Home କେନ୍ଦୁଝର ବିବାଦୀୟ ଶିକ୍ଷୟତ୍ରୀଙ୍କ ଯୋଗଦାନକୁ ବିରୋଧ କରି ଧାରଣାରେ ଛାତ୍ରଛାତ୍ରୀ

ବିବାଦୀୟ ଶିକ୍ଷୟତ୍ରୀଙ୍କ ଯୋଗଦାନକୁ ବିରୋଧ କରି ଧାରଣାରେ ଛାତ୍ରଛାତ୍ରୀ

55

ହାଟଡ଼ିହି-୩୦ / ୭: (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ବିବାଦୀୟ ଶିକ୍ଷୟତ୍ରୀଙ୍କ ଭାତକରୁଆ ସ୍କୁଲରେ ଯୋଗଦାନକୁ ବିରୋଧ କରି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଗେଟରେ ତାଲା ପାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ସଂପୃକ୍ତ ଶିକ୍ଷୟତ୍ରୀଙ୍କ ନିଯୁକ୍ତିକୁ ବାତିଲ କରାନଯିବା ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ ନାହିଁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ଫଳରେ ଖାଲି ପ୍ରାଥମିକ ବିଦ୍ୟାଳୟ ନୁହଁ ସେହି ସ୍କୁଲ ପରିସରରେ ଥବବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡିରେ ମଧ୍ୟ ଶିକ୍ଷାଦାନ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି। ସୂଚନାରୁ ଜଣାଯାଇଛି ଯେ ଦୀର୍ଘ ୭ମାସ ହେଲା ବିଇଓଙ୍କ କାର୍ଯ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ବସି ବସି ମାସକୁ ମାସ ଦରମା ନେଉଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ବିଇଓଙ୍କ କାର୍ଯ୍ୟାଳୟ ତତ୍ପରତା ଦେଖାଇ ଗତକାଲି କାର୍ଯ୍ୟାଳୟରେ ବସି ରହିଥିବା ଶିକ୍ଷୟତ୍ରୀ ମୀନା ସାମଲଙ୍କୁ ଏଠାରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବାକୁ ବିଇଓଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଅନୁସାରେ ଗତକାଲି ଶିକ୍ଷୟତ୍ରୀ ମୀନା ସାମଲ ଯାଇ କାର୍ଯ୍ୟରେ ଯୋଗଦେଇଥିଲେ। ଆଜି ଶନିବାର ଥିବାରୁ ସକାଳ ୭ଟାବେଳେ ଶିକ୍ଷୟତ୍ରୀ ଜଣକ ଶିକ୍ଷାଦାନ କରିବାକୁ ଯାଇଥିବାବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ ଫାଟକରେ ତାଲା ପକାଇ ସ୍କୁଲ ସମ୍ମୁଖରେ ସମ୍ମୁଖରେ ଧାରଣାରେ ବସିଥିଲେ। ଆମର ଏପରି ଶିକ୍ଷୟତ୍ରୀ ଦରକାର ନାହିଁ, ଆମର ଯେଉଁ ଦୁଇଜଣ ଶିକ୍ଷକ ଅଛନ୍ତି ସେମାନେ ଥାଆନ୍ତୁ ଓ ଆଉ ଜଣେ ଭଲ ଶିକ୍ଷକ ଦିଅ, ଆମର ଏପରି ଶିକ୍ଷକ ଦରକାର ନାହିଁ ବୋଲି କହି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିରୋଧ କରିବାରୁ ସେ ଫେରି ଆସିଥିଲେ। ଏହି ଶିକ୍ଷୟତ୍ରୀ ଜଣକ ବଳଭଦ୍ରପୁର ସ୍କୁଲରେ ଶିକ୍ଷାଦାନ କରୁଥିବାବେଳେ ପଦୋନ୍ନତୀ ପାଇ ଆଡହୁରିଆ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପତ୍ର ପାଇଥିଲେ। ମାତ୍ର କାର୍ଯ୍ୟରେ ଯୋଗଦେବାକୁ ଯାଇଥିବାବେଳେ ଆଡହୁରିଆ ଗ୍ରାମବାସୀ ମାନେ ତାଙ୍କୁ ବିଦ୍ୟାଳୟକୁ ପୁରାଇ ଦେଇ ନଥିଲେ। ତା ପରେ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ବଳଭଦ୍ରପୁର ସ୍କୁଲରେ ଜଏନ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ସେଠାରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଥିଲା। ବଳଭଦ୍ରପୁର ଗ୍ରାମବାସୀ ଓ ଅଭିଭାବକମାନେ ତାଙ୍କ ନିଯୁକ୍ତିକୁ ବିରୋଧକରି ସ୍କୁଲକୁ ଛାଡି ନଥିଲେ। ପରେ ପୁଣି ତାଙ୍କୁ ବିରିଡି ପ୍ରାଥମିକ ବିଦ୍ୟାଳୟକୁ ଦିଆଗଲା, ମାତ୍ର ସେଠାରେ ମଧ୍ୟ ଗାଁ ଲୋକେ ତାଙ୍କ ନିଯୁକ୍ତିକୁ ବିରୋଧ କରି ଫେରାଇ ଦେଇଥିଲେ। ସେହିଦିନ ଠାରୁ ଆଜକୁ ୭ମାସ ହେଲା ଶିକ୍ଷୟତ୍ରୀ ଜଣକ ବିଇଓଙ୍କ କାର୍ଯ୍ୟାଳୟରେ ବସି ବସି ଦରମା ନେଉଥିଲେ। ଭାତକରୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୮ଜଣ ଛାତ୍ରଛାତ୍ରୀ ଥିବାବେଳେ ଜଣେ ନିୟମିତ ଶିକ୍ଷକ ଓ ଜଣେ ଡେପୁଟେସନ ଶିକ୍ଷକ ରହି ଶିକ୍ଷାଦାନ କରୁଛନ୍ତି। ଏଠାରେ ଶିକ୍ଷାଦାନରେ କୌଣସି ତ୍ରୁଟି ନଥିବାରୁ ଓ ସ୍କୁଲଟି ଭଲଭାବେ ଚାଲୁ ଥିବାରୁ ଏପରି ବିବାଦୀୟ ଶିକ୍ଷୟତ୍ରୀଙ୍କୁ ଭର୍ତ୍ତି କରି ସ୍କୁଲ ପରିବେଶକୁ ନଷ୍ଟ କରିବାକୁ ଦେବାୁ ନାହିୁଁ ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଛନ୍ତି। ପରେ ଅଭିଭାବକମାନେ ବିଇଓଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଏ ସମ୍ପର୍କରେ ଖବର ପାଇଛୁ, ଆଜି ବିଇଓ ଆସି ନାହାନ୍ତି, ସୋମବାର ଆସିଲେ ଏନେଇ କଣ ପଦକ୍ଷେପ ନିଆଯିବ ସେନେଇ ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.