Home ଓଡ଼ିଶା ବୈତରଣୀ ସଂରକ୍ଷିତ ଜଙ୍ଗଲରେ ୨ ହାତୀ ହତ୍ୟା ଘଟଣା, ଉଚ୍ଚ ଶକ୍ତି ସମ୍ପନ୍ନ ଇଲେକ୍ଟ୍ରି କରେଣ୍ଟ...

ବୈତରଣୀ ସଂରକ୍ଷିତ ଜଙ୍ଗଲରେ ୨ ହାତୀ ହତ୍ୟା ଘଟଣା, ଉଚ୍ଚ ଶକ୍ତି ସମ୍ପନ୍ନ ଇଲେକ୍ଟ୍ରି କରେଣ୍ଟ ଦେଇ ହାତୀ ଦୁଇଟିକୁ ହତ୍ୟା କରାଯାଇଛି

295

ଯୋଡା, ୧୫ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗତ ଶନିବାର ବୈତରଣୀ ସଂରକ୍ଷିତ ଜଙ୍ଗଲ (ବି) ସ୍ଥିତ ଗୁରୁବେଡା ପମ୍ପ ହାଉସ ନିକଟରେ ୨ଟି ହାତୀକୁ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସୋମବାର ଏହାର ତଦନ୍ତ କରାଯାଇ ହାତୀ ଗୁଡିକୁ ଉଚ୍ଚ ଶକ୍ତି ସମ୍ପନ୍ନ ଇଲେକ୍ଟ୍ରି କରେଣ୍ଟ ଦେଇ ହତ୍ୟା କରାଯାଇଥିବା ଜଣାପଡିଛି । ଜଙ୍ଗଲ ମଧ୍ୟରେ ଯାଇଥିବା ୧୧ କିଲୋ ଭୋଲ୍ଟ ବିଜୁଳି କରେଣ୍ଟକୁ ଦୁର୍ବୁତ୍ତମାନେ ଏହି ହାତୀ ଶିକାର ପାଇଁ ଜଙ୍ଗଲ ମଧ୍ୟରେ ତାର ବିଛାଇଥିଲେ । ଫଳରେ ହାତୀ ଦୁଇଟି ଏହି ତାର ସ୍ପର୍ଷରେ ଆସି ମୃତ୍ୟୁ ବରଣ କରିଥିବା ତଦନ୍ତରୁ ଜଣାପଡିଛି । ୨ଟି ହାତୀ ମଧ୍ୟରେ ଗୋଟିଏ ମାଇ ହାତୀ ଥିବା ବେଳେ ଅନ୍ୟଟି ଦନ୍ତା ବୋଲି ଜଣାପଡିଛି । ଦୁର୍ବୁତ୍ତମାନେ ଏହି ଦନ୍ତା ହାତୀର ଦାନ୍ତ ଦୁଇଟିକୁ କାଟିନେଇଥିବା ବେଳେ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ହାତୀ ଦାନ୍ତ ଚୋରା ର‌୍ୟାକେଟ ସକ୍ରିୟ ଥିବା ଜଣାପଡିଛି । ଶନିବାର ହାତୀ ଦୁଇଟି ମୃତ୍ୟୁ ବରଣ କରିଥିବା ବେଳେ ସୋମବାର ଦିନ ଭୁବନେଶ୍ୱରସ୍ଥିତ ଅତିରିକ୍ତ ପ୍ରମୁଖ ବନ ସଂରକ୍ଷକ ଶଶି ପାଲ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶ୍ରୀ ପାଲ୍ ଏହି ଘଟଣାଟି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କହିବା ସହ ତଦନ୍ତ ପରେ ଦୋଷିକୁ କଠୋର ଦଣ୍ଡ ଦିଆଯିବ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ଘଟଣାଟି ପରେ କେନ୍ଦୁଝର ବନବିଭାଗ ସକ୍ରିୟ ହୋଇଉଠିଛି । ଘଟଣା ସ୍ଥଳରେ ଜିଲ୍ଲା ବନ ଅଧିକାରୀ ସନ୍ତୋଷ ଜୋଶୀ, ସହକାରୀ ବନସଂରକ୍ଷକ ଅଜୟ ସାହୁ, ବଡବିଲ ବନରକ୍ଷୀ ମଧୁସୁଦନ ପାତ୍ର, ଯୋଡା ବନପାଳ ପିଅନ ନାଏକ, ବାଲିବନ୍ଧ ବନପାଳ ଖଗେଶ୍ୱର ବାରିକ୍‌, କେନ୍ଦୁଝର ବନପାଳ ଶରତ ପଟ୍ଟନାୟକ, ଉଖୁଣ୍ଡା ବନପାଳ ଭାଗିରଥି ମିଶ୍ର, ଚମ୍ପୁଆ ବନପାଳ କ୍ଷୀରୋଦ ଦାସ, ବଡବିଲ ବନପାଳ ଜତୀନ୍ଦ୍ର ସାହୁ, ଚମ୍ପୁଆ ବନରକ୍ଷୀ କାଶିନାଥ ହେମ୍ବ୍ରମ, ସ୍ପେଶାଲ ଟାକ୍ସ ଫୋର୍ସ ଅଶୋକ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ୍ ଇଣ୍ଡିଆର ଡଃ ବନ୍ଦିତା ମିଶ୍ର, ଯୋଡା ପ୍ରାଣୀଧନ ଚିକିତ୍ସକ ଡଃ ମାଧବ ଚୌଧୁରୀ ହାତୀ ୨ଟିର ଶବ ବ୍ୟବଛେଦ କରିଥିଲେ । ଏଠାରେ ସୂଚନା ଯୋଗ୍ୟ, ଜିଲ୍ଲା ଜଙ୍ଗଲ ଅଧିକାରୀ ସନ୍ତୋଷ ଜୋଶୀ ୨୦୧୭ ମସିହା ସେପ୍ଟେମ୍ବରରେ ଯୋଗଦେବା ପର ଠାରୁ ଅଦ୍ୟାବଧି ଜିଲ୍ଲାରେ ୨୦ରୁ ଉର୍ଦ୍ଧ୍ୱ ହାତୀ ମୃତ୍ୟୁ ବରଣ କରିଥିବା ବେଳେ କେବଳ ଚମ୍ପୁଆ ରେଞ୍ଜରେ ୩ ମାସ ମଧ୍ୟରେ ୪ଟି ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସମଗ୍ର ଜିଲ୍ଲାକୁ ୩୬ଟି ବିଭାଗରେ ବିଭକ୍ତ କରାଯାଇ ବନ୍ୟ ଜନ୍ତୁ ସଂରକ୍ଷଣ ନିମନ୍ତେ ୨୨ଟି ସ୍ୱାର୍ଡ ଗଠନ କରାଯାଇଛି । ଚମ୍ପୁଆ ବନଖଣ୍ଡକୁ ୫ଟି ବିଭାଗରେ ବିଭକ୍ତ କରାଯାଇଛି । ସମଗ୍ର ଜିଲ୍ଲାରେ ମୋଟ ୭୨ଟି ହାତୀ ଥିବା ଜଣେ ବନପାଳ ସୂଚନା ଦେଇଥିବା ବେଳେ ସେଥି ମଧ୍ୟରୁ କେବଳ ଚମ୍ପୁଆ ବନଖଣ୍ଡରେ ୩୭ଟି ହାତୀ ଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ଯୋଡା ବନାଞ୍ଚଳରେ ୭ଟି, ଚମ୍ପୁଆରେ ୧୮ଟି, ବଡବିଲରେ ୫ଟି, ବାମେବାରୀରେ ୭ଟି ହାତୀ ରହିଥିବା ସେ ସୂଚନା ଦେଇଛନ୍ତି । ତେବେ ବନବିଭାଗର ଅପାରଗତା ଯୋଗୁଁ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁବରଣ କରିବା ଘଟଣା ପରିବେଷବିତ୍‌ଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । ପ୍ରତି ହାତୀଙ୍କ ଦେହରେ ଜିପିଏସ୍ ଲଗାଯାଇ ସେମାନଙ୍କର ଗତିବିଧି ଲକ୍ଷ କରାଯାଇପାରିଲେ ଏହି ହାତୀ ମୃତ୍ୟୁକୁ ରୋକାଯାଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.