Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବ୍ଲକ ଦୁର୍ନୀତି ବିରୋଧରେ ହେବ ଲଢେଇ, ସୋମବାର ହେବ ‘ପର୍ଦ୍ଦାଫାସ’ ସମାବେଶ; ବିଜେପି

ଭଣ୍ଡାରିପୋଖରୀ ବ୍ଲକ ଦୁର୍ନୀତି ବିରୋଧରେ ହେବ ଲଢେଇ, ସୋମବାର ହେବ ‘ପର୍ଦ୍ଦାଫାସ’ ସମାବେଶ; ବିଜେପି

47

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅରାଜକତା ସୀମା ଲଘଂନ କରିଛି । ବ୍ଲକ ଅଫିସ ବ୍ଲାକ ଅଫିସରେ ପରିଣତ ହୋଇଛି । ସ୍ଥାନୀୟ ବିଧାୟକ ଧୃତରାଷ୍ଟ୍ର ସାଜି ଦୁର୍ନୀତିର ପୃଷ୍ଠପୋଷକତା କରୁଛନ୍ତି । ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଅନୁଦାନକୁ ସ୍ପଷ୍ଟ ଦିବାଲୋକରେ ରାଜ୍ୟ ସରକାରୀଙ୍କ କର୍ମଚାରୀ, ଶାସକ ବିଜେଡ଼ି ଦଳର ନେତା ଓ ସମର୍ଥକଙ୍କ ଦ୍ୱାରା ହରିଲୁଟ ହେଉଛି । ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବି କୌଣସି ସୁଫଳ ମିଳୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ୁଥିବାବେଳେ ଶାସକ ଦଳର ନେତାଙ୍କ ଇଙ୍ଗିତରେ ଗୋଟିଏ ଯୌଥ ପରିବାରକୁ ଏକାଧିକ ଘର ମିଳିଛି । ଏହି ଯୋଜନାରେ ଫଲ୍ସ ବିଲ ନିତିଦିନିଆ ଘଟଣା ପାଲଟିଛି । ସେହିପରି ମୋଟା ଅଙ୍କର ଲାଂଚନେଇ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କ ପରିବାର ସଦସ୍ୟଙ୍କ ନାମରେ କାର୍ଯ୍ୟାଦେଶ ଦିଆ ଯାଇଛି । ବେଆଇନ୍ ଭାବେ ସରକାରଙ୍କର ଗୋଚର, ଶ୍ମଶାନ ଓ ଗ୍ରାମ୍ୟ ଜଙ୍ଗଲ କିସମ ଜମି ଉପରେ ଗୃହ ନିର୍ମାଣକୁ ବ୍ୟବସ୍ଥାରେ ପରିଣତ କରାଯାଇଛି । ନିର୍ଦ୍ଧାରିତ ଅବଧି ମଧ୍ୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରିଥିବା ହିତାଧିକାରୀମାନଙ୍କୁ ବୋନସ୍ ଅର୍ଥ ପାଇଁ ଲାଂଚ ମଗାଯାଉଛି । ବିଜେଡ଼ି ଦଳର ସରପଞ୍ଚଙ୍କ ପରିବାର ସଦସ୍ୟଙ୍କୁ ଏହି ଯୋଜନା ପାଇଁ ଜିଓ ଟ୍ୟାଗିଂ ଦାୟିତ୍ୱ ଦିଆଯାଇଛି । ସୂଚନା ଅଧିକାର ଆଇନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନପଙ୍ଗ ଗ୍ରା.ପ.ରେ ୨୦୧୧ ଏସ.ଇ.ସି.ସି. ତାଲିକାରେ ଥିବା ମୋଟ କଚାଘର ସଂଖ୍ୟାରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ କାର୍ଯ୍ୟାଦେଶ ମିଳିଥିବା ବେଳେ ପୁଣି ୩୮୩ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ଚୟନ କରାଯାଇଛି । ସେହିପରି ରାସନକାର୍ଡ଼ ହିତାଧିକାରୀ ଚୟନରେ ବ୍ୟାପକ ଜାଲିଆତି ହୋଇଛି । ନପଙ୍ଗ ପଞ୍ଚାୟତରେ ଶାସକଦଳର ସରପଞ୍ଚଙ୍କ ପରିବାର ଏକାଧିକ ବେଆଇନ ରାସନକାର୍ଡ଼ ହାତେଇ ରାସନ ସାମଗ୍ରୀ ହଡ଼ପ କରୁଥିବା ଅଭିଯୋଗପରେ ତାଙ୍କ ରାସନକାର୍ଡ଼କୁ ରଦ୍ଦ କରିଦିଆଯାଇଛି । ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଦୀର୍ଘଦିନ ଧରି ବିତରଣ କରାଯାଉଛି । ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ୁଥିବାବେଳେ ସରକାରୀ ଚାକିରିଆଙ୍କ ପରିବାର ସଦସ୍ୟଙ୍କୁ ଅନ୍ୟ ପରିବାରର ରାସନକାର୍ଡ଼ରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମୃତ ଲୋକଙ୍କ ବେଆଇନ ଜବ୍ କାର୍ଡ଼ ଆଧାରରେ ଅର୍ଥ ପୈଠ କରାଯାଇଛି ।

ଏହି ଯୋଜନାରେ ବେଆଇନ ଅର୍ଥ ହାତେଇବା ପାଇଁ ଜାଲ୍ ବ୍ୟାଙ୍କ ଖାତା ମଧ୍ୟ ଖୋଲାଯାଇଛି । ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଯେଉଁମାନେ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ସୋମନଙ୍କ ବୟସକୁ ଜବକାର୍ଡ଼ରେ ୬୦ ବର୍ଷରୁ କମ୍ ଦର୍ଶାଯାଇଛି । ବାସ୍ତବରେ ଯେଉଁମାନେ ଶ୍ରମିକ ସେମାନଙ୍କୁ କାମ ଯୋଗାଇ ଦିଆଯାଉନାହିଁ । ଜାତୀୟ ବାର୍ଦ୍ଧକ୍ୟ, ବିଧବା ଭତ୍ତା ପାଇବାକୁ ଯୋଗ୍ୟ ଲୋକମାନଙ୍କୁ ରାଜନୈତିକ ଆକ୍ରୋଶ ରଖି ଭତ୍ତା ପାଇବାରୁ ବଂଚିତ କରାଯାଉଥିବା ବେଳେ ଭୋଟର ତାଲିକାରେ ଚଞ୍ଚକତା କରି କିମ୍ବା ସରପଞ୍ଚଙ୍କ ବୟସ ପ୍ରମାଣପତ୍ର ଜରିଆରେ ୫୦ ବର୍ଷରୁ କମ୍ ଲୋକଙ୍କୁ ଭତ୍ତା ମଂଜୁର କରାଯାଉଛି । ମୃତ ବ୍ୟକ୍ତିମାନଙ୍କୁ ଭତ୍ତା ଦିଆଯିବାର ନଜିର ମଧ୍ୟ ଅଛି । ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ କେତେକ କ୍ଷେତ୍ରରେ ପାଇଖାନା କେବଳ କାଗଜକଲମରେ ଦର୍ଶାଇ ମିଥ୍ୟା ବିଲ ଜରିଆରେ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଧାର କରଜ କରି ପାଇଖାନା ନିର୍ମାଣ କରିଥିବା ବହୁ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇଁ ସଂପୃକ୍ତ ଅଫିସକୁ ଦୌଡ଼ି ଦୌଡ଼ି ଶେଷରେ ଲାଂଚ ଦେଇ ସେମାନଙ୍କ ପ୍ରାପ୍ୟ ପାଉଛନ୍ତି ବୋଲି ଶୁକ୍ରବାର ଭାରତୀୟ ଜନତା ପାର୍ଟିର ସ୍ଥାନୀୟ କାର୍ଯ୍ୟାଳୟରେ ପ୍ରେସ ମିଟ ମାଧ୍ୟମରେ ବିଜେପି ନେତା ବଦ୍ରୀନାରୟଣ ଧଳ ଅଭିଯୋଗ କରିବା ସହ ଆଗାମୀ ସୋମବାର କୋଭିଡ କଟକଣା ସହ ବ୍ଲକ ସମ୍ମୁଖରେ ‘ପର୍ଦ୍ଦାଫାସ’ ସମାବେଶର ଆୟୋଜନ କରାଯିବା ନେଇ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଦଳୀୟ ନେତା ନିର୍ମଳ କର, ପ୍ରକାଶ ମହାପାତ୍ର, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ମଣ୍ଡଳ ସଭାପତି ଗିରିଶ ସାମଲ, ମୁକୁନ୍ଦ ଚରଣ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ତପସ୍ୱିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.