Home ଓଡ଼ିଶା ବି.ଏମ୍ .ସି.ର ପ୍ରସ୍ତାବିତ ହୋଲ୍ ଡିଙ୍ଗ ଟିକସ ଜନବିରୋଧି : ସମାଜବାଦୀ ପାର୍ଟି

ବି.ଏମ୍ .ସି.ର ପ୍ରସ୍ତାବିତ ହୋଲ୍ ଡିଙ୍ଗ ଟିକସ ଜନବିରୋଧି : ସମାଜବାଦୀ ପାର୍ଟି

104

ଭୁବନେଶ୍ୱର, ୧୫ା୧୦ (ଓଡ଼ିଆ ପୁଅ) : ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ପ୍ରସ୍ତାବିତ ହୋଡିଙ୍ଗ୍ ଟିକସକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ବିରୋଧ କରୁଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନର ଜମିର ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି। ସେହି ଅନୁପାତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଏମ୍ ସିକୁ ପତ୍ର ଲେଖାଯାଇ ହୋଲଡିଂ ଟିକସ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବିତ ହୋଲଡିଂ ଟିକସ କାର୍ଯ୍ୟକାରୀ ହେଲେ ରାଜଧାନୀରେ ଘରଭଡ଼ା, ଦୋକାନଭଡ଼ା ମୂଲ୍ୟ ଆକାଶଛୁଆଁ ହୋଇଯିବ। ବାର୍ଷିକ ୫ ରୁ ୬ ହଜାର ଟଙ୍କା ହୋଲଡିଙ୍ଗ ଟିକସ ଦେଉଥିବା ବାସିନ୍ଦାମାନଙ୍କୁ ୧୫ ରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ହୋଲଡିଙ୍ଗ ଟିକସ ଦେବାକୁ ପଡ଼ିବ। ଏହା ନିଶ୍ଚିତ ଭାବରେ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀକୁ ବାଧିବ। ବି.ଏମ.ସି.ର ଏହି ପ୍ରସ୍ତାବିତ ପିଟୁଣୀ ଟିକସକୁ ମଧ୍ୟ ଘରମାଲିକମାନଙ୍କୁ ଦେବାକୁ ପଡ଼ିବ। ଘରମାଲିକମାନେ ଏହି ଟିକସକୁ ଭଡ଼ାଟିଆମାନଙ୍କଠାରୁ ଆଦାୟ କରିବେ। ଏହାଫଳରେ ଛୋଟ ଛୋଟ ଦୋକାନୀ, ଘରଭଡ଼ା ନେଇ ରହୁଥିବା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ଯେଉଁ ହାରରେ ଟିକସ ପ୍ରସ୍ତାବ କରାଯାଇଛି ତାହା ଜଣେ ସାଧାରଣ ଲୋକ ପକ୍ଷରେ ଦେବା ସମ୍ଭବପର ହେବନାହିଁ। ତେଣୁ ଏହାକୁ ସମାଜବାଦୀ ପାର୍ଟି ବିରୋଧ କରୁଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଭୁବନେଶ୍ୱରର ୬୭ଟି ୱାର୍ଡର ଘରମାଲିକ, ଭଡ଼ାଟିଆ ଓ ଦୋକାନଘର ଭଡ଼ା ନେଇ ନିଜର ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀମାନଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ। ମ୍ୟୁନିସିପାଲ୍ କର୍ପୋରେସନ୍ ହୋଲଡିଙ୍ଗ ଟିକସ ବାବଦକୁ ବର୍ତ୍ତମାନ ଯେଉଁଭଳି ଟିକସ ନେଉଛନ୍ତି, ସେହି ଅନୁସାରେ ସେବା ଯୋଗାଇବାରେ ତତ୍ପରତା ପ୍ରକାଶ କରୁନାହାଁନ୍ତି। ଗଳିକନ୍ଦି ସଫେଇ ହେଉ, ଠିକ୍ ସମୟରେ ପାନୀୟ ଜଳ ଯୋଗାଢ଼ଣ ହେଉ, ଅଳିଆ ଆବର୍ଜନା ସଫା ହେଉ କିମ୍ବା ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହେଉ, ସବୁ ଦୃଷ୍ଟିରେ ଦେଖିଲେ ବିଏମ୍ ସିର କାର୍ଯ୍ୟ ଆଦୌ ସନ୍ତୋଷଜନକ ନୁହେଁ। ରାସ୍ତା ଘାଟ ଖାଲଖମାରେ ଭର୍ତ୍ତି, ବହୁ ଯାଗାରେ ବିଜୁଳି ଆଲୁଅ ଜଳୁନାହିଁ, ରାସ୍ତା କଡ଼ରେ ଅଳିଆ ଆବର୍ଜନା ଦିନ ଦିନ ଧରି ଗଦା ହୋଇ ରହୁଛି, ନାଳ ନର୍ଦ୍ଦମାରୁ ପଙ୍କ ଉଦ୍ଧାର ହେଉନାହିଁ କିମ୍ବା ଦଳ ମଧ୍ୟ ସଫା ହେଉନାହିଁ। ଅଭିଯୋଗ କଲେ ମଧ୍ୟ ବି.ଏମ୍ .ସି. ନିଦାବିଷ୍ଣୁ ଭଳି ବ୍ୟବହାର କରୁଛି। ଗୋଟାଏ ଦିଗରେ ସନ୍ତୋଷଜନକ ସେବା ଯୋଗାଇବାରେ ଅସମର୍ଥ ବିଏମ୍ ସିକୁ କାହିଁକି ଭୁବନେଶ୍ୱର ବାସିନ୍ଦା ଅଧିକ ଟିକସ ଦେବେ, ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ଏହାକୁ ବିରୋଧ କରିବା ପାଇଁ ସମସ୍ତ ଘରମାଲିକ, ଭଡ଼ାଟିଆ ଓ ଛୋଟଛୋଟ ଦୋକାନୀମାନେ ଏକତ୍ର ହେବାର ଆବଶ୍ୟକତା ରହିଛି। ଯଦି ବିଏମ୍ ସି କର୍ତ୍ତୃପକ୍ଷ ଏହି ପିଟୁଣି ଟିକସ କାର୍ଯ୍ୟକାରୀ କରିବା ନିଷ୍ପତ୍ତିକୁ ସ୍ଥଗିତ ନ ରଖନ୍ତି, ତାହେଲେ ଆଗାମୀ ଦିନରେ ଭୁବନେଶ୍ୱର ବାସିନ୍ଦାମାନଙ୍କ ପକ୍ଷରୁ ଏକତ୍ରିତ ହୋଇ ଏହାର ବିରୋଧ କରାଯିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଗାମୀ ମାସରେ ଭୁବନେଶ୍ୱରର ସମସ୍ତ ଘରମାଲିକ ଓ ଭଡ଼ାଟିଆମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ସର୍ବସମ୍ମତକ୍ରମେ ଏହାକୁ ବିରୋଧ କରାଯିବାର ପରିକଳ୍ପନା ରହିଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ପ୍ରକାଶ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.