Home Top News ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର

ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର

32

ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ସହ ଦେଶକୁ ଆଲୋକିତ କରିବା ପାଇଁ ତ୍ୟାଗ ଦେଇଥିବା ବ୍ରଜରାଜନଗର ଆଜି ଉପେକ୍ଷିତ-ଧର୍ମେନ୍ଦ୍ର ପ୍ରଧାନ

– ରମ୍ପେଲା, ଦଳଗାଁ, ଚାରପାଲି, ଅଢାପରା, ବାଗମୁଣ୍ଡା, ପଂଚଗାଁ, କନକ ତୋରା, ବେଲପାହାଡ଼, ବ୍ରଜରାଜନଗର ସମେତ ବିଭିନ୍ନ ସ୍ଥାନରେ ପ୍ରଚାର ସହ ରୋଡ ସୋ’ରେ ସାମିଲ
– ଖଣି ସମୃଦ୍ଧ ଅଂଚଳ ବ୍ରଜରାଜନଗର ଅଧିବାସୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ଡିଏମଏଫ ଆଜି ରାଜ୍ୟ ସରକାରଙ୍କ ପାଇଁ ବାଟବଣା
– ସ୍ଥାନୀୟ ଅଂଚଳର ରୋଜଗାର ଓ ଅନ୍ୟାନ୍ୟ ମୌଳିକ ସୁବିଧା ବିକଶିତ ହୋଇନାହିଁ
– ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ଦଳୀୟ ଆଧାରରେ ବଂଟା ଯାଉଛି, ବିନା ହାତ ଗୁଞ୍ଜାରେ କାମ ହେଉନାହିଁ
– ଓଡ଼ିଶାରେ ମୋଦି ପଠାଉଥିବା ଟଙ୍କାର ମୁଖର ସ୍ୱର ହେବେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା
– ଲଖନପୁର ଓ ବ୍ରଜରାଜନଗର ଅଂଚଳ ପ୍ରତି ମୋର ବିଶେଷ ଶ୍ରଦ୍ଧା ରହିଛି
– ଓଡ଼ିଶାରେ ମୋଦି ଶାସନ ଆସିବାର ମୂଳଦୁଆ ପକାଇବ ବ୍ରଜରାଜନଗର
– ମୋଦି ସରକାରଙ୍କ ଆବାସ ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ସୌଭାଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ସମେତ ଅନେକ ଜନକଲ୍ୟାଣକାରୀ ଯୋଜନାର ସାକ୍ଷୀ ହୋଇଛି ବ୍ରଜରାଜନଗର
– ରେଳ, ସଡକ ପଥ, ପେଟ୍ରୋଲିୟମ ପ୍ରକଳ୍ପ ଓ ପୋଷଣ ଯୋଜନାର ଲାଭ ପାଉଛି ବ୍ରଜରାଜନଗର
– ବିଧାୟିକା ପ୍ରାର୍ôଥନୀ ରାଧାରାଣୀ ପଣ୍ଡାଙ୍କୁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ

ବ୍ରଜରାଜନଗର/ଝାରସୁଗୁଡା, ମଇ ୨୪- ରାଜ୍ୟରେ ହୀରାକୁଦ ଡ୍ୟାମ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରିବା, ଜଳସେଚନର ବ୍ୟବସ୍ଥା କରିବା ଏବଂ ଦେଶର ବିଭିନ୍ନ ଅଂଚଳକୁ ଆଲୋକିତ କରିବା ପାଇଁ କୋଇଲାରୁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଅନେକ ଥର ତ୍ୟାଗ ଦେଇଥିବା ବ୍ରଜରାଜନଗର ବର୍ଷ ବର୍ଷ ଧରି ଉପେକ୍ଷିତ ହୋଇ ରହିଛି। ଏଥିପାଇଁ ଓଡିଶାରେ ୨୨ ବର୍ଷ ଧରି ଶାସନରେ ଥିବା ସ୍ଥାଣୁ ସରକାର ଦାୟୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ବ୍ରଜରାଜନଗରରେ ବିଧାୟିକା ପ୍ରାର୍ôଥନୀ ରାଧାରାଣୀ ପଣ୍ଡାଙ୍କ ସମର୍ଥନରେ ମାରାଥନ ନିର୍ବାଚନ ପ୍ରଚାର କରିବା ଅବସରରେ ଏହା କହିଛନ୍ତି। ଲଖନପୁର ବାଗମୁଣ୍ଡା ଠାରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରଜରାଜନଗର ଅଂଚଳର ଗୋଟିଏ ଐତିହ୍ୟ ଓ ପରମ୍ପରା ଅଛି। ହୀରାକୁଦ ଡ୍ୟାମ ବ୍ରଜରାଜନଗର ଓ ଲଖନପୁର ଅଧିବାସୀ ମାନଙ୍କ ତ୍ୟାଗ ବଳରେ ନିର୍ମାଣ ହୋଇଛି। ସେମାନଙ୍କ ତ୍ୟାଗ ବଳରେ ମହାନଦୀରେ ଡ୍ୟାମ ନିର୍ମାଣ ହେବାରୁ ଓଡ଼ିଶା ଆଜି ବନ୍ୟାରୁ ସୁରକ୍ଷିତ ହୋଇଛି। ଅନେକ ଅଂଚଳ ଜଳସେଚିତ ହୋଇଛି। ସେମାନଙ୍କ ବଳିଦାନ କାରଣରୁ ଏ ଅଂଚଳରେ କୋଇଲା ଉତ୍ପାଦନ ଯୋଗୁଁ ଓଡ଼ିଶା ଓ ଭାରତବର୍ଷର ଅନେକ ଅଂଚଳ ଆଲୋକିତ ହେଉଛି। ସେହି ତୁଳନାରେ ଏହି ଅଂଚଳର ରୋଜଗାର ଓ ଅନ୍ୟାନ୍ୟ ମୌଳିକ ସୁବିଧା ବିକଶିତ ହୋଇପାରିନାହିଁ। ସ୍ୱାସ୍ଥ୍ୟ ଭିତିଭୂମି ବିପର୍ଯ୍ୟସ୍ତ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ। ସ୍ଥାନୀୟ ଅଂଚଳର ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ରମ୍ପେଲା, ଦଳଗାଁ, ଚାରପାଲି, ଅଢାପରା, ବାଗମୁଣ୍ଡା, ପଂଚଗାଁ, କନକ ତୋରା ସମେତ ବିଭିନ୍ନ ସ୍ଥାନରେ ପ୍ରଚାର ସହ ବେଲପାହାଡ ପୌରାଂଚଳ ଓ ବ୍ରଜରାଜନଗର ପୌରାଂଚଳରେ ରୋଡ ସୋ’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଲଖନପୁର ଓ ବ୍ରଜରାଜନଗର ଅଂଚଳ ପ୍ରତି ମୋର ବିଶେଷ ଶ୍ରଦ୍ଧା ରହିଛି। ସ୍ଥାନୀୟ ଅଧିବାସୀ ଦୀର୍ଘ ବର୍ଷ ଧରି ବିଜେପିକୁ ଆଶୀର୍ବାଦ କରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଖଣି ସମୃଦ୍ଧ ଅଂଚଳ ବ୍ରଜରାଜନଗର ଓ ଲଖନପୁର ଅଧିବାସୀଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା କଲେ। ଝାରସୁଗୁଡାରେ ୫୩୧ କୋଟି ଟଙ୍କାର ଡିଏମଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା କାରଣରୁ ଏଠାରେ ବିନା ଟେଣ୍ଡରରେ କାମ ହେଉଛି। ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ଦଳୀୟ ଆଧାରରେ ବଂଟା ଯାଉଛି। ବିନା ହାତ ଗୁଞ୍ଜାରେ କାମ ହେଉନାହିଁ। ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ହିତାଧିକାରୀ ଉତମ ସ୍ୱାସ୍ଥ୍ୟ ପାଇବାରୁ ବଂଚିତ ହେଉଛନ୍ତି। ଏ ସବୁ ଆଜି ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଚଳିତ ଉପନିର୍ବାଚନରେ ବ୍ରଜରାଜନଗରବାସୀ ଏହାର ଉଚିତ୍ ଜବାବ ଦେବେ। ଗଣତନ୍ତ୍ରରେ ହକ୍‌, ଅଧିକାର ଓ ନ୍ୟାୟର ଲଢ଼େଇ ପାଇଁ ନେତୃତ୍ୱ ଚୟନ ହୁଏ। ବ୍ରଜରାଜନଗର ଓଡ଼ିଶାରେ ମୋଦି ଶାସନ ଆସିବାର ମୂଳଦୁଆ ପକାଇବା ବ୍ରଜରାଜନଗରବାସୀ ଆମ ଦଳର ନେତ୍ରୀଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ନିଶ୍ଚୟ ଜୟଯୁକ୍ତ କରିବେ। ଓଡ଼ିଶାରେ ମୋଦି ପଠାଉଥିବା ଟଙ୍କାର ମୁଖର ସ୍ୱର ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ହେବେ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆବାସ ଯୋଜନାରେ ବାସଗୃହ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ, ସୌଭାଗ୍ୟ ଯୋଜନାରେ ବିଜୁଳି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସହ ଅନେକ ଜନକଲ୍ୟାଣକାରୀ ଯୋଜନାର ଲାଭ ପାଇ ଲଖନପୁର ଏବଂ ବ୍ରଜରାଜନଗର ମୋଦି ସରକାରଙ୍କ ଅନେକ ବିକାଶମୂଳକ କାମର ସାକ୍ଷୀ ହୋଇଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପାଇଁ ମଞ୍ଜୁର ହୋଇଥିବା ମୋଟ ୨୬ ଲକ୍ଷ ବାସଗୃହ ମଧ୍ୟରୁ ୧୯.୬ ଲକ୍ଷ ଗୃହ ଇତି ମଧ୍ୟରେ ନିର୍ମାଣ ସରିଛି। ୨୦୧୪-୧୫ରୁ ଗୃହ ନିର୍ମାଣରେ ଆଜି ପର୍ଯ୍ୟନ୍ତ ୨୩, ୬୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଝାରସୁଗୁଡା ଜିଲ୍ଲାରେ ମୋଟ ୨୮, ୬୭୬ ଗୃହ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କେବଳ ସମ୍ପୁର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ସହରାଂଚଳ ଯୋଜନାରେ ଝାରସୁଗୁଡା ଜିଲ୍ଲାର ବେଲପାହାଡରେ ୪୨୧, ବ୍ରଜରାଜନଗରରେ ୩୯୪ ଏବଂ ଝାରସୁଗୁଡାରେ ୭୯୪ଟି ବାସଗୃହ ନିର୍ମିତ ହୋଇଛି। ସେହିପରି ସ୍ୱଚ୍ଛ ଭାରତ ମିଶନ ଅଧିନରେ ରାଜ୍ୟରେ ୭୦ ଲକ୍ଷ ୭୯ ହଜାର ୫୬୪ ଘରେ ଶୌଚାଳୟ ନିର୍ମାଣ ହୋଇଛି। ଝାରସୁଗୁଡାରେ ଏହି ଯୋଜନା ଅନ୍ତର୍ଗତ ୮୫, ୭୦୪ଟି ଶୌଚାଳୟ ନିର୍ମାଣ ହୋଇଛି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୫୬ ଲକ୍ଷରୁ ଉର୍ଦ୍ଧ୍ୱ ଗ୍ୟାସ ସଂଯୋଗ ହୋଇଛି। ସେଥିମଧ୍ୟରୁ ୨୦୨୧ ସୁଦ୍ଧା ଝାରସୁଗୁଡ଼ାରେ ୮୬ ହଜାର ଉଜ୍ଜ୍ୱଳା ହିତାଧିକାରୀ ଗ୍ୟାସ ପାଇଥିବା ବେଳେ ୫୨ ହଜାର ଏସସିଏସଟି ପରିବାର ଉଜ୍ଜ୍ୱଳା ଗ୍ୟାସ ପାଇ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଯୋଜନାରେ ଓଡ଼ିଶାର ୩୨.୧୮ ଲକ୍ଷ ପଞ୍ଜିକୃତ ଚାଷୀଙ୍କୁ ୫ ହଜାର ୭୦୭ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି। ଏହା ଦ୍ୱାରା ବ୍ରଜରାଜନଗର ଚାଷୀ ମଧ୍ୟ ଲାଭବାନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସମସ୍ତଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ଓଡ଼ିଶାର ୯୬.୭୧ ଲକ୍ଷ ଘରକୁ ଅର୍ଥାତ୍ ଶତପ୍ରତିଶତ ବିଜୁଳି ସଂଯୋଗ ଦିଆଯାଇଛି। ଝାରସୁଗୁଡା ଜିଲ୍ଲାରେ ସୌଭାଗ୍ୟ ଯୋଜନାରେ ପାଖାପାଖି ୧ ଲକ୍ଷ ୨୪ ହଜାର ୫୯୭ ହିତାଧିକାରୀ ଲାଭାନ୍ୱିତ ହୋଇଛନ୍ତି।

ମୋଦି ସରକାରରେ ଓଡ଼ିଶା ପ୍ରଥମ ଥର ପାଇଁ ରେଳ ବଜେଟରେ ସର୍ବାଧିକ ୯ ହଜାର ୭୩୪ କୋଟି ଟଙ୍କା ଅନୁଦାନ ପାଇଛି। ତାଳଚେର-ବିମଳାଗଡ଼ ରେଳ ପଥ ଦ୍ୱାରା ଝାରସୁଗୁଡ଼ା ଓ ବ୍ରଜରାଜନଗରର ଲୋକମାନେ ବିଶେଷ ଉପକୃତ ହେବେ। ବ୍ରଜରାଜନଗର ଠାରେ ପୁରୀ-ନ୍ୟୁ ରିଷିକେଶ ଉତ୍କଳ ଏକ୍ସପ୍ରେସ ଓ ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସ ରହଣୀର ବ୍ୟବସ୍ଥା ହୋଇଛି। ସେହିପରି ଓଡ଼ିଶାରେ ୬ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଓଡ଼ିଶାରେ ଜାତୀୟ ସଡ଼କପଥ ପ୍ରକଳ୍ପର କାମ ହୋଇଛି। ତନ୍ମଧ୍ୟରୁ ୪ ଲେନ୍ ବିଶିଷ୍ଟ ସମ୍ବଲପୁର-ବରଗଡ଼, ପାଣିକୋଇଲି-ରେମୁଲି ଏବଂ ଭୁବନେଶ୍ୱର-ପୁରୀ ଏନଏଚ, ୬ ଲେନ୍ ବିଶିଷ୍ଟ ଭୁବନେଶ୍ୱର-ଚଣ୍ଡିଖୋଲ ଏନଏଚ, ଝାରସୁଗୁଡ଼ା ଟାଉନ ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥର ନିର୍ମାଣ, ଓ ଏନଏଚ- ୫୭ ଏବଂ ଏନଏଚ- ୫୯ ଓ ଅନ୍ୟାନ୍ୟ ରାଜପଥର ନିର୍ମାଣ ହୋଇଛି ଏବଂ କିଛି କ୍ରିୟାନ୍ୱୟନ ଅବସ୍ଥାରେ ଅଛି। ସେହିପରି ରାଉରକେଲା ଠାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ବ୍ରିଜର ନିର୍ମାଣ ଝାରସୁଗୁଡ଼ାର ଲୋକମାନେ ଉପକୃତ ହେବେ। ଏହାବ୍ୟତିତ ୯୯୩ କୋଟି ଟଙ୍କା ବ୍ୟୟରେ ଝାମୁଝାଡ଼ି ରୁ ଧାମରା ପର୍ଯ୍ୟନ୍ତ ୫୪.୬ କିମି ଲମ୍ବ ବିଶିଷ୍ଟ ନୂତନ ଜାତୀୟ ରାଜପଥ, ୧୪୩ କୋଟି ଟଙ୍କା ବ୍ୟୟରେ ଛତ୍ରପୁରରୁ ଗୋପାଳପୁର ପର୍ଯ୍ୟନ୍ତ ସଡ଼କ ନିର୍ମାଣ ଏବଂ ୫୦୪ କୋଟି ଟଙ୍କା ବ୍ୟୟରେ ୨୮ କିମି ବିଶିଷ୍ଟ ଲିଟିବେଡ଼ା ରୁ ଜୋରାମ ରାଜପଥ ନିର୍ମାଣ ଦ୍ୱାରା ଝାରସୁଗୁଡ଼ା, ବାସୁଦେବପୁର, ଛତ୍ରପୁର, ଗୋପାଳପୁର, ସୁନ୍ଦରଗଡ଼ ଏବଂ ରାଜଗଙ୍ଗପୁରର ଲୋକମାନେ ଉପକୃତ ହେବେ।

ଜଳ ଜୀବନ ମିଶନରେ ୨୦୨୧-୨୨ ଆର୍ôଥକ ବର୍ଷରେ ଓଡିଶା ପାଇଁ କେନ୍ଦ୍ରୀୟ ଅନୁଦାନ ୩୩୨୩.୪୨ କୋଟିରେ ପହଁଚିଛି। ଏହି ଯୋଜନା ଶୁଭାରମ୍ଭ ପର ଠାରୁ ବ୍ରଜରାଜନାଗର ସମେତ ଓଡ଼ିଶାର ୨୪.୧୮ ଲକ୍ଷ ବାସଗୃହ, ୯, ୧୩୦ ବିଦ୍ୟାଳୟ ଏବଂ ୬, ୨୧୫ ଅଙ୍ଗନବାଡି କେନ୍ଦ୍ରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ପୋଷଣ ଅଭିଯାନରେ ଓଡ଼ିଶାର ସମସ୍ତ ୩୦ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନାରେ ଓଡିଶା ୧୬, ୩୫୮.୫୮ ଲକ୍ଷ କେନ୍ଦ୍ରୀୟ ପାଣ୍ଠି ରାଜ୍ୟକୁ ମିଳି ସାରିଛି।

ଉଲ୍ଲେଖନୀୟ ଯେ, ବାଗମୁଣ୍ଡା ଠାରେ ଆୟୋଜିତ ବିଶାଳ ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ପିତାମ୍ବର ମିଶ୍ର, ତାଙ୍କ ଧର୍ମପତ୍ନୀ ଏବଂ ଅନେକ ସମର୍ଥକ ଦଳରେ ମିଶିଥିଲେ। ସେମାନଙ୍କୁ ଦଳରେ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ କୃତିତ୍ୱ ଉଭୟକୁ ସ୍ୱୀକାର କରି ଦଳରେ ମିଶିଥିବାରୁ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.