Home ଓଡ଼ିଶା ବିମୁଦ୍ରାୟନକୁ ଚାରିବର୍ଷ-ବିଶ୍ୱାସଘାତ ଦିବସରୂପେ ପାଳନ କଲା କଂଗ୍ରେସ

ବିମୁଦ୍ରାୟନକୁ ଚାରିବର୍ଷ-ବିଶ୍ୱାସଘାତ ଦିବସରୂପେ ପାଳନ କଲା କଂଗ୍ରେସ

44

ଭୁବନେଶ୍ୱର ତା ୮-୧୧ (ଓଡ଼ିଆ ପୁଅ) – ଆଜିକୁ ଠିକ୍‌ ଚାରିବର୍ଷ ତଳେ ନଭେମ୍ବର-୮, ୨୦୧୬ ମସିହା ରାତି-୮ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତାଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିମୁଦ୍ରାୟନ ଘୋଷଣା କରିଥିଲେ ଏବଂ ୫ଶହ ଓ ହଜରେଟଙ୍କିଆ ନୋଟକୁ ସଂପୂର୍ଣ୍ଣଭାବେ ଅଚଳ କରିଦେଇଥିଲେ। ଏହାର କୁପରିଣାମ ସ୍ୱରୂପ ଦେଶର ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣରୂପେ ଭୁଷିଡ଼ି ପଡ଼ିଲା। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏଭଳି ଅପରିଣାମଦର୍ଶୀ ନିଷ୍ପତିର କଠୋର ସମାଲୋଚନା କରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ବିମୁଦ୍ରାୟନକୁ ବିଶ୍ୱାସଘାତ ଦିବସରୂପେ ଅଭିହିତ କରିଥିଲେ। ସେ କହିଥିଲେ ଯେ ଯେଉଁ ଉଦ୍ଦେଶ୍ୟ ରଖି ନରେନ୍ଦ୍ର ମୋଦି ବିମୁଦ୍ରାୟନ ଘୋଷଣା କରିଥିଲେ ସେ ଉଦ୍ଦେଶ୍ୟ ସାଧନ ହେଲା ନାହିଁ ପଂରନ୍ତୁ ଦେଶର ଅର୍ଥବ୍ୟବସ୍ଥା କ୍ରମାଗତ ଭାବେ ବିଗତ ଚାରିବର୍ଷ ଭିତରେ ସଂପୂର୍ଣ୍ଣରୂପେ ଧୂଳିସାତ ହେଲା। ୨୦୧୪ ମସିହାରେ କେନ୍ଦ୍ରରେ କଂଗ୍ରେସ କ୍ଷମତାରୁ ଯିବା ସମୟରେ ଦେଶର ଘରୋଇ ସକଳ ଉତ୍ପାଦ (ଜିଡିପି) ପାଖାପାଖି ୮% ଥିଲା ବେଳେ ନୋଟବନ୍ଦି ପରବର୍ତ୍ତୀ ଅବସ୍ଥାରେ ଏହା କ୍ରମାଗତ ଭାବେ ହ୍ରାସପାଇ ୨୦୧୯ ମାର୍ଚ୍ଚମାସରେ ୩% କୁ ଚାଲିଆସିଥିଲା ଏବଂ ବର୍ତମାନ କରୋନା ପରବର୍ତ୍ତୀ ଅବସ୍ଥାରେ ଏହା ବିଯୁକ୍ତ ୨୩%ରେ ପଂହଚିଲାଣି। ବିମୁଦ୍ରାୟନ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଚାରୋଟି ପ୍ରମୁଖ କାରଣ ଦର୍ଶାଇଥିଲେ ଯଥା: ୧- କଳାଧନ ଉପରେ ରୋକ ଲାଗିବ, ୨- ଜାଲିନୋଟ କାରବାର ବନ୍ଦ ହେବ, ୩- ନକ୍ସଲବାଦ କାର୍ଯ୍ୟକଳାପ ବନ୍ଦ ହେବ ଓ ୪- ଆତଙ୍କବାଦୀ କାର୍ଯ୍ୟକଳାପ ଲୋପ ହେବ, ଏ ସମସ୍ତ କଥା କେବଳ ଘୋଷଣରେ ହିଁ ରହିଗଲା। ବାସ୍ତବରେ ବିମୁଦ୍ରାୟନ ପରବର୍ତ୍ତୀ ଅବସ୍ଥାରେ କଳାଧନ ଓ ଜାଲିନୋଟ କାରବାର ବନ୍ଦ ହେବା ପରିବର୍ତେ ଯଥେଷ୍ଟ ବଢ଼ିଥିଲା। ବିମୁଦ୍ରାୟନ ସମୟକୁ ଦେଶରେ ଚଳନ୍ତି ୫ଶହ ଓ ହଜାରେ ଟଙ୍କିଆ ନୋଟ ଯାହାର ପରିମାଣ ୧୫ଲକ୍ଷ ୪୪ ହଜାର କୋଟି ଟଙ୍କା ଥିଲା ସେଥିରୁ ୯୯.୩ ପ୍ରତିଶତ ଯାହାକି ୧୫ଲକ୍ଷ ୩୩ ହଜାର କୋଟି ଟଙ୍କା ରିଜର୍ଭବ୍ୟାଙ୍କକୁ ଫେରିଆସିଥିଲା। ଅର୍ଥାତ ମାତ୍ର ୧୧ହଜାର କୋଟି ଟଙ୍କା ବ୍ୟାଙ୍କ ବ୍ୟବସ୍ଥାକୁ ଫେରିନଥିଲା। କିନ୍ତୁ ନୂଆ ନୋଟ ଛାପିବା ଏବଂ ବିମୁଦ୍ରାୟନ ପରିବର୍ତ୍ତୀ ପଦକ୍ଷେପ ନେବାରେ ରିଜର୍ଭ ବ୍ୟାଙ୍କ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତେଣୁ ଏଭଳି ପଦକ୍ଷେପ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ମୋଦି ସରକାର କୁଠାରଘାତ କରିଥିଲେ। ବିମୁଦ୍ରାୟନ ଯୋଗୁଁ ଦେଶରେ ସାଧାରଣ ଜନତା ଏବଂ ବିଶେଷ ଭାବରେ ମଧ୍ୟବିତ, ନିମ୍ନମଧ୍ୟବିତ ଓ ଗରୀବଶ୍ରେଣୀର ଲୋକ ଭୟଙ୍କର ଭାବେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିଲେ। ହଜାର ହଜାର କଳକାରଖାନା ତଥା ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଜଗତ ଉପରେ ଏହାର ନକରାତ୍ମକ ପ୍ରଭାବ ହେତୁ ଦେଶରେ କୋଟି କୋଟି ଲୋକ ନିଜର ରୋଜଗାର ହରାଇଥିଲେ। ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କରେ ରଖିଥିବା ନିଜ ଟଙ୍କା ପାଇବାପାଇଁ ଘଂଟା ଘଂଟା ଧରି ଉପାସ ଭୋକରେ ଏଟିଏମ ଓ ବ୍ୟାଙ୍କ ସମ୍ମୁଖରେ ଦିନ ଦିନ ଧରି ଧାଡ଼ିବାନ୍ଧି ଠିଆହୋଇଥିଲେ। ମୋଦି ସରକାରଙ୍କ ଏଭଳି ନିଷ୍ପତି କେବଳ ପୁଞ୍ଜିପତି ଓ କର୍ପୋରେଟ ଜଗତକୁ ଖୁସି କରିବା ତଥା ନିର୍ବାଚନ ଯିତିବାର ଏକ ସରଳ ଉପାୟ ହୋଇଥିବା ନେଇ ବରିଷ୍ଠ ନେତା ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ।

ବିଗତ ଚାରିବର୍ଷ ଭିତରେ ବିଜେପି ଶାସିତ ରାଜ୍ୟ ଉତରପ୍ରଦେଶ ଓ ବିହାରରେ ଜାଲି ନୋଟ କାରବାର ଓ ବ୍ୟାଙ୍କ ଠକେଇର ଅଭିଯୋଗରେ ସର୍ବଭାରତୀୟ ସ୍ତରରେ ସବୁଠାରୁ ଆଗରେ ଥିବା ନେଇ କଟାକ୍ଷ କରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ। ସେ କହିଥିଲେ ଯେ ବିମୁଦ୍ରାୟନ ଭଳି ଅପରିଣାମଦର୍ଶୀ ନିଷ୍ପତିକୁ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଥିଲେ ଏବଂ ଏଭଳି ଅପରିପକ୍ୱ ନିଷ୍ପତି ଯୋଗୁଁ ନରେନ୍ଦ୍ର ମୋଦି ଭାରତବର୍ଷର ଏକ ସୁନ୍ଦର ଓ ସକ୍ଷମ ଅର୍ଥବ୍ୟବସ୍ଥାକୁ ନିମିସେକରେ ନଷ୍ଟ କରିଦେଇଥିଲେ। ନୋଟବନ୍ଦି ଠାରୁ ଏହି ଚାରିବର୍ଷ ଭିତରେ ଦେଶରେ ନକ୍ସଲବାଦ, ଆତଙ୍କବାଦ ଓ ଜାଲିନୋଟ କାରବାର ପୂର୍ବାପେକ୍ଷା ବହୁଗୁଣରେ ବଢ଼ିଛି। କେବଳ ଜାଲି ନୋଟ କାରବାର ୧୨୧ ପ୍ରତିଶତକୁ ବୃଦ୍ଧିପାଇଛି। ଦେଶର ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ୩ପ୍ରତିଶତରୁ ଅଧିକ ବଢ଼ିଛି। ତେଣୁ ନରେନ୍ଦ୍ର ମୋଦିଙ୍କର ଏଭଳି ନିଷ୍ପତି କେବଳ ପ୍ରାଦେଶିକ ନିର୍ବାଚନ ଜିତିବା ପାଇଁ ଉଦିଷ୍ଟ ଥିଲା, ଯାହପାଇଁ ସମଗ୍ର ଦେଶର ଅର୍ଥବ୍ୟବସ୍ଥାକୁ ସେ ରସାତଳକୁ ନେଇଗଲେ। ଆଜି ଆମର ଅର୍ଥ ବ୍ୟବସ୍ଥା ପଡ଼ୋଶୀ ବାଙ୍ଗଲାଦେଶ ଠାରୁ ବି ପଛରେ ପଡ଼ିଛି। ଦେଶରେ ବେକାରୀ ଅତି ଉତ୍କଟ ସ୍ତରରେ ପଂହଚିଛି, କଳକାରଖାନା ବନ୍ଦ ହେତୁ ଶ୍ରମିକ ରୋଜଗାର ହରାଇଛି, ଚାଷୀ କ୍ଷତିଗ୍ରସ୍ତ ଏବଂ ଦେଶର ଜିଡିପି ଆଜି ବିଯୁକ୍ତ ୨୩%ରେ ପଂହଚିଛି। ଭାରତ ବର୍ଷର ଅର୍ଥ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ- ମନମୋହନ ସିଂହଙ୍କ ଦୀର୍ଘ ବର୍ଷର ତପସ୍ୟାକୁ ନରେନ୍ଦ୍ର ମୋଦିଙ୍କ ଗୋଟିଏ ନିଷ୍ପତି ନଷ୍ଟ କରିଦେଇଥିବା ନେଇ ଶ୍ରୀ କାନୁନଗୋ କଠୋର ସମାଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ରଜନୀ କୁମାର ମହାନ୍ତି ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.