Home ଓଡ଼ିଶା ବିଭିନ୍ନ ସଂଗଠନ ପକ୍ଷରୁ ଦ୍ୱିତୀୟ ସାଲବେଗ ଅଫତାବ୍ ହୁସେନଙ୍କୁ ସମ୍ବର୍ଦ୍ଧନା

ବିଭିନ୍ନ ସଂଗଠନ ପକ୍ଷରୁ ଦ୍ୱିତୀୟ ସାଲବେଗ ଅଫତାବ୍ ହୁସେନଙ୍କୁ ସମ୍ବର୍ଦ୍ଧନା

245

ନୟାଗଡ଼, (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ)୨୩ା୬ : ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ନୟାଗଡ଼ ଜିଲ୍ଲା ସାଂସ୍କୃତିକ, ବୌଦ୍ଧିକ ତଥା ସାମାଜିକ ଓ ଭାବଗତ ସଂପର୍କରେ ଓତଃପ୍ରୋତ ଭାବେ ଜଡ଼ିତ। ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ନୀଳମାଧବଙ୍କ ଠାରୁ ଆରମ୍ଭକରି ରଥନିର୍ମାଣ ପାଇଁ ଆବଶ୍ୟକ କାଠ ଯୋଗାଣ ପର୍ଯ୍ୟନ୍ତ ନୟାଗଡ଼ର ଭୂମିକା ଅନେକ ଗୁରୁତ୍ୱ ବହନ କରେ। ତେବେ ଚଳିତ ବର୍ଷ ବିଶ୍ୱବ୍ୟାପୀ ମହାମାରୀ କରୋନା ପାଇଁ ରଥଯାତ୍ରା ହେବ ନହେବ ସମ୍ଭାବନା ମଧ୍ୟରେ ସୁପ୍ରିମକୋର୍ଟଙ୍କ ଆଦେଶ ଦ୍ୱାରା ରଥଯାତ୍ରା ବନ୍ଦ ହେବାପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଏଯୁଗର ଦ୍ୱିତୀୟ ସାଲବେଗ ଅଫତାବ ହୁସେନର ଡାକ ଶୁଣି ମହାପ୍ରଭୁ ପୁଣି ରଥାରୁଢ଼ ହୋଇ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ପ୍ରାଚୀନ ଯୁଗର ସାଲବେଗର ଡାକରେ ମହାପ୍ରଭୁଙ୍କ ରଥ ଅଧାବାଟରେ ଅଟକି ଯାଇଥିବା ବେଳେ ଏଯୁଗର ସାଲବେଗ ଡାକରାରେ ସମଗ୍ର ବିଶ୍ୱବାସୀଙ୍କ ଉତକଣ୍ଠାର ଅବସାନ ଘଟି ଅଟକି ଯାଇଥିବା ରଥ ପୁଣି ଗଡ଼ିଛି। ନୟାଗଡ଼ ମାଟିର ପୁଅ ଇଟାମାଟି ନାରାୟଣପାଟଣା ସାହିର ଅଫତାବ ହୁସେନଙ୍କ ଦ୍ୱାରା ପ୍ରଥମେ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ରିଭ୍ୟୁ ପିଟିସନ ତଥା ରାଜ୍ୟସରକାରଙ୍କ ସହମତି ଫଳରେ ରଥଯାତ୍ରା ହେବାପାଇଁ ସୁପ୍ରିମକୋର୍ଟଙ୍କ ଆଦେଶ ଶେଷ ମୁହୂର୍ତ୍ତରେ ମିଳିଥିଲା। ଏ ନେଇ ସମଗ୍ର ନୟାଗଡ଼ ଅଞ୍ଚଳ ଆନ୍ଦର ଲହରୀ ଖେଳିଯାଇଥିବା ବେଳେ ଜଣେ ସଂଖ୍ୟାଲଘୁ ମୁସଲିମ ସମ୍ପ୍ରଦାୟର ପିଲାର ଶ୍ରୀଜଗନ୍ନାଥଙ୍କ ପ୍ରତି ନିଷ୍ଠାପର ଭକ୍ତିଭାବର ନିଦର୍ଶନ ସମଗ୍ର ବିଶ୍ୱରେ ଉଚ୍ଚ ପ୍ରଶଂସିତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଅଫତାବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନୟାଗଡ଼ ଜିଲ୍ଲା ଲେଖକ ପରିଷଦ, ଜିଲ୍ଲା ବୈଦିକ ବ୍ରାହ୍ମଣ ପରିଷଦ, ପରମ୍ପରା ସାହିତ୍ୟ ଏବଂ ସଂସ୍କୃତି ପରିଷଦ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ପରିଷଦ ଆଦି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପବିତ୍ର ରଥଯାତ୍ରା ଅବସରରେ ଅଫତାବଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅନୁଷ୍ଠାନ ମାନଙ୍କ ପକ୍ଷରୁ କବି ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରଶାନ୍ତ କୁମାର ଦାଶ, ଲକ୍ଷ୍ମୀଧର ସାହୁ, ଡ-ସୁକାନ୍ତି ମହାନ୍ତି, ପଣ୍ଡିତ ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ, ବିଭୂତ୍ତି ମିଶ୍ର, ଅଶୋକ ମଲ୍ଲ ଏବଂ ଉମାକାନ୍ତ ମିଶ୍ର ପ୍ରମୁଖ ସାମିଲ ହୋଇ ଦ୍ୱିତୀୟ ସାଲବେଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.