Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀ ଏନ.ଜି.ଟି. ମାମଲା ନୋଟିସ, ଜବାବ ଦାଖଲ ପାଇଁ ଯାଜପୁର ଓ ଭଦ୍ରକ ଜିଲା...

ବୈତରଣୀ ନଦୀ ଏନ.ଜି.ଟି. ମାମଲା ନୋଟିସ, ଜବାବ ଦାଖଲ ପାଇଁ ଯାଜପୁର ଓ ଭଦ୍ରକ ଜିଲା ପ୍ରଶାସନର ମିଳିତ କ୍ଷେତ୍ରୀୟ ଅନୁଧ୍ୟାନ

61

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ଶର୍ଯ୍ୟାର ନିର୍ମାଣ ବିରୋଧରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଆଗତ ମାମଲା ନୋଟିସର ଜବାବ ଦାଖଲ ପାଇଁ ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ କ୍ଷେତ୍ରୀୟ ଅନୁଧ୍ୟାନ କରାଯାଇଛି । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର, ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ପାଣିକୋଇଲି ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ ପଟ୍ଟନାୟକ, ଯାଜପୁର ଜିଲ୍ଲା ଜଙ୍ଗଲ ଅଧିକାରୀ ସୁଦର୍ଶନ ପାତ୍ର, ପ୍ରଦୂଷଣ ବୋର୍ଡ ପ୍ରତିନିଧି ପ୍ରମୋଦ କୁମାର ବେହେରା, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପିତାମ୍ବର ସାମଲ, ଭଣ୍ଡାରିପୋଖରୀ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ପ୍ରମୁଖ ଅନୁଧ୍ୟାନ କରିଥିଲେ । ଯାଜପୁର ଓ ଭଦ୍ରକ ଜିଲ୍ଲାର ଭୌଗଳିକ ସୀମା ନିର୍ଦ୍ଧାରଣ କରୁଥିବା ବୈତରଣୀ ନଦୀ ଆଖୁଆପଦା ଆନିକଟ ଠାରୁ ଅନତି ଦୂରରେ ଯାଜପୁର ଜିଲ୍ଲା ପାଶ୍ୱର୍ ନଦୀ ଶଯ୍ୟା ମଧ୍ୟରେ ରହିଛି ‘କୁଶୀ’ ନାମକ ଏକ ପ୍ରଚୀନ ଶାଖା ନଦୀ । ସ୍ଥାନୀୟ ଅଞ୍ଚଳରେ କୁଶୀ ନଦୀକୁ ମୂଳ ବୈତରଣୀ ବୋଲି ଗ୍ରହଣ କରାଯାଇଛି । ନଦୀର ନିମ୍ନ ଶଯ୍ୟାର ଡାହାଣ ପାଶ୍ୱର୍ରେ ଥିବା ଏହି ପ୍ରାଚୀନ କୁଶୀ ନଦୀ ଶଯ୍ୟା ମୁହାଣ ‘ଶଙ୍ଖାରୀ ମୁହଁ’କୁ କଂକ୍ରିଟବନ୍ଧ ଦ୍ୱାରା ଅବରୋଧ କରାଯିବା ଓ ସେଠାରୁ କୁଶୀ ନଦୀ ଶଯ୍ୟାର ଶେଷ ସୀମା ବାରୁଣୀ ପଡିଆ ପର୍ଯ୍ୟନ୍ତ ଅନୁରୂପ ଭାବେ କଂକ୍ରିଟ କାନ୍ଥ ଦ୍ୱାରା ସୁରକ୍ଷା ଦିଆଯାଇଛି ।

ପୁନଶ୍ଚ ଶଙ୍ଖାରୀ ମୁହଁ ଠାରୁ ଡାହାଣ ପାଶ୍ୱର୍ ଓ ବାମପାଶ୍ୱର୍ ନଦୀ ଶଯ୍ୟା ମଧ୍ୟରେ ଥିବା ପଣସା ଆଦି ବସ୍ତିଗୁଡିକୁ ସୁଦୃଢ ଘେରିବନ୍ଧ ଦ୍ୱାରା ମଧ୍ୟ ସୁରକ୍ଷା ଦିଆଯାଇଛି । ଏହି ନିର୍ମାଣ କାର୍ଯ୍ୟରେ ଜଳସମ୍ପଦ ବିଭାଗ ପରିବର୍ତ୍ତେ ଆଶ୍ଚର୍ଯ୍ୟଜନକ ଭାବେ ପୁର୍ତ୍ତ ବିଭାଗ ନିୟୋଜିତ କରାଯାଇଛି । ଏଥିପାଇଁ ପରିବେଶ ମଞ୍ଜୁରୀ ନିଆଯାଇ ନାହିଁ । ‘ଶଙ୍ଖାରୀ ମୁହଁ’ର ଅପରପାଶ୍ୱର୍ରେ ରହିଛି ବାଲିପୋଖରୀ ଏସକେପ । ଡାହାଣ ପାଶ୍ୱର୍ରେ ନଦୀର ବନ୍ୟାଜଳ ପ୍ରାକୃତିକ ପ୍ରବାହକୁ ସଙ୍କୁଚିତ କରାଯାଇ ବାମପାଶ୍ୱର୍ ବାଲିପୋଖରୀ ଏସକେପ ମଧ୍ୟ ଦେଇ ସବୁଯାକ ବନ୍ୟାଜଳ ପ୍ରବେଶର ଷଡଯନ୍ତ୍ର କରାଯାଉଛି । ଡାହାଣ ପାଶ୍ୱର୍ ବନ୍ୟା ଦାଉରୁ ପୂର୍ଣ୍ଣ ସୁରକ୍ଷିତ ହେଉଥିବା ବେଳେ ବାମପାଶ୍ୱର୍ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି । ଏ ସମ୍ପର୍କରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର କଲିକତା ବେଞ୍ଚରେ ଆଗତ ମାମଲାର ଶୁଣାଣୀ ଗତ ଦଶ ତାରିଖରେ କରାଯାଇ ଭଦ୍ରକ, ଯାଜପୁର ଜିଲ୍ଲାପାଳ, ରାଜ୍ୟ ଜଳସମ୍ପଦ ଓ ଜଙ୍ଗଲ ଓ ପରିବେଶ ବିଭାଗ ଆଦି ପକ୍ଷକୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରାଯାଇଥିଲା । ଆଗାମୀ ୧୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣୀ ଥିବାରୁ ଜବାବ ଦାଖଲ ପାଇଁ ଶୁକ୍ରବାର ଉଭୟ ଜିଲ୍ଲା ପ୍ରଶାସନର ମିଳିତ ଅନୁଧ୍ୟାନ ମାମଲାର ଆବେଦନକାରୀ ‘ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି’ ଆବାହକ ଡ. ସୁଧିର ଜେନାଙ୍କ ଉପସ୍ଥିତିରେ କରାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ମଧ୍ୟ ୧୯ଦଫା ଆବେଦନ କାରଣ ସମ୍ବଳିତ ପତ୍ର ଅନୁଧ୍ୟାନକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ବୈତରଣୀ ବନ୍ୟାରେ ଭଦ୍ରକ ଜିଲ୍ଲା ନିଶ୍ଚିହ୍ନ ହେବାକୁ ଯାଉଥିବା ଆଶଙ୍କା କରାଯାଇ ବନ୍ୟା ସୁରକ୍ଷା ପାଇଁ ନ୍ୟାୟିକ ପ୍ରତିକାର ଲୋଡାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.