତ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରାୟ ୩ ବର୍ଷ ଧରି ଫାଙ୍କା ପଡିଛି । ଜିଲା ସ୍ୱଳ୍ପ ସଂଚା ଅଧିକାରୀ ପଦ ମଧ୍ୟ ୨ ବର୍ଷ ଧରି ଖାଲି ପଡିଥିବାବେଳେ ଗୁରୁତ୍ୱପୂର୍ଣ୍ଣ ଜିଲା ଭୂ-ଅର୍ଜନ ଅଧିକାରୀ ପଦ ଫାଙ୍କା ପଡିଛି । ସେହିଭଳି ଡେପୁଟି ଇଲେକ୍ସନ ଅଫିସଦର ପଦ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପଦ ଖାଲି ରହିଛି । ଏହିସବୁ ପଦରେ ଅଫିସର ନଥିବାରୁ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଉପରେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସରକାର ଭଦ୍ରକ ଜିଲାପାଳ ଅଫିସ୍ ଲାଗି ୫ଟି ଡେପୁଟି କଲେକ୍ଟର ଓ ୫ଟି ଆସିଷ୍ଟାଣ୍ଟ କଲେକ୍ଟର ପଦ ମଂଜୁରି କରିଛନ୍ତି । ଏବେ ଜିଲାପାଳଙ୍କ ଅଫିସ୍‌ରେ ୫ଜଣ ଡେପୁଟି କଲେକ୍ଟର ନିଯୁକ୍ତି ପାଇଛନ୍ତି । ୫ ରୁ ୩ ଜଣ ଆସିଷ୍ଟାଣ୍ଟ କଲେକ୍ଟର ଅବସ୍ଥାପିତ ଅଛନ୍ତି । ୩ ଜଣ ଆସିଷ୍ଟାଣ୍ଟ ଜିଲାପାଳଙ୍କ ମଧ୍ୟରୁ ବିଶ୍ୱନାଥ ବିଶ୍ୱାଳଙ୍କୁ ବାସୁଦେବପୁର ଅତିରିକ୍ତ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି ।

ବସନ୍ତ ଲେଙ୍କାକୁ ସାର୍ଟିଫିକେଟ୍ ବିଭାଗ ଓ ଆସିଷ୍ଟାଣ୍ଟ କଲେକ୍ଟର ଦୀପକ ରାଉତଙ୍କୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ଅଧିକାରୀ ଦାୟିତ୍ୱ ସହ ସ୍ୱଳ୍ପ ସଂଚୟ ଅଧିକାରୀ ଓ ଚକବନ୍ଦୀ ଅଫିସର ଦାୟିତ୍ୱ ବି ଦିଆଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ କାର୍ତ୍ତିକନାଥ ମଣ୍ଡଳଙ୍କ ଉପରେ ଏକାଧିକ କାର୍ଯ୍ୟଭାର ରହିଥିଲା । ତେବେ ତାଙ୍କର ୩ ମାସ ତଳେ ଅନ୍ୟତ୍ର ବଦଳି ହୋଇଛି । କିନ୍ତୁ ଶ୍ରୀ ମଣ୍ଡଳ ଏକ ସମୟରେ ଜିଲା ଭୂ-ଅର୍ଜନ, ଇଲେକସନ ଅଫିସର, କମ୍ପେସେସନ, ଡେପୁଟି ଜନଗଣନା ଅଧିକାରୀ, ବାଉଣ୍ଡାରୀ ଚେକ୍ ପଏଣ୍ଟ (ବି.ସି.ପି.) ଅନଲାଇନ୍ ଗ୍ରିଭେନ୍ସ ମନିଟରିଂ ସେଲ୍‌, ଜାତୀୟ ରାଜପଥ ଜମି ଅଧିଗ୍ରହଣ ଅଧିକାରୀ (ସିଏଲ୍‌ଏ), କୋଭିଡ୍ ପରିଚାଳନା ସହ ଜିଲାପାଳଙ୍କ କୋର୍ଟ ମାମଲା ଭଳି ଗୁରୁତ୍ୱପୂର୍ଣ୍ଣ ୯ଟି ବିଭାଗର ଦାୟିତ୍ୱ ତୁଲାଉଥିଲା । ଏଣୁ ତାଙ୍କ ଅଧୀନରେ ଥିବା ୯ଟି ବିଭାଗର ଦାୟିତ୍ୱକୁ ଅନ୍ୟ ଅଧିକାରୀଙ୍କୁ ବଣ୍ଟନ କରାଯାଇଛି । ଡେପୁଟି କଲେକ୍ଟରମାନଙ୍କୁ ମଧ୍ୟ ଏକାଧିକ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତିଙ୍କୁ ଜିଲା ଜରୁରୀ ବିଭାଗ (ଏମରଜେନ୍ସି), ମନିଟରିଂ ସେଲ୍‌, ଜନଗଣନା, ଜିଲା ପଂଚାୟତ ଅଧିକାରୀ, କୋଭିଡ୍ ପରିଚାଳନା ସହ ଜିଲାପାଳଙ୍କ କାର୍ଯ୍ୟାଳୟର କୋର୍ଟ ମାମଲାର ପରିଚାଳନା ଭଳି ୫ଟି ଗୁରୁଦାୟିତ୍ୱ ଦିଆଯାଇଛି । ଡେପୁଟି କଲେକ୍ଟର ମନୋରମା ଜାଲି ରାଜସ୍ୱ ବିଭାଗ, କ୍ଷତିପୂରଣ ଓ ବିସିପି ସେଲର ଦାୟିତ୍ୱ ତୁଲାଇଉଛନ୍ତି । ଡେପୁଟି କଲେକ୍ଟର ମନୋରମା ଭୂୟାଁଙ୍କୁ ଅତିରିକ୍ତ ଭାବେ ଡେପୁଟି ଇଲେକ୍ସନ ଅଫିସର, ଜିଲା ଭୂ-ଅର୍ଜନ ଅଧିକାରୀ, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଧାମରା ବନ୍ଦର ପ୍ରକଳ୍ପ, ନୋଡାଲ ଅଫିସର ଜାତୀୟ ରାଜପଥ ପଦବୀ ଭଳି ଏକାଧିକ ଦାୟିତ୍ୱ ଦିଆଯାଇଛି । ଡେପୁଟି କଲେକ୍ଟର ଅନୁପମା ଘୋଷ ପ୍ରତିଷ୍ଠାନ ବିଭାଗ ସହ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱ ତୁଲାଇଛନ୍ତି । ଡେପୁଟି କଲେକ୍ଟର ରାମଚନ୍ଦ୍ର ଜେନା ଅଡିଟ୍ ଓ ଜୁଡିସିଆଲ ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ମୋଟାମୋଟି କହିବାକୁ ଗଲେ ଏକାଧିକ ପଦବୀ ଖାଲି ସହ ଜଣେ ଅଧିକାରୀଙ୍କ ଉପରେ ଏକାଧିକ ଅତିରିକ୍ତ ଦାୟିତ୍ୱନ୍ୟସ୍ତ ଯୋଗୁଁ ପ୍ରଶାସନିକ କାର୍ଯ୍ୟ ଧିମେଇ ଯାଇ ଲୋକଙ୍କୁ ଉଚିତ୍ ସେବା ମିଳିବାରେ ସମସ୍ୟା ଦେଖାଦେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.