Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜମି ମାଫିଆ ସକ୍ରୀୟ, ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଟଙ୍କାର ମୂଲ୍ୟବାନ ଭୂସଂପତ୍ତି ହଡପ, ପ୍ରଶାସନ...

ଭଦ୍ରକରେ ଜମି ମାଫିଆ ସକ୍ରୀୟ, ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଟଙ୍କାର ମୂଲ୍ୟବାନ ଭୂସଂପତ୍ତି ହଡପ, ପ୍ରଶାସନ ଓ ଦେବୋତ୍ତର ବିଭାଗ ନୀରବଦ୍ରଷ୍ଟା

72

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଲିକାନାରେ ଥିବା ହଜାର ହଜାର ଏକର ମୂଲ୍ୟବାନ ଜମିକୁ ଜମି ମାଫିଆ ହଡପ କରିନେଇଛନ୍ତି । କିଏ ଜମିକୁ ନିଜ ନାଁରେ କରିନେଇ ଏହାର ଖରିଦ ବିକ୍ରି ଚଳାଇଛି ତ କିଏ ଜୋର ଜବରଦସ୍ତ ଜମିକୁ ଦଖଲ କରି ପୋଖରୀ ଖୋଲିବା ଆଳରେ ଟ୍ରକ୍ / ଟ୍ରାକ୍ଟର ଲଗାଇ ଲକ୍ଷ ଲକ୍ଷ ଟଙ୍କାର ମାଟି ବିକ୍ରି ଚଳାଇଛନ୍ତି । ସବୁ ଜାଣି ଶୁଣି ଜିଲା ପ୍ରଶାସନ ଏବଂ ସରକାରଙ୍କ ଦେବୋତ୍ତର ବିଭାଗ ନୀରବଦ୍ରଷ୍ଟା ସାଜିଛି । ଭଦ୍ରକ ଜିଲାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମାଲିକାନାରେ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ୱ ଏକର ମୂଲ୍ୟବାନ ଭୂସଂପତ୍ତି ରହିଛି । ସେଥିରୁ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଜରିଆରେ ପ୍ରାୟ ୨ ହଜାର ୮ ସହ ଏକର ଜମି ଚିହ୍ନଟ କରାଯାଇଛି । ଏହି ଚିହ୍ନିତ ଜମି ମଧ୍ୟରୁ ପ୍ରାୟ ୨ ଶହ ଏକରରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଜମି ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଭଦ୍ରକ ବ୍ଲକ୍ ରାହାଞ୍ଜ ପଂଚାୟତରେ ରହିଛି । ଯାହା ଉପରେ ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡୁଛି । ଜମି ଉପରେ ନିଜର ମାଲିକାନା ଜାହିର କରିବାକୁ ସେମାନେ ଏବେ ଏହି ଜମିରେ ବଡ ବଡ ପୋଖରୀ ଖୋଳିବା ଆରମ୍ଭ କରିଛନ୍ତି । ନିୟମ ଅନୁଯାୟୀ ପୋଖରୀର ଗଭୀରତା ଯେତିକି ରହିବା କଥା ତା ଠାରୁ ଅଧିକ ଗଭୀର କରି ମାଟି ଖୋଳି ବିକ୍ରି କରି ମାଲାମାଲା ହେଉଛନ୍ତି । କେବଳ ପୋଖରୀ ଖୋଳି ନୁହେଁ ଏହି ଜାଗାଜମିକୁ ହଡପ କରିବା ପାଇଁ ଏହାକୁ ଘେରାବନ୍ଦୀ କରି ସେଠାରେ ଫାର୍ମ ହାଉସ ନିର୍ମାଣ କରିବାର ପରିକଳ୍ପନା ଚଳାଇଛନ୍ତି ।

ଫଳରେ ଭଦ୍ରକ ଜିଲାରେ ଏବେ ମହାପ୍ରଭୁଙ୍କ ଜାଗା ଜମି ସଂକଟରେ ପଡିଯାଇଛି । ବେଆଇନ୍ ପୋଖରୀ ଖୋଳା ଏବଂ ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇ ଆଗକୁ କୃଷି ସଂକଟ ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଜଗନ୍ନାଥଙ୍କ ଏହି ଜମିର ସୁରକ୍ଷାଏବଂ ରକ୍ଷଣାବେକ୍ଷଣ ନେଇ ପ୍ରଶାସନିକ ସ୍ତରରେ ଅନୁରୂପ ପ୍ରୟାସ ହେଉନଥିବାରୁ ଜିଲାରେ ମହାପ୍ରଭୁଙ୍କ ମାଲିକାନାରେ ରହିଥିବା କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି ହଡପ ହୋଇଯାଉଥିବା ଅଭିଯୋଗ ହୋଇଛି । ଏଥିନେଇ ଜିଲାପାଳ ଜ୍ଞାନ ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ କହିଛନ୍ତି ଯେ କେତେକ ସ୍ଥାନରେ ଏହିଭଳି କାର୍ଯ୍ୟ ହେଉଥିବା ନେଇ ତାଙ୍କ କୋର୍ଟରେ ମାମଲା ବିଚାରାଧୀନ ରହିଛି । ଏହାସତ୍ୱେ ରାହାଞ୍ଜ ପଂଚାୟତରେ ବେଆଇନ୍ ମାଟି ଖୋଳା ଏବଂ ମହାପ୍ରଭୁଙ୍କ ଜମି ହଡପ ପ୍ରସଙ୍ଗରେ ତଦନ୍ତ କରି ରିପୋର୍ଟ ଦେବାକୁ ଭଦ୍ରକ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । କେବଳ ଭଦ୍ରକ ବ୍ଲକ୍‌ର ରାହାଞ୍ଜ ପଂଚାୟତରେ ନୁହେଁ ଜିଲାର ୭ ଟି ଯାକ ବ୍ଲକ୍‌ର ସମାନ ପରିସ୍ଥିତି । ସରକାର କା ମାଲ ଦରିଆ ମେ ଡାଲ ନୀତିରେ ପ୍ରଶାସନିକ ଦୁର୍ବଳତାର ସୁଯୋଗ ନେଇ ଜମି ମାଫିଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ହଡପରେ ମାତିଛନ୍ତି । ଏଥିରେ ରାଜସ୍ୱ ବିଭାଗର ତଳଠାରୁ ଉପର ଯାଏ କିଛି କର୍ମଚାରୀ ଏବଂ ଅଧିକାରୀଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.