Home ଓଡ଼ିଶା ବିନା ଭକ୍ତରେ ବଡଦାଣ୍ଡରେ ଗଡିଲା ତିନି ରଥ – ପ୍ରତି ରଥକୁ ଟାଣିଲେ ସେବାୟତ ଓ...

ବିନା ଭକ୍ତରେ ବଡଦାଣ୍ଡରେ ଗଡିଲା ତିନି ରଥ – ପ୍ରତି ରଥକୁ ଟାଣିଲେ ସେବାୟତ ଓ ପୁଲିସ୍‌

496

ପୁରୀ, ୨୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଉଚ୍ଚନ୍ୟାୟାଳୟ ୧୮ ତାରିଖ ଦିନ ରଥଯାତ୍ରା ବନ୍ଦ ନିର୍ଦେଶ ଦେବା ପରେ ବିଭିନ୍ନ ମହଲରେ ଆଶା ଓ ଆଶଙ୍କା ଖେଳିଯାଇଥିଲା। ଲୀଳାମୟ ଇଛାମୟ ଠାକୁର ସବୁ ତାଙ୍କରି ଇଛା। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ପୁନର୍ବାର ନିର୍ଦେଶ ଉପରେ ବିଚାର କରି ୧୧ ଟି ସର୍ତ ପାଳନ କରି ରଥଯାତ୍ରା କରିବା ପାଇଁ ନିର୍ଦେଶ ଦେଇଥିଲେ।ଏହି ନିର୍ଦେଶ ଆସିବା ପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ର ଲହରୀ ଖେଳିଯାଇଥିଲା। ଆଜି ମହାପ୍ରଭୁ ଙ୍କର ପ୍ରସିଦ୍ଧ ଘୋଷଯାତ୍ରା ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳେ ମହାପ୍ରଭୁ ଙ୍କର ମଙ୍ଗଳା ଆଳତୀ ଅବକାଶ ଓ ଅନ୍ୟାନ୍ୟ ନୀତି ହେବା ପରେ ସକାଳ ଧୂପ ରେ ମହାପ୍ରୁୂ ଙ୍କୁ ଖେଚେଡି ଭୋଗ କରାଯାଇଥିଲା।ପ୍ରାୟ ସକାଳ ସାଢେ ୭ ଟା ସମୟରେ ମହାପ୍ରଭୁ ଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଶେଷରେ ଜଗନ୍ନାଥ ଙ୍କୁ ଧାଡି ପହଣ୍ଡି ରେ ଆଣାଯାଇଥିଲା। ମହାପ୍ରଭୁ ମାନେ ସାତ ପାହାଂଚ ରେ ପହଂଚିଲା ପରେ ରାଘବ ଦାସ ମଠରୁ ପ୍ରସ୍ତୁତ ହୋଇ ଆସିଥିବା ଟାହ୍ୟା ଲଗାଇଥିଲେ। ଏହା ପରେ ସେବାୟତ ମାନେ ତାଙ୍କୁ ପହଣ୍ଡି କରି ସିଂହଦ୍ୱାର କୁ ଆଣି ରଥାରୂଢ କରିଥିଲେ। ମହାପ୍ରଭୁ ଟାହ୍ୟା ଲଗାଇ ଝୁଲି ଝୁଲି ବଡଦାଣ୍ଡ କୁ ଆସିଥିଲେ। ବଳଭଦ୍ର ଙ୍କ ତାଳଧ୍ୱଜ ରଥ ରେ ସୁଦର୍ଶନ ଙ୍କୁ ରଥାରୂଢ କରାଯାଇଥିଲା। ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥରେ ମଦନ ମୋହନ ଓ ରାମକୃଷ୍ଣ ଙ୍କୁ ବିଜେ କରାଯାଇଥିଲା। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ରଥାରୂଢ ଚତୁର୍ଦ୍ଧାମୂର୍ତି ଙ୍କୁ ରଥ ଉପରେ ଦର୍ଶନ କରିଥିଲେ।ଚତୁର୍ଦ୍ଧାମୂର୍ତି ରଥାରୂଢ ହେବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଛେରା ପହଁରା ପାଇଁ ଗଜପତି ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଶ୍ରୀ ନଅର ସମ୍ମୁଖରେ ଛତି, ତ୍ରାସ, କାହାଳୀ ଓ ତେଲିଙ୍ଗି ବାଜା ପହଂଚିଥିଲା। ଗଜପତି ମହାରାଜ୍ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀ ନଅର ରୁ ଶୋଭାଯାତ୍ରା ରେ ରୌପ୍ୟ ଖଚିତ ମେହେନା ରେ ବସି ରଥ ନିକଟକୁ ଆସିଥିଲେ। ପରେ ଗଜପତି ମହାରାଜ୍ ପ୍ରଥମେ ବଳଭଦ୍ର ଙ୍କ ତାଳଧ୍ୱଜ ରଥ କୁ ଯାଇ ବନ୍ଦାପନା କରିବା ସହ ସ୍ୱର୍ଣ୍ଣ ବେଂଟ ଖଚିତ ଖଡିକା ରେ ରଥ ଉପରେ ଛେରା ପହଁରା କରିଥିଲେ। ପରେ ନନ୍ଦିଘୋଷ ରଥ ଓ ଶେଷରେ ଦେବୀ ସୁଭଦ୍ରା ଙ୍କ ଦର୍ପଦଳନ ରଥରେ ଛେରାପହଁରା କାର୍ଯ୍ୟ ସଂପର୍ଣ୍ଣ କରିଥିଲେ।ଛେରାପହଁରା କାର୍ଯ୍ୟ ଶେଷ ହେବା ପରେ ଚାର ମାଳ ଖୋଲାଯିବା ସହ ରଥ ଉପରକୁ ଅଶ୍‌ବ ଉଠାଯାଇ ଲଗାଯାଇଥିଲା। ବଳଭଦ୍ର ଙ୍କର ତାଳଧ୍ୱଜ ରଥ ୧୨ ଟା ବେଳକୁ ଟଣା ଆରମ୍ଭ ହୋଇଥିଲା। ପରେ ଦେବୀ ସୁଭଦ୍ରା ଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀ ଜଗନ୍ନାଥ ଙ୍କର ନନ୍ଦିଘୋଷ ରଥ ଟଣାଯାଇଥିଲା। ୫ ଟା ସୁଦ୍ଧା ୩ ଟି ଯାକ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଯାଇଥିଲା। ଚଳିତ ବର୍ଷ ପ୍ରତ୍ୟେକ ରଥ କୁ ସେବାୟତ ଓ ପୁଲିସ୍ ଟାଣିଥିଲେ। ପ୍ରତ୍ୟେକ ରଥ ପାଇଁ ୫୦୦ ଜଣ ପୁଲିସ୍ ଓ ସେବାୟତ ରହିଥିଲେ। ଚଳିତ ବର୍ଷ ବଡଦାଣ୍ଡ ସଂପୂର୍ଣ୍ଣ ଭକ୍ତ ଶୂନ୍ୟ ହୋଇଯାଇଥିଲା। ସବୁ ବର୍ଷ ଭଳି ଚଳିତ ବର୍ଷ ବଡଦାଣ୍ଡ ରେ ଭକ୍ତଙ୍କ ହୁଳହୁଳି, ସଂଖଧ୍ୱନୀ ଓ ହରିବୋଲ ଶୁଭାଯାଇ ନଥିଲା। ଆଜି ପ୍ରବଳ ଖରା ହେଉଥିବା ଯୋଗୁଁ ରାସ୍ତା ଉପରେ ଦମକଳ ପକ୍ଷରୁ ପାଣି ପକାଯାଉଥିଲା। ଚଳିତ ବର୍ଷ ରଥଯାତ୍ରା ଭକ୍ତଶୂନ୍ୟ ହୋଇଥିଲା। ଶାନ୍ତି ଶୃଙ୍ଖଳା ସହିତ ଆଜି ରଥଯାତ୍ରା ସଂପର୍ଣ୍ଣ ହୋଇଛି। ରଥଯାତ୍ରା କୁ ସୂଚାରୁ ରୂପେ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣ ମନ୍ତ୍ରୀ ଓ ଯୋଜନା ବୋର୍ଡ ଉପାଧକ୍ଷ ରଥଯାତ୍ରା ଓ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସ୍ଥିତି ତଦାରଖ କରିବେ। ମନ୍ତ୍ରୀ ପ୍ରତାପ ଜେନା, ସମୀରା ଦାସ୍, ନବ ଦାସ୍ ଓ ଯୋଜନା ବୋର୍ଡର ଉପାଧକ୍ଷ ସଞୟ ଦାସ୍ ବର୍ମା ଏହି ଠାରେ କ୍ୟାମ୍ପ କରୁଛନ୍ତି। ଏତଦବ୍ୟତୀତ ରାଜ୍ୟ ମୁଖ୍ୟ ଶାସନ ସଚିବ ପୁଲିସ୍ ଡିଜି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଏଠାରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରୁଛନ୍ତି। ଚଳିତ ବର୍ଷ ରଥଯାତ୍ରା ସମୟରେ କୌଣସି ମନ୍ତ୍ରୀ ଙ୍କ ଉପସ୍ଥିତି ଦେଖାଯାଇ ନଥିଲା। ଗତକାଲି ରାତି ୯ ଟା ଠାରୁ ଆସନ୍ତା କାଲି ଦିନ ୨ ଟା ପର୍ଯ୍ୟନ୍ତ ପୁରୀକୁ ସଟ୍‌ଡାଉନ କରାଯାଇଛି। ବଡଦାଣ୍ଡ କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକୁ ସିଲ୍ କରି ଦିଆଯାଇଛି। ଆସନ୍ତା କାଲି ଚତୁର୍ଦ୍ଧାମୂର୍ତି ଆଡପ ମଣ୍ଡପ କୁ ପହଣ୍ଡି ହୋଇ ବିଜେ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.