Home ଜିଲ୍ଲା ପରିକ୍ରମା ବେଦାନ୍ତ ଫେକର ଚାର୍ଜକ୍ରୋମ ଦୁର୍ଘଟଣା, ମୃତକଙ୍କ ପରିବାରକୁ ସହାୟତା, କର୍ମଚାରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରାଯିବା ନେଇ...

ବେଦାନ୍ତ ଫେକର ଚାର୍ଜକ୍ରୋମ ଦୁର୍ଘଟଣା, ମୃତକଙ୍କ ପରିବାରକୁ ସହାୟତା, କର୍ମଚାରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରାଯିବା ନେଇ ଜିଲ୍ଲାପାଳଙ୍କ ଆଲୋଚନା

15

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧୧ ତାରିଖ ମଙ୍ଗଳବାର ଭଦ୍ରକ ର ରାନ୍ଦିଆସ୍ଥିତ ବେଦାନ୍ତ ଫେକର ଚାର୍ଜକ୍ରୋମ ଦୁର୍ଘଟଣାରେ ପୋଡ଼ି ଆହତ ହୋଇଥିବା ୨ କର୍ମଚାରୀଙ୍କ ମଧ୍ୟରୁ ରତିକାନ୍ତ ସୂତାରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇ ଠାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦ କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ, ତାଙ୍କର ଯୋଗ୍ୟ ଉତ୍ତରାଧିକାରୀଙ୍କୁ ଯୋଗ୍ୟତା ଓ ଦକ୍ଷତା ଆଧାରରେ କାରଖାନାରେ ଚାକିରୀ ପ୍ରଦାନ, କାରଖାନା କର୍ମଚାରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଶତପ୍ରତିଶତ ସୁନିଶ୍ଚିତ କରାଇବା ପାଇଁ ପଦକ୍ଷେପ ଗ୍ରହଣ ଆଦି ବିଷୟରେ ଆଲୋଚନା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ମଧ୍ୟାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଏସ୍‌.ପି.ଙ୍କ ଅତିରିକ୍ତ ଦାୟିତ୍ୱରେ ଥିବା ବାଲେଶ୍ୱର ଏସ୍‌.ପି. ସାଗରିକା ନାଥ, ଫେକର ସି.ଇ.ଓ. ସୁଜଲ ଶାହା, ଭଦ୍ରକ ଡ଼ି.ଏସ୍‌.ପି. ସୌରଭ ଓତା, ଡ଼ି.ଏସ୍‌.ପି. ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ, ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା, ଫେକର ଏଚ୍‌.ଆର୍‌. ମୁଖ୍ୟ ସୁନୀତି କୁମାର ଧଳ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ପରପ୍ରେକ୍ଷୀରେ ମୃତ ଶରୀର ଭଦ୍ରକରେ ପହଞ୍ଚାବା ନେଇ ଆଇନ୍‌କୁ କେହି ହାତକୁ ନନେବା ପାଇଁ ଏସ୍‌.ପି. ଗଣମାଧ୍ୟକୁ ବାର୍ତ୍ତା ପ୍ରଦାନ ଆଧାରରେ ସମସ୍ତ ଜନସାଧାରଣ, କାରଖାନାର କର୍ମଚାରୀ, ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ ଜଣାଇଛନ୍ତି ।

ଆହତ ମାନଙ୍କୁ ଯଥାଶୀଘ୍ର ଭୁବନେଶ୍ୱର ଓ ସେଠାରୁ ଏୟାରଲିପ୍ଟିଂ ଯୋଗେ ମୁମ୍ବାଇ ପଠାଯାଇ ଡ଼ାକ୍ତରମାନଙ୍କ ଶତଚେଷ୍ଟା ସତ୍ତ୍ୱେ ସ୍ୱର୍ଗତ ସୂତାରଙ୍କ ମୃତ୍ୟୁ ଅତୀବ ଦୁଖଦ ପୂର୍ଣ୍ଣ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଭଳି ଘଟଣା ଆଗକୁ ଯେପରି ନଘଟିବ ସେଥିନେଇ ସୁରକ୍ଷା ଦିଗରେ ଶତପ୍ରତିଶତ ପଦକ୍ଷେପ ନିଆଯିବା ନେଇ ସୂଚନା ପ୍ରଦାନ କରିଥିଲେ । କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଫିନ୍‌ଲାଣ୍ଡ ଓ ସାଉଥ୍ ଆଫ୍ରିକାରୁ ବିଶେଷଜ୍ଞ ଦଳ ଆସି ଚୂଲା ପରୀକ୍ଷା କରିବା ସହିତ ଅନ୍ୟାନ୍ୟ ନିରାପତ୍ତା ଦିଗ ସବୁ ତଦନ୍ତ କରିବେ ବୋଲି ସି.ଇ.ଓ. ଜଣାଇ ଥିଲେ । ସରକାରଙ୍କ ତରଫରୁ ଡ଼ାଇରେକ୍ଟର ଅଫ୍ ଫ୍ୟାକ୍ଟରିଜ ଏବଂ ବୟଲରସ୍ ରୁ ବିଶେଷଜ୍ଞ ଟିମ୍ ଆସି ଅଡ଼ିଟ୍ କରିବେ । ଏହି ତଦନ୍ତ ବା ଅଡ଼ିଟ୍ ବେଳେ କାର୍ଯ୍ୟରତ ସଂପୃକ୍ତ କର୍ମଚାରୀମାନଙ୍କୁ ମଧ୍ୟ ସେଥିରେ ସାମିଲ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ଯଥା ସମ୍ଭବ କ୍ଷତିପୂରଣ ବାବଦ ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ ସହିତ ତାଙ୍କର ଦୁଇ ଝିଅ ନାଁ ବାଳିକା ଥିବାରୁ ତାଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଆଧାରରେ ଚାକିରୀ ପ୍ରଦାନ କରି ଭବିଷ୍ୟତରେ ତାଙ୍କ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଜିଲ୍ଲାପାଳ ସି.ଇ.ଓଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବୈଠକର ନିଷ୍ପତ୍ତି ଓ ଆଲୋଚନାରେ ପ୍ରଦତ୍ତ ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଉପସ୍ଥିତ କମ୍ପାନୀର ସି.ଇ.ଓ. ଶ୍ରୀଯୁକ୍ତ ଶାହା ସମ୍ମତି ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.