Home ଅନୁଗୁଳ ବି.ଏସ୍‌.ଏନ୍‌.ଏଲ୍ ଠିକା ଶ୍ରମିକଙ୍କୁ ଛଟେଇ ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ

ବି.ଏସ୍‌.ଏନ୍‌.ଏଲ୍ ଠିକା ଶ୍ରମିକଙ୍କୁ ଛଟେଇ ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ

75

ଅନୁଗୋଳ,୨୪/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଷ୍ଟ୍ରୀୟ ଟେଲିକମ୍ ଉଦ୍ୟୋଗ ଭାରତ ସଂଚାର ନିଗମ ଲିମିଟେଡ୍ (ବି.ଏସ୍‌.ଏନ୍‌.ଏଲ୍‌)ରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ୧ ଜୁଲାଇ ୨୦୨୦ଠାରୁ ଛଟେଇ କରିବା ପାଇଁ ବି.ଏସ୍‌.ଏନ୍‌.ଏଲ୍ କର୍ତୃପକ୍ଷଙ୍କ ନୋଟିସ୍ କୁ ଅବିଳମ୍ବେ ପ୍ରତ୍ୟାହାର କରିବା ଏବଂ ବି.ଏସ୍‌.ଏନ୍‌.ଏଲ୍ ଠିକା ଶ୍ରମିକଙ୍କ ଏକ ବର୍ଷରୁ ଅଧିକ ସମୟର ବକେୟା ମଜୁରୀକୁ ତୁରନ୍ତ ପ୍ରଦାନ କରିବା ଦାବୀରେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ ସେଂଟର (ଏ.ଆଇ.ୟୁ.ଟି.ୟୁ.ସି) ଓଡିଶା ରାଜ୍ୟ କମିଟି ଆହ୍ୱାନରେ ୨୪ ଜୁନ୍ ୨୦୨୦ “ସାରା ଓଡିଶା ବି.ଏସ୍‌.ଏନ୍‌.ଏଲ୍ ଠିକା ଶ୍ରମିକ ସୁରକ୍ଷା ଦିବସ” ରାଜ୍ୟବ୍ୟାପୀ ପାଳନ କରାଯିବା ପରିପ୍ରେକ୍ଷୀରେ ଏ.ଆଇ.ୟୁ.ଟି.ୟୁ.ସି ଓଡିଶା ରାଜ୍ୟ ସମ୍ପାଦକ ଜୟସେନ ମେହେରଙ୍କ ନେତୃତ୍ୱରେ ଅନୁଗୋଳ ସହରସ୍ଥ ବି.ଏସ୍‌.ଏନ୍‌.ଏଲ୍ ଏସ୍‌.ଡି.ଓ. ଅଫିସ୍ ସମ୍ମୁଖରେ ଏବଂ ଏ.ଆଇ.ୟୁ.ଟି.ୟୁ.ସି ଅନୁଗୋଳ ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁଙ୍କ ନେତୃତ୍ୱରେ ନାଲକୋନଗରସ୍ଥ ବି.ଏସ୍‌.ଏନ୍‌.ଏଲ୍ ଏ.ଜି.ଏମ୍ ଅଫିସ୍ ସମ୍ମୁଖରେ ଶାରୀରିକ ଦୂରତ୍ୱ ବଜାୟ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ବି.ଏସ୍‌.ଏନ୍‌.ଏଲ୍‌. ଓଡିଶା ସର୍କଲର ସି.ଜି.ଏମ୍‌ଙ୍କ ଉଦ୍ଦେଶ୍ୟରେ ବି.ଏସ୍‌.ଏନ୍‌.ଏଲ୍‌. ଏ.ଜି.ଏମ୍ ଓ ଏସ୍‌.ଡି.ଓ.ଙ୍କୁ ୨ଦଫା ଦାବି ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଘରୋଇ ଟେଲିକମ୍ କମ୍ପାନୀ ରିଲିଆନ୍‌ସ୍ ଜିଓ ପ୍ରତି କେନ୍ଦ୍ର ବିଜେପି ସରକାରଙ୍କ ସୀମାହୀନ ଅନୁକମ୍ପା ଯୋଗୁଁ ରାଷ୍ଟ୍ରାୟ ଟେଲିକମ୍ ଉଦ୍ୟୋଗ ବି.ଏସ୍‌.ଏନ୍‌.ଏଲ୍‌.ର ଦୂରାବସ୍ଥା ଘଟିଛି ଏବଂ ଯାହାଫଳରେ ବି.ଏସ୍‌.ଏନ୍‌.ଏଲ୍‌.ର କର୍ମଚାରୀ, ଠିକା ଶ୍ରମିକ ଓ ଉପଭୋକ୍ତାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ଦୃଢ଼ଭାବେ ଅଭିଯୋଗ କରାଯାଇଛି । ଜୀବନବ୍ୟାପୀ ଦୀର୍ଘ ୨୦ରୁ ୩୦ବର୍ଷ ଧରି ବି.ଏସ୍‌.ଏନ୍‌.ଏଲ୍‌.ର ବିଭିନ୍ନ କାର୍ଯ୍ୟକୁ ସୂଚାର ରୂପେ କରିଆସିଥିବା ଠିକା ଶ୍ରମିକଙ୍କୁ କରୋନା ମହାମାରୀ ଭଳି ଗୁରୁତର ସଂକଟ ସମୟରେ ଛଟେଇ କରିବା ପାଇଁ ବି.ଏସ୍‌.ଏନ୍‌.ଏଲ୍‌. କର୍ତୃପକ୍ଷଙ୍କ ନିଷ୍ପତି ଅତ୍ୟନ୍ତ ଅମାନବିକ ବୋଲି ସଙ୍ଗଠନ ପକ୍ଷରୁ ପ୍ରକାଶ କରାଯାଇଛି । ଜନସାଧାରଣଙ୍କ କର, ଖଜଣା ଓ ଟିକସକୁ ନେଇ ଗଠିତ ଦେଶର ରାଜକୋଷରୁ ଅର୍ଥ ବ୍ୟୟକରି ପ୍ରତିଷ୍ଠା କରାଯାଇଥିବା ରାଷ୍ଟ୍ରାୟ ଟେଲିକମ୍ ଉଦ୍ୟୋଗ ବି.ଏସ୍‌.ଏନ୍‌.ଏଲ୍‌.କୁ ସୁପରିଚାଳନା କରିବା ପାଇଁ କେନ୍ଦ୍ର ସରକାର ବାସ୍ତବ ପଦକ୍ଷେପ ଗ୍ରହଣ କରିବାକୁ ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ଦୃଢ ଦାବୀ କରାଯାଇଛି । ବି.ଏସ୍‌.ଏନ୍‌.ଏଲ୍‌.ର ସମସ୍ତ କର୍ମଚାରୀ, ଠିକାଶ୍ରମିକ ଓ ଉପଭୋକ୍ତାମାନେ ମିଳିତଭାବରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ଅହ୍ୱାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.