ବାଲେଶ୍ୱର, ୧୧ା୧(ଓଡ଼ିଆ ପୁଅ/ଅଭୟ ଦାସ): ଶୋଭାରାମପୁର ରେଳ ଓଭରବ୍ରିଜ୍ ଓ ଆପ୍ରୋଚ୍ ରୋଡ଼ ନିର୍ମାଣ ପାଇଁ ବିସ୍ଥାପିତ ପରିବାରଙ୍କୁ ଥଇଥାନ ସମ୍ପର୍କରେ ଶ୍ରମିକନେତା ଅରୁଣ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଆଲୋଚନା ବୈଠକ ହିନ୍ଦ ମଜଦୁର ସଭା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଏଥିରେ ଯୋଗଦେଇ୨୧ ନଂ ୱାର୍ଡ଼ରୁ ବିସ୍ଥାପିତ ୫୬ ପରିବାରଙ୍କୁ ସହର ଉପକଣ୍ଠ ପଞ୍ଚାୟତ ଅଞ୍ଚଳରେ ୪ ଡିସିମିଲ ପରିମିତ ଘରଡିହ ଜମି ପ୍ରଦାନ ନେଇ ଉଚିତ ପଦକ୍ଷେପ ନେବେ ବୋଲି ଶ୍ରୀ ଦାସ କହିଥିଲେ। ଗରିବ ଭୂମିଶୂନ୍ୟ ଲୋକଙ୍କ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପ୍ରତି ସରକାର ଭୂମି ଯୋଗାଇ ଦେବା ସହ ଗୃହ ନିର୍ମାଣ ପାଇଁ ବି ଅର୍ଥର ବ୍ୟବସ୍ଥା କରିଛନ୍ତି। ଏଭଳି ସ୍ଥିତିରେ ବିସ୍ଥାପିତ ୫୬ ପରିବାରଙ୍କୁ ମଧ୍ୟ ଅନୁରୂପ ସହାୟତା ପ୍ରଦାନ ପାଇଁ ସେ ତୁରନ୍ତ ଉଚିତ ପଦକ୍ଷେପ ନେବେ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ବିଭିନ୍ନ ଶିଳ୍ପାନୁଷ୍ଠାନ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ସେ ପଚାରି ବୁଝିବଥିଲେ। ଅଚଳାବସ୍ଥା ଜାରିଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକର ସୁଧାର ପାଇଁ ସେ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ସଂଧ୍ୟାରେ ଆୟୋଜିତ ଏହି ଆଲୋଚନାରେ ହିନ୍ଦ ମଜଦୁର ସଭାର ସଭାପତି ଶ୍ରମିକନେତା ଶ୍ରୀ ସ୍ୱାଇଁ ସନ୍ତୋଷ ପ୍ରକାଶ ସହ ଦୀର୍ଘଦିନ ପରେ ଲୋକଙ୍କ ଦୁଃଖ ଶୁଣିଥିବା ଯୋଗୁଁ ବିଧାୟକ ଶ୍ରୀ ଦାସଙ୍କଠାରେ ସେ କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଆଲୋଚନା ବୈଠକରେ ହିନ୍ଦ ମଜଦୁର ସଭା ସହ ଅନୁବନ୍ଧିତ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।








