Home ଜିଲ୍ଲା ପରିକ୍ରମା ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ୧୪୪ ଧାରା ଜାରି : ଉଭୟପକ୍ଷରୁ ୨ଟି...

ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ୧୪୪ ଧାରା ଜାରି : ଉଭୟପକ୍ଷରୁ ୨ଟି ମାମଲା ରୁଜୁ, ୧୪ କୋର୍ଟ ଚାଲାଣ

376

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଭଦ୍ରକ ୧୩ ନଂ ୱାର୍ଡର ମୀରସାହି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିବା କାରଣକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଗଣ୍ଡଗୋଳ ଯେପରି ଆଗକୁ ନ ବଢେ ଶାନ୍ତି ବଜାୟ ରହେ, ସେ ନେଇ ଆଜି ଦୁଇଗୋଷ୍ଠୀ ମଧ୍ୟରେ ଶାନ୍ତି ସଦ୍‌ଭାବନା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଇ ଗୋଷ୍ଠୀଙ୍କର ସାହି ମୁରବୀଙ୍କୁ ନେଇ ଏହାର ସମାଧାନ କରଯିବା ସହିତ ଭାଇଚାରା ବଜାୟ ରଖିବାକୁ ବୈଠକରେ କୁହାଯାଇଛି । ଅନ୍ୟପକ୍ଷରେ ୧୩ନଂୱାର୍ଡର ଅପର୍ତ୍ତିବିନ୍ଧା ଏଲଖା ଓ ମୀରସାହି ଅଞ୍ଚଳରେ ଆସନ୍ତା ୧୬ ତାରିଖ ରାତି ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ବୋଲି ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଥିଲେ । ଏହି ସମୟ ମଧ୍ୟରେ କୌଣସି ଧର୍ମାନୁଷ୍ଠାନ, ସଭା ସମିତି ହୋଇ ପାରିବ ନାହିଁ କିମ୍ବା କୌଣସି ସ୍ଥାନରେ ୨ଜଣରୁ ଅଧିକ ଲୋକ ଏକତ୍ର ହୋଇ ପାରିବେ ନାହିଁ । ଧର୍ମାନୁଷ୍ଠାନଗୁଡିକ ବନ୍ଦ ରହିବ । ପୁଲିସକୁ ଛାଡି କୌଣସି ବ୍ୟକ୍ତି ହାତରେ ମାରଣାସ୍ତ୍ର, ଲାଠି ଇତ୍ୟାଦି ଧରି ଯାଇ ପାରିବେ ନାହିଁ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ । ଏହାର ସଠିକ ପରିଚାଳନା ପାଇଁ ଏସପି ରାଜେଶ ପଣ୍ଡିତ ଟାଉନ ଥାନା ଆଇଆଇସି ଚନ୍ଦନ ଘଡେଇଙ୍କୁ ନିର୍ଦ୍ଦେଶ ଦେବା ସହ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା କହିଥିଲେ । ଏହି ବୈଠକରେ ବିଦ୍ୟାଧର ସାହୁ, ରାୟ ରାମାନନ୍ଦ ମହାପାତ୍ର, ହାଜି ମହମ୍ମଦ ଅବଦୁଲ ବାରୀ, ଅତିରିକ୍ତ ଏସପି କୈଳାସ ପରିଡା, ଡିଆଇବି ଇନିସ୍ପେକ୍ଟର କମଳ ଲୋଚନ ଭୁୟାଁଙ୍କ ସମେତ ଚଉଦମହଲା କମିଟିର ସଦସ୍ୟ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଘଟଣାରେ ଉଭୟପକ୍ଷରୁ ୧୭୨/୨୦ ରେ ଦଫା ୧୪୭ / ୧୪୮ / ୨୯୪ / ୩୨୩ / ୩୩୬ / ୪୨୭ / ୩୦୭ / ୧୫୩ (ଏ) / ୨୯୫ / ୧୪୯ ଆଇପିସି ଓ ୧୭୩/୨୦ ରେ ୧୪୭ / ୧୪୮ / ୨୯୪ / ୩୨୩ / ୩୨୪ / ୧୮୮ / ୩୦୭ / ୧୫୩ (ଏ) / ୧୪୯ ଆଇପିସି / ୭ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟରେ ରେ ୨ଟି ମାମଲା ରୁଜୁ ହୋଇ ଆଜି ୧୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏବେବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ସଶସ୍ତ୍ର ପୁଲିସ୍ ମୁତୟନ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.