Home ଜିଲ୍ଲା ପରିକ୍ରମା ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ; ଗୋଷ୍ଠି ସଂକ୍ରମଣ ଆଶଙ୍କାକୁ ନେଇ ଜିଲ୍ଲାବାସୀ ଆତଙ୍କିତ

ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ; ଗୋଷ୍ଠି ସଂକ୍ରମଣ ଆଶଙ୍କାକୁ ନେଇ ଜିଲ୍ଲାବାସୀ ଆତଙ୍କିତ

207

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କ ମଧ୍ୟରୁ ୪ଜଣ ନୂତନ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ରେ ପହଞ୍ଚିଛି । ସେହିପରି ୧୦୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ୩୬ଜଣ ଚିକିତ୍ସାଧିନ ଅଛନ୍ତି । ବର୍ତ୍ତମାନ ସମୟରେ ଚିହ୍ନଟ ହେଉଥିବା ସମସ୍ତ ନୂତନ କରୋନା ଆକ୍ରାନ୍ତ ପ୍ରବାସୀ ଓଡ଼ିଆ । ଲକ୍‌ଡାଉନ୍‌-୪ ଓ ଅନ୍‌ଲକ୍‌-୧ ସମୟରେ ସେମାନେ ସୁରଟ, ତାମିଲନାଡ଼ୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ପରି ବିଭିନ୍ନ ରାଜ୍ୟରୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ନିକଟରୁ ସଂଗ୍ରହ କରାଯାଇଥିବା ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିଲା । ସଂଗରୋଧ କେନ୍ଦ୍ରରୁ ନୁତନ ଆକ୍ରାନ୍ତମାନେ ଚିହ୍ନଟ ହେଉଥିବା କାରଣରୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ୱାନ୍ତନା ଦିଆଯାଉଛି । ଏହା ସତ୍ତ୍ୱେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାରେ ଜିଲ୍ଲାବାସୀ ଆତଙ୍କିତ ହୋଇ ଚାଲିଛନ୍ତି । ଲକ୍‌ଡାଉନ୍‌-୧ ଆରମ୍ଭରେ କରୋନାକୁ ନେଇ ବେଶ୍ ସତର୍କ ଥିଲେ ଜିଲ୍ଲାବାସୀ । ସକାଳ ହେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରଥମ ବୁଲେଟିନ୍‌କୁ ଅପେକ୍ଷା କରି ଟିଭି ଆଗରେ ବସି ରହୁଥିଲେ । ପରବର୍ତ୍ତୀ ବୁଲେଟିନକୁ ମଧ୍ୟ ଚାହିଁ ବସୁଥିଲେ । ଶେଷରେ ସବୁ କାମଧନ୍ଦା ଛାଡ଼ି ଅପରାହ୍ନରେ କୋଭିଡ ମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କ ସିଧା ପ୍ରସାରିତ ସାମ୍ବାଦିକ ସମ୍ମିଳନୀକୁ ଗୁରୁତ୍ୱର ସହ ଶୁଣୁଥିଲେ । ଜିଲ୍ଲାର କେଉଁ ସ୍ଥାନରୁ ନୂତନ ଆକ୍ରାନ୍ତ ଚିହ୍ନଟ ହେଲେ, ସେମାନଙ୍କ ଗସ୍ତ ଇତିହାସ, କଣ୍ଟାକ୍ଟ ଟ୍ରେସିଂ, ସ୍ୱାବ ରିପୋର୍ଟ ସବୁ କିଛି ଥିଲା ପ୍ରତ୍ୟେକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଇତିମଧ୍ୟରେ ସବୁ କିଛି ବଦଳି ଯାଇଛି । ଉଭୟ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର ଲକ୍‌ଡାଉନ ନିୟମକୁ କୋହଳ କରି ଦେଇଛନ୍ତି । ଅଧିକାଂଶ ଦୋକାନ ବଜାର ଖୋଲିଯାଇଛି । ବଜାରରେ ପୂର୍ବପରି ଗହଳୀ ଆରମ୍ଭ ହୋଇ ଯାଇଛି । ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ପରି ସରକାରଙ୍କ ନିବେଦନକୁ ଅଧିକାଂଶ ଲୋକ ଫୁ କରି ଦେଇଛନ୍ତି । ତେବେ ଆରୋଗ୍ୟଙ୍କ ପ୍ରତିଶତ ହାରକୁ ନେଇ ପ୍ରଶାସନର ଆଶ୍ୱସନା ସତ୍ତ୍ୱେ ବର୍ତ୍ତମାନ ସରକାର ଓ ଜିଲ୍ଲା ପ୍ରଶାସନର କୋଭିଡ ପରିଚାଳନାର ଶୈଳୀକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି । କାରଣ ବର୍ତ୍ତମାନର କୋଭିଡ଼ ପରିଚାଳନା ନିତୀ ଗୋଷ୍ଠି ସଂକ୍ରମଣ ସମ୍ଭାବନା ବୃଦ୍ଧି କରିଛି ବୋଲି ଅଧିକାଂଶଙ୍କ ମତ । ସୂଚନାଯୋଗ୍ୟ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଭଦ୍ରକ ପୌରାଞ୍ଚଳ ଓ ପୌରାଞ୍ଚଳ ସଂଲଗ୍ନ ଏକ ପଞ୍ଚାୟତରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

 

 

ଏହି ୩ଜଣଙ୍କ ଦୁବାଇ ଓ ଦିଲ୍ଲୀ ଗସ୍ତର ଯାତ୍ରା ଇତିହାସ ରହିଥିଲା । ଏହାର ପ୍ରାୟ ୧୪ ଦିନ ପରେ ବାସୁଦେବପୁର, ଧାମନଗର ଓ ତିହିଡ଼ି ବ୍ଲକରୁ କେତେକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ଏସମସ୍ତ ନୂତନ ଆକ୍ରାନ୍ତ କୋଲକତା ଫେରନ୍ତା ବୋଲି ଜଣାପଡ଼ିଥିଲା । ତେଣୁ ପ୍ରଶାସନ ପକ୍ଷରୁ ଏହାକୁ ନେଇ ବେଶ୍ ତତ୍ପରତା ପ୍ରକାଶ ପାଇଥିଲା । ଚିହ୍ନଟ ଆକ୍ରାନ୍ତଙ୍କ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସେମାନଙ୍କ ସସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଠାବ କରିବା, ବ୍ୟାପକ ସ୍ୱାବ ପରୀକ୍ଷା କରିବା, ସଂପୃକ୍ତ ଅଞ୍ଚଳକୁୂ ସେନିଟାଇଜ କରିବା ପରି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରଥମେ ଯେତେବେଳେ ସ୍ୱତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆଙ୍କ ଆସିବା ଆରମ୍ଭ ହେଲା, ପ୍ରଶାସନ ପକ୍ଷରୁ ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ ଜାରୀ କରିବା ସହ ସମସ୍ତ ପ୍ରବାସୀଙ୍କୁ ସତର୍କତାର ସହ ବିଭିନ୍ନ ସଂଗରୋଧ କେନ୍ଦ୍ରକୁ ନିଆଯାଉଥିଲା ଓ ବାହାର ଜିଲ୍ଲାର ପ୍ରବାସୀଙ୍କୁ ନିର୍ଦ୍ଧିଷ୍ଟ କେନ୍ଦ୍ରରେ ରଖି ଅନ୍ୟତ୍ର ପଠାଯାଉଥିଲା । କିନ୍ତୁ ଏବେ ଆଉ ସେପରି ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳୁନି । କୋଭିଡ ପରିଚାଳନାକୁ ପ୍ରଶାସନ ହାଲୁକା ଭାବେ ନେଉଥିବା ସାଧାରଣରେ ଅଭିଯୋଗ ହେଉଛି । କାରଣ ସେପରି କୌଣସି ଲକ୍ଷଣ ନଥିଲେ ପ୍ରବାସୀଙ୍କ ସ୍ୱାବ ପରୀକ୍ଷା କରାଯାଉ ନାହିଁ । ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଯେପରି କଠୋର ନିୟମ ପାଳନ କରାଯିବା କଥା କରାଯାଉ ନାହିଁ । ସ୍ୱାବ୍ ରିପୋର୍ଟ ଆସିବା ପୂର୍ବରୁ ପ୍ରବାସୀଙ୍କୁ ଘରକୁ ବିଦା କରି ଦିଆଯାଉଛି । ବାହାର ଜିଲ୍ଲାର ପ୍ରବାସୀ ବଜାରରେ ବୁଲିଲା ବେଳେ, ସେମାନଙ୍କ ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ରହୁ ନାହିଁ । ସର୍ବୋପରି ସରକାରୀ ନିୟମ ମାନୁନଥିବା ଅମାନିଆଙ୍କ ଉପରେ ମଧ୍ୟ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ମୋଟାମୋଟି ଭାବେ ପ୍ରଶାସନର କୋଭିଡ ପରିଚାଳନା ଶୈଳୀକୁ ନେଇ ଜିଲ୍ଲାର ସଚେତନ ନାଗରିକଙ୍କ ମଧ୍ୟରେ କ୍ରମେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନର ଏପରି କାର୍ଯ୍ୟଶୈଳୀ ଗୋଷ୍ଠି ସଂକ୍ରମଣକୁ ଜନ୍ମଦେବ ବୋଲି ଜିଲ୍ଲାର ବହୁ ବରିଷ୍ଠ ନାଗରିକ ଆଶଙ୍କାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.